ETV Bharat / state

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

author img

By ETV Bharat Odisha Team

Published : Oct 2, 2023, 2:24 PM IST

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ବଗଛେରା ଗାଁ ପୋଖରୀରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ଦାବି । ଅଧିକ ପଢ଼ନ୍ତୁ

irregularities in mgnrega work
irregularities in mgnrega work

ସୁବର୍ଣ୍ଣପୁର ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି

ସୁବର୍ଣ୍ଣପୁର: ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଜିଲ୍ଲାର ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ବଗଛେରା ଗାଁ ପୋଖରୀରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗତ 2022-23 ଆର୍ଥିକ ବର୍ଷରେ ଅମୃତ ସରୋବର ବହିରା ମୁଣ୍ଡା ପୋଖରୀ ଉନ୍ନତିକରଣ ପାଇଁ 10 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇ ମାଟି କାର୍ଯ୍ୟ କରାଯାଇଥିଲା । ହେଲେ ପୁଣି ସେହି ପୋଖରୀକୁ ଭିନ୍ନ ଏକ ନାଁ ଦେଇ 2 ଲକ୍ଷ 40 ହଜାର 318 ଟଙ୍କାର ମାଟି କାର୍ଯ୍ୟ କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ସେହି ଗୋଟିଏ ପୋଖରୀକୁ ନାଇକ ମୁଣ୍ଡା, ଗହିରା ମୁଣ୍ଡା ଓ ବହିରା ମୁଣ୍ଡା ଅମୃତ ସରୋବର ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ ନାଁ ଦେଇଛନ୍ତି । ଦୁଇ ଦୁଇ ଥର ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାଟି କାର୍ଯ୍ୟ କରାଯାଇ ବ୍ୟାପକ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି । ପୋଖରୀ ହୁଡାରେ ଗୋଟିଏ ମାଟି କାର୍ଯ୍ୟର ସୂଚନା ଫଳକ ଦିଆଯାଇଥିବା ବେଳେ ଅନ୍ୟ ଏକ ଉନ୍ନତିକରଣ କାର୍ଯ୍ୟର କୌଣସି ସୂଚନା ଦିଆଯାଇ ନାହିଁ । ସେହିପରି ଗାଁର ଏହି ବଡ଼ ପୋଖରୀକୁ ତିନି ବର୍ଷ ଲଗାତର ତିନୋଟି ନାଁ ଦେଇ ମାଛ ଚାଷ କରିବା ପାଇଁ ଠିକା ଦିଆ ଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଅନିୟମିତତା ଘେରରେ ମନରେଗା ଯୋଜନା, ସରକାରଙ୍କ ନାହିଁ ନିଘା

ଗାଁର ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମାଛ ଚାଷ କରିବା ପାଇଁ ଠିକା ଦେଇଥିବା ବେଳେ ପୁଣି ଏକ ଭିନ୍ନ ନାଁରେ ସେହି ପୋଖରୀକୁ ଅନ୍ୟମାନଙ୍କୁ ଠିକା ପ୍ରଦାନ କରାଯାଇଛି । ତେଣୁ ଗାଁ ଲୋକେ ସୂଚନା ଅଧିକାର ଆଇନ ବଳର ପାଇଥିବା ତଥ୍ୟକୁ ଆଧାର କରି ପୋଖରୀର ଉନ୍ନତିକରଣ ଓ ମାଛ ଚାଷ ପାଇଁ ଠିକା ପ୍ରଦାନରେ ବ୍ୟାପକ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି । ମାଟି କାର୍ଯ୍ୟ ତଦାରଖ ତଥା ନିରୀକ୍ଷଣ କରି ବିଲ କରିଥିବା ଯନ୍ତ୍ରୀ ଓ ଓଭରସିୟର ଏହି ଅର୍ଥ ହରିଲୁଟ କାର୍ଯ୍ୟରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଛି ।

ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ତାହା ନହେଲେ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅପରପକ୍ଷରେ ଏହି ଘଟଣାର ତଦନ୍ତ କରି ପ୍ରତିକ୍ରିୟା ଦେବା ସହିତ ଅନିୟମିତତା ହୋଇଥିବା ଜଣା ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.