ETV Bharat / state

ପରିଚୟ ପାଇନି ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ 'ସିଂଘାବଗା', ମାନ୍ୟତା ଅପେକ୍ଷାରେ ଗୌନ୍ତିଆ ଗଣେଶ ଉପାଧ୍ୟାୟଙ୍କ ଦାୟାଦ

author img

By ETV Bharat Odisha Team

Published : Sep 3, 2023, 8:21 PM IST

ଇତିହାସରେ ସ୍ଥାନ ପାଇନି ସ୍ବାଧୀନତା ସଂଗ୍ରାମୀ ଗୌନ୍ତିଆ ଗଣେଶ ଉପାଧ୍ୟାୟଙ୍କ ସଂଘର୍ଷ । ଗୌନ୍ତିଆ ଗଣେଶ ଉପାଧ୍ୟାୟଙ୍କ ଦାୟାଦଙ୍କ ସମେତ ଗ୍ରାମବାସୀ ଏନେଇ ଦୁଃଖ ପ୍ରକାଶ କରିବା ସହ ମାନ୍ୟତା ପାଇଁ ଦାବି କରିଛନ୍ତି। ଅଧିକ ପଢନ୍ତୁ

ଅବହେଳିତ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନ
freedom fighters village neglected

ମାନ୍ୟତା ଅପେକ୍ଷାରେ ଗୌନ୍ତିଆ ଗଣେଶ ଉପାଧ୍ୟାୟଙ୍କ ଦାୟାଦ

ଝାରସୁଗୁଡା: ଅବହେଳିତ ଅବସ୍ଥାରେ ରହିଛି ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନ । ଇତିହାସରେ ସ୍ଥାନ ପାଇନି ସ୍ବାଧୀନତା ସଂଗ୍ରାମୀ ଗୌନ୍ତିଆ ଗଣେଶ ଉପାଧ୍ୟାୟଙ୍କ ସଂଘର୍ଷ । ବ୍ରିଟିଶ ସରକାରକୁ ତଡ଼ିବା ପାଇଁ ବୀର ସୁରେନ୍ଦ୍ର ସାଏଙ୍କ ସହ ହାତ ମିଶାଇଥିଲେ ସିଂଘାବଗା ଗାଁର ଗୌନ୍ତିଆ ଗଣେଶ ଉପାଧ୍ୟାୟ । ଏହି ଗାଁର ଖୁବ ସୁନ୍ଦର ଇତିହାସ ରହିଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରିନାହିଁ । ଇଂରେଜମାନଙ୍କ ସହ ଲଢ଼ିବା ପାଇଁ ରଣକୌଶଳ ଏହି ଗାଁରେ ବସି କରାଯାଉଥିଲା ବୋଲି ଗ୍ରାମବାସୀ । ବୀର ସୁରେନ୍ଦ୍ର ସାଏଙ୍କ ଭଳି ଗଣେଶ ଉପାଧ୍ୟାୟ ମଧ୍ୟ ସ୍ଵାଧୀନତା ସଂଗ୍ରାମରେ ଶହୀଦ ହୋଇଥିଲେ । ଅନ୍ୟପକ୍ଷେ କୁହାଯାଏ, "ବୀର ସୁରେନ୍ଦ୍ର ସାଏଙ୍କ ସମ୍ପତ୍ତି ଏହି ଗାଁରେ ପୋତା ହୋଇଛି ଓ ଦିଲ୍ଲୀରୁ ଏକ ଟିମ୍ ଆସି ଏହାକୁ ନିରକ୍ଷଣ କରିଛନ୍ତି ।"

ସଦର ବ୍ଳକର ଜେମେରା ପଞ୍ଚାୟତ ଅବସ୍ଥିତ ଏହି ସିଂଘବଗା ଗ୍ରାମଟି ୧୦ନଂ ରାଜ୍ୟ ରାଜପଥଠାରୁ ୪ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗ୍ରାମ ଦେଇ ଯାଇଛି ହୀରକୁଦ ଜଳ ଭଣ୍ଡାର । ଏହି ଗ୍ରାମରେ ୯୫% ଆଦିବାସୀ ଓ ହରିଜନ ରହିଥିବାବେଳେ ଏମାନେ ଚାଷ ଓ ହୀରାକୁଦ ଜଳଭଣ୍ଡାରରୁ ମାଛ ମାରି ପରିବାର ପୋଷଣ କରନ୍ତି । ଏଠାରେ ଏବେ ମଧ୍ୟ ରହିଛି ସେହି ସମୟର ମାଁ ସମଲେଶ୍ବରୀଙ୍କ ମନ୍ଦିର । ସେଠାରେ ଗୌନ୍ତିଆ ଗଣେଶ ଉପାଧ୍ୟାୟ ପୂଜାର୍ଚ୍ଚନା କରୁଥିଲେ ବୋଲି କୁହାଯାଏ । ଏହାସହ ମନ୍ଦିର ପ୍ରାଙ୍ଗଣରେ ସଭାସ୍ଥଳ ରହିଥିବାବେଳେ ସେଠାରେ ଏକ ଖମ୍ବ ମଧ୍ୟ ରହିଛି । ସେହିପରି ପୁରାତନ ଅସ୍ତ୍ରଶସ୍ତ୍ର ସମେତ ପ୍ରାସାଦର ଭଗ୍ନାବଶେଷ ମଧ୍ୟ ଏଠାରେ ଦେଖିବାକୁ ମିଳେ ।

ଏହା ବି ପଢନ୍ତୁ...ଚେଇଁଲେ ସରକାର, ବଲାଙ୍ଗୀରର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ମିଳିଲା ମାନ୍ୟତା

ହେଲେ ଦୁର୍ଭାଗ୍ୟର ବିଷୟ, ଇତିହାସ ପୃଷ୍ଠାରେ ହଜିଯାଇଛି ଗୌନ୍ତିଆ ଗଣେଶ ଉପାଧ୍ୟାୟଙ୍କ ସଂଘର୍ଷ । ଅପରପକ୍ଷେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଥିବା ସିଂଘାବଗା ଗ୍ରାମର ଯୋଗୁଁ ଏଠାକୁ ବହୁ ରଙ୍ଗ ବେରଙ୍ଗର ପକ୍ଷୀମାନେ ମଧ୍ୟ ଆସିଥାଆନ୍ତି । ଝାରସୁଗୁଡ଼ା ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାବେଳେ ଏଠାରେ ପ୍ରଦୂଷଣର ମାତ୍ରାଧିକ ରହିଛି । ଝାରସୁଗୁଡା ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଧୂଳି ଧୂଆଁ ଥିବାବେଳେ ସିଂଘାଵଗା ଗାଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଯେଉଁଥିପାଇଁ ବିଦେଶୀ ପକ୍ଷୀମାନଙ୍କ ପାଇଁ ସତେ ଯେମିତି ସ୍ଵର୍ଗ ପାଲଟିଛି ଏହି ଗାଁ। ହେଲେ ଏହି ପକ୍ଷୀଙ୍କ ସ୍ଵର୍ଗ ବର୍ତ୍ତମାନ ବିପଦରେ ଥିବା କୁହାଯାଉଛି ।

ତେଣୁ ଏହାର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି। ଏହାସହ ଗୌନ୍ତିଆ ଗଣେଶ ଉପାଧ୍ୟାୟଙ୍କ ଦାୟାଦ ବିପୁଳ ଉପାଧ୍ୟାୟ କହିଛନ୍ତି, "ଏହି ଗାଁ ଏବଂ ଦେଶର ସ୍ବାଧୀନତା ପାଇଁ ଗୌନ୍ତିଆ ଗଣେଶ ଉପାଧ୍ୟାୟଙ୍କ ବଳିଦାନ ଲୋକ ଲୋଚନକୁ ଆସିବା ଦରକାର । କେବଳ ପରିବାର ପାଇଁ ନୁହେଁ ଦେଶବାସୀଙ୍କ ପାଇଁ ଏହି ଇତିହାସର ସ୍ମୃତିଚାରଣର ଆବଶ୍ୟକତା ରହିଛି ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.