ETV Bharat / state

ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ହେବ ଗବେଷଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By ETV Bharat Odisha Team

Published : Jan 10, 2024, 7:29 PM IST

Research on Freedom Fighter: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଇତିହାସ ଗବେଷଣା ପରିଷଦ(ICHR) ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଅନାଲୋଚିତ ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Research on Freedom Fighter
ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା

ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀଙ୍କ ସହ ଇତିହାସ ଗବେଷଣା ପରିଷଦ(ICHR) ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏନେଇ ବିଜେପି କ୍ଷେତ୍ରୀୟ ପ୍ରବକ୍ତା ମାନସ ବକ୍ସି କହିଛନ୍ତି, "ସହିଦ ବୀର ଛବିଳ ସାଏଙ୍କ ସମେତ ପଶ୍ଚିମ ଓଡ଼ିଶାର ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା ହେବ । ଦେଶକୁ ସ୍ୱତନ୍ତ୍ରତା ଦେବାରେ ସହିଦ ବୀର ଛବିଳ ସାଏଙ୍କ ସମେତ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀ ମାନଙ୍କର ଭୂମିକା ଏବଂ ସେମାନଙ୍କ ବଳିଷ୍ଠ ଯୋଗଦାନ ଉପରେ ଗବେଷଣା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଭାରତୀୟ ଇତିହାସ ଗବେଷଣା ପରିଷଦ, ଓଡ଼ିଶାର ଇତିହାସ ଗବେଷକ ଏବଂ ନ୍ୟାସନାଲ ବୁକ ଟ୍ରଷ୍ଟ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି ।"

୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶଙ୍କ ଗୁଳିରେ ସହିଦ ହୋଇଥିବା ତୁଙ୍ଗବୀର ଛବିଳ ସାଏ ଏବଂ ୫୭ ଜଣ ସଂଗ୍ରାମୀମାନଙ୍କ ବଳିଦାନ ଉପରେ ଗବେଷଣା କରାଯିବ । ଔପଚାରିକ ଭାବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସେହିପରି କୁଦୋପାଲି ବ୍ୟତିତ ଏହି ମହାନ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିବା ଅନ୍ୟାନ୍ୟ ସ୍ଥାନ ଯଥା ରଇଣ୍ଡା, କୁଲୁଣ୍ଡା, ଗଡ଼ପାଟି, ଝରଘାଟି, ସିଂଘୋଡା, ଚିତାଖାଇ ଆଦିକୁ ମଧ୍ୟ ଏହି ଗବେଷଣାରେ ସାମିଲ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସଂଗ୍ରାମରେ ବୀର ଛବିଳ ସାଏ ଏବଂ ସହିଦ ହୋଇଥିବା ତାଙ୍କର ଅନ୍ୟ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଉପରେ ଅଧ୍ୟୟନ କରିବା ପାଇଁ ଏକ ‘ଗବେଷଣା ପ୍ରକଳ୍ପ’(Research Project) ଆରମ୍ଭ କରିବା ପାଇଁ ଆଇସିଏଚଆରର ଚେୟାରମ୍ୟାନ ପ୍ରଫେସର ରଘୁବେନ୍ଦ୍ର ତନଓ୍ୱାରଙ୍କୁ ପତ୍ର ଲେଖି ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, "ପଶ୍ଚିମ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସମ୍ବଲପୁରରେ ବ୍ରିଟିଶ ଶାସନ ବିରୋଧୀ ଲଢେଇର ସମୃଦ୍ଧ ଇତିହାସ ରହିଛି । ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କଠାରୁ ଆରମ୍ଭ କରି ଅନେକ ସଂଗ୍ରାମୀ ୧୮୫୭ ବିଦ୍ରୋହରେ ଲଢ଼ିବା ସହ ଜାତୀୟ ଆନ୍ଦୋଳନରେ ଭାଗ ନେଇ ଦେଶକୁ ସ୍ୱାଧୀନତା ଦେବା ପାଇଁ ନିଜର ବଳିଦାନ ଦେଇଥିଲେ ।"

ସେ ଆହୁରି ଉଲ୍ଲେଖ କରିଛନ୍ତି, "ବିଦ୍ରୋହ ସମୟରେ କୁଦୋପାଲି ଘାଟିରେ ବୀର ଛବିଳ ସାଏ ଓ ଅନ୍ୟ ୫୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରାଯାଇଥିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ୪ ଜଣ ସଂଗ୍ରାମୀଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଇଥିଲା । ଇଂରେଜମାନେ ୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବୀର ଛବିଳ ସାଏ, ଶ୍ରୀକୃଷ୍ଣ ବେହେରା, ବାମଣ୍ଡା ରାଜ୍ୟ କୁସାଲର କନ୍ଧ ଜମିଦାର, କୋଲାବିରାର କୃଷ୍ଣଚନ୍ଦ୍ର ନାଏକ ସହିଦ ହୋଇଥିଲେ । ଏହାସହ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ ୫ ଜଣ ଯୋଦ୍ଧା ବଳଭଦ୍ର ଦାସ, ପାତ୍ରପାଲିର ଗଉନ୍ତିଆ, କୁଦୋପାଲିର ବାଲକି ଗଣ୍ଡ, ବାଲମୁକୁନ୍ଦ କନ୍ଧ, ଚୁନ୍ଦି କୁଦ, ହାଡୁ ଗଣ୍ଡ ଏବଂ ବୁଦ୍ଧୁ ଗଣ୍ଡ ଏବଂ ଅନେକ ସଂଗ୍ରାମୀଗଣ । ପଶ୍ଚିମ ଓଡ଼ିଶାର ଏହି ବୀରମାନଙ୍କ ଇତିହାସ ଉପରେ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି।"

ଏହା ମଧ୍ୟ ପଢନ୍ତୁ...ପରିଚୟ ପାଇନି ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ 'ସିଂଘାବଗା', ମାନ୍ୟତା ଅପେକ୍ଷାରେ ଗୌନ୍ତିଆ ଗଣେଶ ଉପାଧ୍ୟାୟଙ୍କ ଦାୟାଦ

ସୂଚନା ଅନୁସାରେ, ଗତ ଡିସେମ୍ବର ୩୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ । ICHR ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବା ପାଇଁ ମତ ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.