ETV Bharat / state

ସ୍କୁଲ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଅଭିଭାବକ

author img

By ETV Bharat Odisha Team

Published : Oct 16, 2023, 5:21 PM IST

ସ୍କୁଲ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଭାବକଙ୍କ ଧାରଣା। ଅଧିକ ପଢନ୍ତୁ

parents protest in front of collector office
parents protest in front of collector office

parents protest in front of collector office

ସୋନପୁର: ରାସ୍ତାରେ ଭାରିଯାନ ଯାତାୟତ କରୁଥିବାରୁ ସ୍କୁଲ ଯିବା ସମୟରେ ଅସୁରକ୍ଷିତ ମନେ କରୁଛନ୍ତି ଛାତ୍ରଛାତ୍ରୀ । ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ବିକ୍ଷୋଭ ପ୍ରଦର୍ଶନ କଲେ ଅଭିଭାବକ । ହରଡୋଖୋଲ ପଞ୍ଚାୟତର 5ଟି ମୌଜା ଯଥା ଲକର୍ମା, ଡାହାଜା, ଅର୍ଜୁନପୁର, ଜାମପାଲି ଓ କୁଲିପାଲି ମୌଜାର ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବିଦ୍ୟାଳୟ କମିଟିର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଲକର୍ମା ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ରାସ୍ତାରେ ଯା ଆସ ସମୟରେ ଅସୁରକ୍ଷିତ ମନେ କରୁଥିବାରୁ ଏହାର ପ୍ରତିକାର କରିବା ପାଇଁ ଦାବି କରିଛନ୍ତି । ଲକର୍ମା ଗାଁର ତେଲନଦୀ ଘାଟରୁ ପ୍ରତିଦିନ ଶହ ଶହ ବାଲି ବୋଝେଇ ଟ୍ରାକ୍ଟର ଓ ଡମ୍ଫର ଲକର୍ମା ବିଦ୍ୟାଳୟ ଆଗ ରାସ୍ତା ଦେଇ ଯାତାୟତ କରୁଛି । ତେଲନଦୀରୁ ଲକର୍ମା ବିଦ୍ୟାଳୟ ଆଗ ରାସ୍ତା ଦେଇ ଅର୍ଜୁନପୁର ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ବନ ବିଭାଗର ରାସ୍ତାରେ ଘାଟରୁ ବାଲି ଚାଲାଣ ହେଉଛି । ଏହା ଗ୍ରାମ୍ୟ ରାସ୍ତା ହୋଇ ଥିବାରୁ ଧୂଳି ଉଡିବା ସହିତ ଛାତ୍ରଛାତ୍ରୀମାନେ ଯାତାୟତ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଭିତରେ ଭୟ ଲାଗି ରହୁଛି ।

ଏହା ମଧ୍ୟ ପଢନ୍ତୁ-ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ଦୁର୍ଘଟଣାର ଆଶଙ୍କା ଥିବାରୁ ଏହି ରାସ୍ତା ଦେଇ ଭାରିଯାନ ଚଳାଚଳକୁ ବିଦ୍ୟାଳୟର ଅଭିଭାବକମାନେ ବିରୋଧ କରିଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ 5ଟି ମୌଜାର ପ୍ରାୟ ଅଢେଇ ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ସାଇକେଲ ଅବା ଚାଲି ଚାଲି ବିଦ୍ୟାଳୟକୁ ସେହି ରାସ୍ତାରେ ଯାଉଛନ୍ତି । ତେବେ ଦିନ ରାତି ଏହି ରାସ୍ତାରେ ଭାରି ଯାନ ଚଳାଚଳ କରୁଥିବାରୁ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ରାଜସ୍ବ ଅଧିକାରୀ, ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଭାରିଯାନ ଚଳାଚଳ ବନ୍ଦ କରିବାକୁ ବିଭିନ୍ନ ସମୟରେ ଜଣାଇଛନ୍ତି ।

ପୂର୍ବରୁ ବିଦ୍ୟାଳୟ କମିଟି ଏ ସଂପର୍କରେ ଲିଖିତ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସହିତ ଏହାର ପ୍ରତିକାର କରିବା ପାଇଁ ଦାବି କରିଛନ୍ତି । ହେଲେ ରାଜସ୍ବ ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ଭିତରେ ସମନ୍ବୟ ଅଭାବରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେବେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ 5ମୌଜାର ଅଭିଭାବକ ଓ ବିଦ୍ୟାଳୟ କମିଟିର କାର୍ଯ୍ୟକର୍ତ୍ତା ଆଜି ଲିଖିତ ଭାବେ ଜିଲ୍ଲା ପ୍ରଶାସନ ପାଖରେ ଦାବି ରଖିଛନ୍ତି । ତୁରନ୍ତ ଦାବି ପୂରଣ କରା ନଗଲେ ଆଗକୁ ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ରାଜସ୍ବ ବିଭାଗକୁ ଜନସାଧାରଣଙ୍କ ଦାବି ପ୍ରତି ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.