ETV Bharat / state

ଧନୁଯାତ୍ରା ନେଇ ପ୍ରସ୍ତୁତି ବୈଠକ, ସମ୍ବଲପୁରୀ ଭାଷାରେ କରିବାକୁ ଯୋଜନା

author img

By ETV Bharat Odisha Team

Published : Nov 28, 2023, 12:44 PM IST

Updated : Nov 28, 2023, 1:14 PM IST

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସମ୍ବଲପୁରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସମ୍ବଲପୁର କ୍ରିୟାନୁଷ୍ଠାନ କମିଟି ସମ୍ବଲପୁରୀ ଭାଷାରେ ଧନୁଯାତ୍ରା କରିବାକୁ ଯୋଜନା କରୁଛି । ଅଧିକ ପଢନ୍ତୁ

Dhanuyatra
ଧନୁଯାତ୍ରା ପ୍ରସ୍ତୁତି ବୈଠକ

Dhanuyatra preparation meeting

ସମ୍ବଲପୁର: ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବରଗଡ଼ ଜିଲ୍ଲାର ଧନୁଯାତ୍ରା ବିଶ୍ବ ପ୍ରସିଦ୍ଧ । ସମ୍ବଲପୁରରେ ମଧ୍ୟ ଧନୁଯାତ୍ରା ଆୟୋଜନ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏନେଇ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ସମ୍ବଲପୁରୀ ଭାଷାରେ ଧନୁଯାତ୍ରା କରିବାକୁ ସମ୍ବଲପୁର କ୍ରିୟାନୁଷ୍ଠାନ କମିଟି ଯୋଜନା କରିଛି ।

ରାଜ୍ୟରେ ବରଗଡ଼ ଧନୁଯାତ୍ରା ପ୍ରସିଦ୍ଧ ହୋଇଥିବା ବେଳେ ବରଗଡ଼ ସହିତ ଅନେକ ସ୍ଥାନରେ ଧନୁଯାତ୍ରା ଆୟୋଜନ ହୋଇଥାଏ । ତେବେ ଆଗାମୀ ଦିନରେ ସମ୍ବଲପୁର ସହରରେ ସମ୍ବଲପୁରୀ ଧନୁଯାତ୍ରା ଅନୁଷ୍ଠିତ ହେବ । ଏନେଇ ସମ୍ବଲପୁରୀ ଧନୁଯାତ୍ରା କ୍ରିୟାନୁଷ୍ଠାନ କମିଟି ପ୍ରସ୍ତୁତି ବୈଠକ କରିଛି । ଅନେକ ସମୟରେ ବିଭିନ୍ନ ଯାତ୍ରାମାନଙ୍କରେ ପଶ୍ଚିମ ଓଡିଶାର ଲୋକ ସଂସ୍କୃତିକୁ ଲୋକେ ଭୁଲି ଯାଇ ଯାତ୍ରା ଆୟୋଜନ କରୁଛନ୍ତି । ଧନୁଯାତ୍ରାରେ ପୌରାଣିକ ତଥ୍ୟକୁ ସମ୍ବଳିତ କରାଯାଉଛି ସତ ତେବେ ଅନେକ ପାଶ୍ଚାତ୍ୟ ଓ ଆଧୁନିକ ସଭ୍ୟତାରେ ଅନୁପ୍ରାଣିତ ନୃତ୍ୟ ଓ ଗୀତକୁ ସାମିଲ କରାଯାଉଥିବା ନଜିର ରହିଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସମ୍ବଲପୁରୀ ଧନୁଯାତ୍ରା କ୍ରିୟାନୁଷ୍ଠାନ କମିଟି କହିଛି ।

ସେହି ଦୃଷ୍ଟିରୁ ସମ୍ବଲପୁରରେ ପଶ୍ଚିମ ଓଡିଶାର ସମ୍ବଲପୁରୀ ଲୋକ ସଂସ୍କୃତିକୁ ଗୁରୁତ୍ୱ ଦେଇ ସମ୍ବଲପୁରୀ ଧନୁଯାତ୍ରା ଆୟୋଜନ କରିବା ପାଇଁ କୋମଳ ଲୋଚନ ପଣ୍ଡାଙ୍କର ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ମ୍ୟୁନିସିପାଲିଟି ଛକ ସ୍ଥିତ ସାମ୍ବାଦିକ ଭବନ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସମ୍ବଲପୁରୀ ଧନୁଯାତ୍ରା କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ଏହି ବୈଠକରେ ସମ୍ବଲପୁରୀ ଧନୁଯାତ୍ରାର ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଥିବା ବେଳେ, ଧନୁଯାତ୍ରାରେ ସମସ୍ତ ଅନୁସାଙ୍ଗିକ ବିଷୟ, ସମ୍ବଲପୁରୀ ସଂସ୍କୃତି ଉପରେ ପର୍ଯ୍ୟବେସିତ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ସମ୍ବଲପୁରୀ ଧନୁଯାତ୍ରାରେ ପଶ୍ଚିମ ଓଡିଶାର ୧୩ଟି ଜିଲ୍ଲାର ଲୋକନୃତ୍ୟ ଓ ଲୋକସଂସ୍କୃତିକୁ ସାମିଲ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏହା ବି ପଢନ୍ତୁ...ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା, ଜାନୁଆରୀରୁ 15ରୁ ଦୁଲୁକିବ ବରଗଡ଼

ସମ୍ବଲପୁରୀ ଧନୁଯାତ୍ରା ଆୟୋଜନ ବିଷୟକୁ ନେଇ ଏକ ମହାସଭା ଆସନ୍ତା ନଭେମ୍ବର 30 ତାରିଖ ଦିନ ଆୟୋଜନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ମିଳିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବବଲୁ ବାଗ, ଜୟକୃଷ୍ଣ ବେହେରା, ମୁକ୍ତକଣ୍ଠ ପ୍ରଧାନ, ଗୁଣରଞ୍ଜନ ସାଲିମା, ବିଶ୍ୱଜିତ ପ୍ରଧାନ, ଲଳିତ ବେବର୍ତ୍ତା, ସୁଧୀର ରଞ୍ଜନ ବେହେରା, ଆଦିତ୍ୟ ପୁରୋହିତ, ଚୈତନ୍ୟ ନାୟକ, ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 28, 2023, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.