ETV Bharat / state

ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ ! ସଭାପତି ପୂର୍ବତନ ସଭାପତି ମୁହାଁମୁହିଁ, ଦ୍ବନ୍ଦ୍ୱରେ କର୍ମୀ

author img

By ETV Bharat Odisha Team

Published : Aug 30, 2023, 9:35 PM IST

ସୁବର୍ଣ୍ଣପୁର ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ ! ପୂର୍ବତନ ଜିଲ୍ଲା ସଭାପତି ଆଇନଜୀବି ବଳଦେବ ପ୍ରସାଦ ବେଦବାକ ଓ ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ମଧ୍ୟରେ ମତଭେଦ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ! ସଭାପତି ପୂର୍ବତନ ସଭାପତି ମୁହାଁମୁହିଁ, ଦ୍ବନ୍ଦରେ କର୍ମୀ
ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ! ସଭାପତି ପୂର୍ବତନ ସଭାପତି ମୁହାଁମୁହିଁ, ଦ୍ବନ୍ଦରେ କର୍ମୀ

ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ! ସଭାପତି ପୂର୍ବତନ ସଭାପତି ମୁହାଁମୁହିଁ, ଦ୍ବନ୍ଦରେ କର୍ମୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିଜେପିରେ ଚାଲିଛି କି ଗୋଷ୍ଠୀ କନ୍ଦଳ ? ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି କି ବରିଷ୍ଠ ନେତା ବଳଦେବ ପ୍ରସାଦ ବେଦବାକ? ନା ନିଜ ଦୁର୍ବଳ ନେତୃତ୍ବକୁ ଲୁଚାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ? କିଏ ଠିକ ? କିଏ ଭୁଲ ? ଦ୍ବନ୍ଦ୍ୱରେ କର୍ମୀ । ନେତାଙ୍କ ପତିଆରା ଲଢେଇରେ ବଳି ପଡୁଛି କି ତୃଣମୂଳ ସଂଗଠନ ? ଜିଲ୍ଲାରେ ଶକ୍ତିଶାଳୀ ଥିବା ବିଜେପି କାହିଁକି ଧୀରେଧୀରେ ହୋଇଯାଉଛି ଦୁର୍ବଳ ? ଦଳୀୟ ସଂଗଠନକୁ ଦୁର୍ବଳ କରିବାକୁ କିଏ ରଚିଛି ଷଡଯନ୍ତ୍ର ? ଜିଲ୍ଲା ବିଜେପି ସଭାପତି ଯଦି ସଦୃଢ ? ତାହା ହେଲେ ସଂଗଠନ କାହିଁକି ଦୁର୍ବଳ ? ଜିଲ୍ଲା ଶାଖାରେ କଣ ଚାଲିଛି ଅବଗତ ଅଛନ୍ତି ତ ରାଜ୍ୟ ନେତୃତ୍ବ ? ସୁବର୍ଣ୍ଣପୁର ବିଜେପିକୁ ସଜାଡିବେ କି ମନମୋହନ ଆଣ୍ଡ କୋ ? ଏହି ପ୍ରଶ୍ନ ସେତେବେଳେ ଉଠୁଛି ଯେତେବେଳେ ଜିଲ୍ଲା ବିଜେପିର ଦୁଇ ବରିଷ୍ଠ ନେତା ଦଳୀୟ ପ୍ରସଙ୍ଗରେ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ।

ଘଟଣା ଥିଲା ଗତ ସୋମବାରର । ସ୍ଥାନୀୟ ସମସ୍ୟା, ଦୁର୍ନୀତି, ନିଯୁକ୍ତି, ବିକାଶ ସହ ଲୋକଙ୍କ ମୌଳିକ ପ୍ରସଙ୍ଗକୁ ମୁଦ୍ଦା କରି ବିଜେପି ପକ୍ଷରୁ ଉଲୁଣ୍ଡା,ବିନିକା ଓ ତରଭା ବ୍ଲକ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ କରାଯାଇଥିଲା । ଏଥିରେ ବିଜେପି ନେତା ବଳରାମ ସିଂ ଯାଦବଙ୍କ ସମେତ ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଆଇନଜୀବି ବଳଦେବ ପ୍ରସାଦ ବେଦବାକ ସାମିଲ ହୋଇଥିଲେ। ପଞ୍ଚାୟତ ସମିତି ଓ ବ୍ଲକ ସମ୍ମୁଖରେ ଶୋଭାଯାତ୍ରାରେ ଆସି ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଇଥିଲା । ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପିର ପୋଷ୍ଟର ବ୍ୟାନର ମଧ୍ୟ ବ୍ୟବହାର ହୋଇଥିଲା । ଏପରିକି ବରିଷ୍ଠ ନେତା ବଳଦେବ ବେଦବାକ ଆନ୍ଦୋଳନର ଅଗ୍ରଭାଗରେ ଥିଲେ ।

ଏହାବି ପଢନ୍ତୁ- ପଦାରେ ପଡିଲା ବିଜେପି ଗୋଷ୍ଠୀ କନ୍ଦଳ, ଜିଲ୍ଲା ସଭାପତିଙ୍କୁ କାଳିମାଡ କଲେ ଦଳୀୟ କର୍ମୀ

ହେଲେ ଏହି ଆନ୍ଦୋଳନକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ବର୍ତ୍ତମାନର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର । ସଭାପତି ପ୍ରମୋଦ ମହାପାତ୍ର ପ୍ରେସମିଟ କରି କହିଛନ୍ତି, ‘‘ଗତ ସୋମବାର ବିଜେପି ପୋଷ୍ଟର ବ୍ୟାନରରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ଠିକ୍‌ ନୁହେଁ । ଯେଉଁ ନେତାମାନେ ଆନ୍ଦୋଳନର ନେତୃତ୍ବ ନେଇଥିଲେ ସେମାନେ ବିଜେପିରେ ନାହାଁନ୍ତି । ବଳରାମ ସିଂ ଯାଦବ ବିଜେପିର ପ୍ରାଥମିକ ସଦସ୍ୟ ନୁହଁନ୍ତି । ଏତଦ ବ୍ୟତୀତ ବଳଦେବ ପ୍ରସାଦ ବେଦବାକଙ୍କୁ ରାଜ୍ୟ ବିଜେପି ଦଳରୁ ବହିଷ୍କାର କରିଛି । ସେମାନେ କିଭଳି ଆନ୍ଦୋଳନ କରିବେ ? ଆନ୍ଦୋଳନ ପାଇଁ ଜିଲ୍ଲା ବିଜେପିର ଅନୁମତି ନେଇନାହାଁନ୍ତି କି ଦଳ ଅନୁମତି ଦେଇନାହିଁ ବୋଲି କହିଛନ୍ତି ।’’ ଏପରିକି ଏହି ଆନ୍ଦୋଳନକୁ ବିରୋଧ କରି ଜିଲ୍ଲା ବିଜେପି ଆଜି ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛି ।

ସେପଟେ ଜିଲ୍ଲା ବିଜେପି ସଭାପତିଙ୍କ ଏହି ଅଭିଯୋଗ ପରେ ପ୍ରେସମିଟ୍‌ କରି ଜବାବ ରଖିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବଳଦେବ ପ୍ରସାଦ ବେଦବାକ । ବଳଦେବ କହିଛନ୍ତି,"ବଳରାମ ସିଂ ୟାଦବ ଓ ସେ ବିଜେପିରେ ଥିଲେ ଅଛନ୍ତି ଓ ରହିବେ । ବିଜେପି ପାଇଁ କାମ କରୁଛନ୍ତି କରିବେ । ସେ ଦଳୀୟ ସଂଗଠନ ସୁଦୃଢ଼ ପାଇଁ କାମ କରୁଛନ୍ତି । ଓଲଟା ଜିଲ୍ଲା ସଭାପତିଙ୍କୁ ଦଳୀୟ ସମ୍ବିଧାନ ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କିଏ ପ୍ରକୃତ ବିଜେପି? ରାଜ୍ୟ ସଭାପତି ତୁରନ୍ତ ଏନେଇ ହସ୍ତକ୍ଷେପ କରିବାକୁ ଦାବି ହେଉଛି ।"

ବର୍ତ୍ତମାନ ପୂର୍ବତନ ବିଜେପି ସଭାପତି ବଳଦେବ ବେଦବାକ ଓ ବର୍ତ୍ତମାନର ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ଚର୍ଚ୍ଚା ହେଉଛି । ଉଭୟ ନେତାଙ୍କ ପତିଆରା ଲଢ଼େଇରେ ବଳି ପଡୁଛି ଦଳୀୟ ସଂଗଠନ । ଦ୍ବନ୍ଦ୍ୱକୁ ଚାଲିଯାଉଛନ୍ତି ଦଳୀୟ କର୍ମୀ । ଯାହା କେବଳ ଦଳର କ୍ଷତି ହୋଇପାରେ ବୋଲି ରାଜନୀତି ସମୀକ୍ଷକ ଆକଳନ କରୁଛନ୍ତି । ଉଭୟ ଗୋଷ୍ଠୀର ଏହି ଗୋଷ୍ଠୀ କନ୍ଦଳ ଏବେ ବିଜେଡି ଓ କଂଗ୍ରେସ ପାଇଁ କଙ୍କଡାକୁ ଗୋଳିଆ ପାଣି ସୁହାଏ ପରି ହୋଇଛି। ଉଭୟ ନେତାଙ୍କ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପଡ଼ୁଛି ନା ଲଢେଇ ବଢୁଛି ଏବେ ତାରି ଉପରେ ନଜର । ତେବେ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ବଳରାମ ସିଂ ଯାଦବ ଓ ବଳଦେବ ବେଦବାଗଙ୍କ ବିରୋଧରେ ପୋଲିସକୁ ଦେଇଥିବା ଅଭିଯୋଗପତ୍ର ପ୍ରସଙ୍ଗରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟଯେ ବଳଦେବ ପ୍ରସାଦ ବେଦବାକ ହେଉଛନ୍ତି ଜିଲ୍ଲା ବିଜେପିର ପୂର୍ବତନ ସଭାପତି । ବଳଦେବଙ୍କ ସମୟରେ ଜିଲ୍ଲାରେ ବିଜେପି ସଂଗଠନ ଶକ୍ତି ବୃଦ୍ଧି ମଧ୍ୟ ଆଶା ଜନକ ଭାବେ ହୋଇଥିଲା । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ ବଳଦେବ ଦଳୀୟ ନେତା କର୍ମୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଏପରିକି ପୁରା ଜିଲ୍ଲାରେ ବିଜେପିର ପୋଷ୍ଟର ବ୍ୟାନର ଜରିଆରେ ଆନ୍ଦୋଳନ ବିକ୍ଷୋଭ କରୁଛନ୍ତି । ଲୋକଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ଲଢ଼େଇ କରୁଛନ୍ତି । ଗତ 2017 ମସିହା ପଞ୍ଚାୟତ ନିର୍ବାଚନରେ ବଳଦେବ ବେଦବାକ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ । ରାଜ୍ୟ ନେତୃତ୍ବଙ୍କ ସହଯୋଗରେ ପୁରା ଜିଲ୍ଲାରେ ବିଜେପିକୁ ଶକ୍ତିଶାଳୀ କରିବା ସହିତ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଚଣ୍ଡ ବିଜୟ ବାନା ଉଡ଼ାଇଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.