ETV Bharat / state

ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ, ଦାବି ପୂରଣ ନହେଲେ କଲମଛାଡ ଚେତାବନୀ

author img

By

Published : Jun 23, 2023, 10:50 PM IST

ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କର୍ମଚାରୀମାନଙ୍କ ଚାକିରୀ ନିୟମିତ କରିବା ସହିତ ସରକାରୀ ସୁବିଧା ସୁଯୋଗ ପ୍ରଦାନ ପାଇଁ ଦାବି କରିଛି ସଂଘ। ଅଧିକ ପଢନ୍ତୁ

ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ
ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ସୁବର୍ଣ୍ଣପୁର: ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଆଉଟସୋର୍ସିଂ କର୍ମଚାରୀ ସଂଘ ସଭାପତି ନରହରି ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସହରର ସ୍ଥାନୀୟ ପଟାଭାଡିର ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ନିକଟରୁ ଆଉଟ ସୋର୍ସିଂ କର୍ମଚାରୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କର୍ମଚାରୀମାନେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଆଗରେ ବସି ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ଗତ 20 ବର୍ଷରୁ ଅଧିକ ସମୟ ହେଲା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିଂ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି । ଦୀର୍ଘ ଦିନରୁ ସଂଘ ପକ୍ଷରୁ କର୍ମଚାରୀମାନଙ୍କ ଚାକିରୀ ନିୟମିତ କରିବା ସହିତ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଦାବି କରି ଆସୁଛନ୍ତି । ହେଲେ ରାଜ୍ୟ ସରକାର କର୍ମଚାରୀମାନଙ୍କ ପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି ।

ସରକାରୀ କାର୍ଯ୍ୟାଳୟ ଗୁଡିକରେ ଆଉଟସୋର୍ସିଂ କର୍ମଚାରୀମାନେ ନିଯୁକ୍ତି ପାଇବା ପରେ ଘରୋଇ ଭାବରେ ଦରମା ପାଉଛନ୍ତି ।ସରକାର ସିଧାସଳଖ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରୁନାହାନ୍ତି । ଏପରିକି ଅନେକ ଆଉଟସୋର୍ସିଂ ନିଯୁକ୍ତି ପ୍ରଦାନ କରୁଥିବା ସଂସ୍ଥା ମଧ୍ୟ ନିଜ କର୍ମଚାରୀଙ୍କ ଆର୍ଥିକ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି । ଏହାସହ ଆଉଟସୋର୍ସିଂ କର୍ମଚାରୀମାନେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟ ଗୁଡିକରେ ସରକାରୀ କର୍ମଚାରୀଙ୍କ ଅପେକ୍ଷା ଦାୟିତ୍ବବାନ ଭାବେ ଅଧିକ କାର୍ଯ୍ୟ କରୁଥିଲେ ମଧ୍ୟ କମ୍ ଦରମା ପାଉଥିବା କହିଛନ୍ତି।

ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ମାସିକ ଦରମା ବ୍ୟତୀତ ଅନ୍ୟ କିଛି ସରକାରୀ ସହାୟତା ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି । ତେବେ ବାରମ୍ବାର ଆଉଟସୋର୍ସିଂ ସଂଘ ପକ୍ଷରୁ 11 ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ସୁଫଳ ମିଳିନି । ହେଲେ ରାଜ୍ୟ ସରକାର ଦାବି ପ୍ରତି କର୍ଣ୍ଣପାତ କରୁ ନଥିବାରୁ ବାଧ୍ୟ ହୋଇ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ତେବେ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ତୁରନ୍ତ ଦୁଇ ସପ୍ତାହ ଭିତରେ ଦାବି ପୂରଣ କରିବା ପାଇଁ କର୍ମଚାରୀମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 11 ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ କଲମଛାଡ କରିବା ସହିତ ଭୟଙ୍କର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.