ETV Bharat / state

ପଦାରେ ପଡ଼ିଲା ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା, ଗଛମୂଳେ ଜ୍ଞାନ ଆହରଣ କରୁଛନ୍ତି କୁନିକୁନି ପିଲାଏ

author img

By

Published : Jul 18, 2023, 2:23 PM IST

Updated : Jul 18, 2023, 2:30 PM IST

କୁନିକୁନି ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି ଗଛ ମୂଳରେ। ଅଙ୍ଗନବାଡି ଶ୍ରେଣୀ ନ ଥିବାରୁ ଗଛ ମୂଳରେ ଚାଲିଛି ଅଙ୍ଗନବାଡି। ଅଭିଯୋଗ ସତ୍ତ୍ୱେ ସରକାରୀ ବାବୁ ଚୁପ । ଅଧିକ ପଢନ୍ତୁ

Anganwadi Centre
Anganwadi Centre

ପଡ଼ିଲା ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା

ରାଉରକେଲା: ଅଙ୍ଗନବାଡିରେ ପଡେ ପିଲାଙ୍କ ମୂଳାଦୁଆ । ଆଉ ତିଆରି ହୁଏ ପିଲାଙ୍କ ଭବିଷ୍ୟତ । କିନ୍ତୁ ଏଠାରେ ଖୋଲା ଆକାଶ ତଳେ ଗଛ ମୂଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । ନା ପାଠପଢିବା ପାଇଁ ଉପକରଣ ରହିଛି ନା ମୁଣ୍ଡ ଉପରେ ଛାତ ଅଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସାନ ଭାଲୁଡୁଙ୍ଗୁରି ଗ୍ରାମରେ । କୁନି ପିଲାଙ୍କ ପାଠପଢା ପାଇଁ ଅଙ୍ଗନୱାଡି କେନ୍ଦ୍ର ଅଛି ହେଲେ କେନ୍ଦ୍ରର ନିର୍ମାଣ କାମ ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ଖୋଲା ଆକାଶ ତଳେ ଏମିତି ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ହେଉଛି ଏକ ଉପାନ୍ତ ଅଞ୍ଚଳ । ଏହି ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନା ଯେଭଳି ସମ୍ପୂର୍ଣ୍ଣ ଫେଲ ମାରିଛି । ଅଙ୍ଗନବାଡି ଶ୍ରେଣୀ ଗୃହ ନଥିବାରୁ କୁନିକୁନି ପିଲାମାନେ ଅଙ୍ଗନବାଡ଼ି ଆସି ବାହାରେ ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯାହାଫଳରେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ । ଯେଉଁଠି ସରକାର ନିଜର ଶିକ୍ଷା ବ୍ୟବସ୍ଥା ପାଇଁ ଡିଣ୍ଡିମ ପିଟୁଛନ୍ତୁ ସେଠାରେ ବାସ୍ତବରେ ଚିତ୍ର କିଛି ଅଲଗା ।

ଆଜକୁ ୧୨ ବର୍ଷରୁ ଅଧିକ ହେବ ସାନ ଭାଲୁଡୁଙ୍ଗୁରି ସ୍କୁଲ ପଛପଟ ମହୁଲଗଛ ମୂଳରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । କିନ୍ତୁ ସରକାରୀ ବାବୁଙ୍କ ନିଦ ଭାଙ୍ଗୁନି । ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ବର୍ତ୍ତମାନ ୧୩ ଜଣ କୁନିକୁନି ପିଲା ପାଠ ପଢ଼ୁଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ କେହି ଗ୍ରାମବାସୀ ପିଲାଙ୍କୁ ଛାଡୁ ନାହାନ୍ତି । ୨୦୧୨- ୧୩ ଆର୍ଥିକ ବର୍ଷରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରି ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ଏଥିପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନ ଭାଲୁଡୁଙ୍ଗୁରି ସ୍କୁଲ ପଛପଟରେ ଫାଉଣ୍ଡେସନ ତିଆରି ହେଲା । ମାତ୍ର କୌଣସି କାରଣ ଯୋଗୁଁ ତାହା ଆଉ ଆଗକୁ ନବଢ଼ି ସେମିତି ଅଧାପନ୍ତରିଆ ଭାବେ ପଡ଼ିରହିଛି । ଯାହାଫଳରେ ପିଲାମାନେ ଗଛମୂଳେ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଖରାଦିନେ କଷ୍ଟମଷ୍ଟ କରି ଯେମିତି ହେଲେ ଚଳିଯାଏ । ମାତ୍ର ବର୍ଷାଦିନେ ଅବସ୍ଥା କହିଲେ ନ ସରେ । ବର୍ଷା ହେଲେ ସ୍କୁଲ ବାରଣ୍ଡାରେ ବସି ପିଲାଏ ପାଠ ପଢ଼ିଥାନ୍ତି । ଗ୍ରାମବାସୀ ବାରମ୍ବାର ଏନେଇ ଦାବି କରୁଥିଲେ ବି ପ୍ରଶାସନ ଚୁପ ରହିଛି ।

ଏନେଇ ଅଙ୍ଗନବାଡ଼ି କର୍ମୀ କଲ୍ୟାଣୀ ମୁଣ୍ଡା କହିଛନ୍ତି, "ଏ ବାବଦରେ ବିଡିଓ ଓ ସିଡିପିଓଙ୍କୁ ଅବଗତ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଯିବ ବୋଲି କହୁଛନ୍ତି, କିନ୍ତୁ ଏ ଯାଏଁ କେବଳ ଫାଉଣ୍ଡେସନ ପକାଇ ରଖାଯାଇଛି । ସେଥିପାଇଁ କୁନି କୁନି ପିଲାମାନଙ୍କୁ ନେଇ ଗଛ ତଳେ ପାଠ ପଢା ହେଉଛି । ବର୍ଷା ହେଲେ ବାଧ୍ୟ ହୋଇ ସ୍କୁଲ ବାରାଣ୍ଡାରେ ଯାଇ ପାଠ ପଢାଉଛି । ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନି ।"

ସେହିପରି ଅନ୍ୟପଟେ ଗୁରୁଣ୍ଡିଆ ସିଡିପିଓ ଫୁଲଜେନସିଆ ଏକ୍କା କହିଛନ୍ତି, "ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ଏବଂ ଏବେ ନୂଆ ଅଙ୍ଗନବାଡ଼ି ଗୃହ ମଞ୍ଜୁର ହୋଇଯାଇଛି । ଟଙ୍କା ଆସିଲେ ଗୃହନିର୍ମାଣ ହେବ ।"

ଏହା ମଧ୍ୟ ପଢନ୍ତୁ- ଶିକ୍ଷା ବ୍ୟବସ୍ଥାକୁ ଆଖି ଠାର, କୁଡିଆ ଘରେ ଚାଲିଛି ପିଲାଙ୍କ ପାଠପଢା

5T ଉପକ୍ରମରେ ସ୍ମାର୍ଟ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାର ବାହା ବାହା ନେଉଛନ୍ତି। ଲେ ତାହା କେତେ କାମରେ ଆସୁଛି ତାହା ସାନ ଭାଲୁଡୁଙ୍ଗୁରି ଗାଁ ଉପରେ ନଜର ପକାଇଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟାର କେବେ ସମାଧାନ ହେଉଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

Last Updated : Jul 18, 2023, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.