ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରକୁ ତୁଳସୀ ରଥରେ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ

author img

By ETV Bharat Odisha Team

Published : Nov 24, 2023, 9:01 AM IST

ସୋନପୁରକୁ ଫେରିଲା ତୁଳସୀ ରଥ । ରଥରେ ଆସିଛି ଦେବୀ ସୁଭଦ୍ରାଙ୍କ ରଥର ଚକ । ଜିଲ୍ଲାପାଳଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁ ସହରର କୁଞ୍ଜ ହୋଟେଲ ପ୍ରବେଶ ପଥରେ ସ୍ବାଗତ କରିଛନ୍ତି ତୁଳସୀ ରଥକୁ । ଅଧିକ ପଢ଼ନ୍ତୁ

devi Subhadras chariot wheel
devi Subhadras chariot wheel

devi Subhadras chariot wheel

ସୋନପୁର: ବହୁ ପ୍ରତୀକ୍ଷିତ ପୁରୁଷୋତ୍ତମ କ୍ଷେତ୍ରରୁ ପାତାଳୀ ଶ୍ରୀକ୍ଷେତ୍ରକୁ ଆସିଛି ଦେବୀ ସୁଭଦ୍ରାଙ୍କ ରଥର ଚକ । ରଥ ଚକକୁ ଜିଲ୍ଲାପାଳଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁ ସହରର କୁଞ୍ଜ ହୋଟେଲ ପ୍ରବେଶ ପଥରେ ସ୍ବାଗତ କରିବା ସହିତ ପୂଜା ଆରାଧନା କରିଥିଲେ । ତୁଳସୀ ରଥରେ ଆସିଥିବା ରଥ ଚକ ସହର ପରିକ୍ରମା କରିବା ପରେ ପାତାଳୀ ଶ୍ରୀକ୍ଷେତ୍ରକୁ ପହଞ୍ଚିଥିଲା । ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପୀଠ ପାତାଳୀ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ସଂସ୍କୃତିର ଏହି ବିଭବକୁ ସ୍ମୃତି ରୂପେ ରଖାଯାଇ ପୂଜା ଆରାଧନା କରାଯିବ । ପାତାଳୀ ଶ୍ରୀକ୍ଷେତ୍ର ଉନ୍ନୟନ ପରିଷଦ ଓ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏକ ରଥ ଚକ ଦେଇଛନ୍ତି । ପୂର୍ବରୁ ପାତାଳୀ ଶ୍ରୀକ୍ଷେତ୍ରକୁ ପୁରୀ ଗଜପତି ଦିବ୍ୟସିଂହ ଦେବ ପରିଦର୍ଶନ କରି ଏହି ପୀଠକୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ଲୀଳାଭୂମୀ ବୋଲି କହିଛନ୍ତି ।

ପୁରୀ ଶ୍ରୀମନ୍ଦିର ପ୍ରଶାସନ ପ୍ରଦତ୍ତ ଚତୁର୍ଦ୍ଧା ଦାରୁ ବିଗ୍ରହକୁ ଗଜପତି ଦିବ୍ୟସିଂହ ଦେବଙ୍କ ଅନୁମତି କ୍ରମେ ପାତାଳୀ ଶ୍ରୀକ୍ଷେତ୍ରର ଛଳିଆ ପାହାଡରେ ପ୍ରତିଷ୍ଠିତ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି । ତେବେ ହଜାର ହଜାର ଶ୍ରଦ୍ଧାଳୁ ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ପୁରୁଷୋତ୍ତମ କ୍ଷେତ୍ରର ଚତୁର୍ଦ୍ଧା ବିଗ୍ରହ ଦର୍ଶନର ଅନୁଭବ ନେଇଥାନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ପାତାଳୀ ଶ୍ରୀକ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର ସହିତ ଭାବଗତ ସଂଯୋଗ ପାଇଁ ସବୁ ସମୟରେ ଉଦ୍ୟମ ଜାରି ରହିଛି । ତେବେ ଆଜକୁ ଚାରି ବର୍ଷ ହେଲା ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ରକୁ ତୁଳସୀ ରଥ ଯାଉଛି । କାର୍ତ୍ତିକ ଶୁକ୍ଲ ପଞ୍ଚୁକ ଏକାଦଶୀ ତିଥିରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ତୁଳସୀ ଲାଗି ହେବା ପାଇଁ ଶ୍ରଦ୍ଧାଳୁମାନେ ସୁଗନ୍ଧିତ ପୁଷ୍ପ ସହିତ ତୁଳସୀ ପ୍ରେରଣ କରୁଛନ୍ତି ।ଚଳିତ ବର୍ଷ ବି ଏହି ତୁଳସୀ ରଥରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀ ବିଗ୍ରହଙ୍କ ଲକ୍ଷ୍ମୀ ନାରାୟଣ ବେଶ ପାଇଁ ତୁଳସୀ, ଦୟଣା ଓ ସୁଗନ୍ଧିତ ପୁଷ୍ପ ପଠାଇଛନ୍ତି ।

ଏହା ମଧ୍ଯ ପଢନ୍ତୁ-Ratha Yatra 2023: ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା, 200 ଫୁଟ ପାହାଡ ଉପରୁ ତଳକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୂର୍ତ୍ତି

ପ୍ରାୟ 31 ଜଣ ଶ୍ରଦ୍ଧାଳୁ ଫୁଲ ତୁଳସୀ ନେଇ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରକୁ ପହଞ୍ଚିଥିଲେ । ପାତାଳୀ ଶ୍ରୀକ୍ଷେତ୍ରରୁ ଅଁଳା ନବମୀ ତିଥିରେ ବାହାରିଥିବା ତୁଳସୀ ରଥ ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଦଶପଲ୍ଲା ସହର ପରିକ୍ରମା କରି ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିଥିଲା । ଶ୍ରୀମନ୍ଦିର ପ୍ରଦତ୍ତ ଦେବୀ ସୁଭଦ୍ରାଙ୍କ ଚକ ତୁଳସୀ ରଥରେ ସୁବର୍ଣ୍ଣପୁର ସହରରେ ପହଞ୍ଚିବା ପରେ ଶହଶହ ଶ୍ରଦ୍ଧାଳୁ ରଥଚକକୁ ସ୍ବାଗତ କରିବା ସହିତ ପୁଷ୍ପମାଲ୍ୟ, ଧୂପ, ଦୀପ ଦେଇ ପୂଜା ଆରାଧନା କରିଛନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.