ETV Bharat / state

ସମ୍ବଲପୁରରେ ଚାଞ୍ଚଲ୍ୟ: ଦୃଶ୍ୟମ ଫିଲ୍ମ ଷ୍ଟାଇଲରେ ହତ୍ୟା, ୪୫ଦିନ ପରେ ସାମ୍ନାକୁ ଆସିଲା ସତ

author img

By

Published : Oct 20, 2022, 7:01 PM IST

ମଦ୍ୟପ ସ୍ବାମୀର ନୃଶଂସ କାଣ୍ଡ, ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ ହତ୍ୟା କରି ମାଟିରେ ପୋତି ଦେଲା ସୈତାନ ସ୍ବାମୀ । ମୃତ୍ୟୁର ୪୫ ଦିନ ପରେ ଉଦ୍ଧାର ହେଲା ମୃତଦେହ । ଅଧିକ ପଢନ୍ତୁ

ସ୍ତ୍ରୀକୁ ହତ୍ୟା କରି ମାଟିରେ ପୋତି ଦେଲା ସ୍ୱାମୀ
ସ୍ତ୍ରୀକୁ ହତ୍ୟା କରି ମାଟିରେ ପୋତି ଦେଲା ସ୍ୱାମୀ

ସମ୍ବଲପୁର: ସ୍ବାମୀ ସ୍ତ୍ରୀର ପବିତ୍ର ସମ୍ପର୍କରେ ରକ୍ତର ଛିଟା, ମଦ୍ୟପ ସ୍ବାମୀ ଘଟାଇଲା ନୃଶଂସ କାଣ୍ଡ । ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା କରି ମାଟିରେ ପୋତିଦେଲା ସୈତାନ ସ୍ବାମୀ । ମୃତ୍ୟୁର ୪୫ ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି, ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଜମେନକିରା ଥାନା ଅଞ୍ଚଳରେ । ଆଜି(ଗୁରୁବାର) ମୃତଦେହ ଉଦ୍ଧାର ପରେ ଅଭିଯୁକ୍ତ ସ୍ବାମୀ ରଞ୍ଜନ ବାଡିଙ୍ଗକୁ ଗିରଫ କରିଛି ପୋଲିସ । ଏଥିସହ ଅଧିକ ତନାଘନା ଚଳାଇଛି ।

ସ୍ତ୍ରୀକୁ ହତ୍ୟା କରି ମାଟିରେ ପୋତି ଦେଲା ସ୍ୱାମୀ

ଘଟଣାଟି ଥିଲା ଏମିତି

ସମ୍ବଲପୁର ଜମେନକିରା ଥାନା ବଡମାଲ ରାଉତପଡାରେ ଗତ ସେପ୍ଟେମ୍ବର ୬ ତାରିଖ ଦିନ ଗାଁରେ କରମା ପୂଜା ଚାଲିଥିଲା । ଏହି ସମୟରେ ରଞ୍ଜନ ବାଡିଙ୍ଗ ମଦ୍ୟପାନ କରି ଘରକୁ ଆସିଥିଲେ। ଏହାପରେ କୌଣସି କାରଣକୁ ନେଇ ସ୍ତ୍ରୀ ସାବିତ୍ରୀ ବାଡିଙ୍ଗଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶେଷରେ ସ୍ୱାମୀ ରଞ୍ଜନ ବାଡିଙ୍ଗ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇ ନଥିଲା । ହତ୍ୟା ପରେ ଅପରାଧ ଲୁଚାଇବାକୁ ଯାଇ ସ୍ତ୍ରୀ ସାବିତ୍ରୀକୁ ଘର ପଛପଟେ ଗାତ ଖୋଳି ମାଟିରେ ପୋତି ଦେଇଥିଲା । ଆଉ ଭାବିଥିଲା ସ୍ତ୍ରୀକୁ ମାଟିରେ ପୋତି ଦେବାପରେ ଏହି ସତ୍ୟ ଆଉ କେବେ ସାମ୍ନାକୁ ଆସିବ ନାହିଁ । ଏଥିପାଇଁ ସାବିତ୍ରୀ ବାପ ଘରକୁ ଯାଇଥିବା ସେ ପଡୋଶୀଙ୍କୁ କହିଥିଲା ।

ଏହା ମଧ୍ୟ ପଢନ୍ତୁ-ସ୍କୁଲରେ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା, ପ୍ରିନ୍ସିପାଲଙ୍କ ଡ୍ରାଇଭର ଗିରଫ

ତେବେ ଏତେ ଦିନ ଧରି ସାବିତ୍ରୀ ଘରକୁ ନଫେରିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢିଥିଲା ଏବଂ ସାବିତ୍ରୀର ବାପ ଘର ଲୋକ ଏନେଇ ଖବର ପାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟାକାଣ୍ଡର ୪୫ ଦିନ ପରେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ପଛପଟ ଏକ ଗାତରୁ ସାବିତ୍ରୀଙ୍କ ଗଳିତ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତ ସ୍ୱାମୀ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ତେବେ କେଉଁ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ମୃତ ମହିଳାଙ୍କ ଦୁଇ ଶିଶୁ ପୁତ୍ର ଥିବା ଜଣାପଡିଛି । ଆଜି ଗ୍ରାମର ମହିଳାମାନେ ପ୍ଲାଗକାର୍ଡ ଧରି ଦୋଷୀକୁ ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.