ETV Bharat / state

ଚେଇଁଲେ ସରକାର, ବଲାଙ୍ଗୀରର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ମିଳିଲା ମାନ୍ୟତା

author img

By

Published : Aug 17, 2023, 1:19 PM IST

ସ୍ବାଧୀନତାର 77 ବର୍ଷ ପରେ ସ୍ୱାଧୀନତା ସଂଗ୍ରାମୀ ବୀର ଧରମ ସିଂହ ମାନ୍ଧାତାଙ୍କ ଜନ୍ମସ୍ଥଳୀରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ତାଙ୍କର କର୍ମସ୍ଥଳୀ ଓ ବାସଭବନର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ

77 ବର୍ଷ ପରେ ସ୍ଥାପିତ ହେଲା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି
77 ବର୍ଷ ପରେ ସ୍ଥାପିତ ହେଲା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି

77 ବର୍ଷ ପରେ ସ୍ଥାପିତ ହେଲା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି

ବଲାଙ୍ଗୀର: ବିଳମ୍ବରେ ମନେ ପଡ଼ିଲେ ବଲାଙ୍ଗୀରର ପ୍ରଥମ ସ୍ବାଧୀନତା ସଂଗ୍ରାମୀ । ସ୍ବାଧୀନତାର 77 ବର୍ଷ ପରେ ସ୍ୱାଧୀନତା ସଂଗ୍ରାମୀ ବୀର ଧରମ ସିଂହ ମାନ୍ଧାତାଙ୍କ ଜନ୍ମସ୍ଥଳୀରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ହେଲେ ଏବେ ବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ତାଙ୍କ ବାସ ଭବନ । ଏହି ବୀରଙ୍କ କଥା ସମସ୍ତଙ୍କୁ ଜଣା ଥିଲେ ବି ତାଙ୍କୁ ଇତିହାସରେ ସ୍ଥାନ ଦିଆଯାଇନାହିଁ କିମ୍ବା ତାଙ୍କ ସଂଗ୍ରାମ ଉପରେ ବିଶେଷ ଗବେଷଣା ମଧ୍ୟ ହୋଇନାହିଁ । ସେପଟେ ପାଟଣା ଷ୍ଟେଟ ଗେଜେଟିଅରରେ ତାଙ୍କର ଏହି ବୀର ସଂଗ୍ରାମର ଗାଥା ଲିପିବଦ୍ଧ ହୋଇ ରହିଛି। ସଂଗ୍ରାମୀଙ୍କ ବଳିଦାନକୁ ଅଞ୍ଚଳବାସୀ ମନେ ପକାଇ ତାଙ୍କର କର୍ମସ୍ଥଳୀ ଓ ବାସଭବନର ପୁନରୁଦ୍ଧାର ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ । ଶେଷରେ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିବା ବାସ ଭବନ ଆଗରେ ସ୍ଥାପିତ କରାଯାଇଛି ବୀର ଧରମ ସିଂହଙ୍କ ପ୍ରତିମୂର୍ତ୍ତି । ଲୋଇସିଂହା ବିଧାୟକ ଓ ଏଠାକାର କମିଟିର ପ୍ରଚେଷ୍ଟା କ୍ରମେ ଏହା ସମ୍ଭବ ହୋଇଛି ।


ତେବେ ରାଜା ଅମଳ ସମୟରେ ଧରମ ସିଂହ ମାନ୍ଧାତା ଆଠ ଗାଁର ଜମିଦାର ଥିଲେ । ତାଙ୍କର ଅଦମ୍ୟ ସାହସର ଅନେକ ଗାଥା ଲୋକଙ୍କ ମୁହଁରେ ରହିଛି । ସେ ଏକଦା ପାଟଣା ମହାରାଜାଙ୍କୁ ଆକ୍ରମଣ ଓ ରାଜ୍ୟକୁ ଆକ୍ରମଣ କରିଥିବା ଶତ୍ରୁମାନଙ୍କ ସହ ଲଢ଼ି ନିଜ ରାଜ୍ୟକୁ ଶତ୍ରୁ ମୁକ୍ତ କରିଥିଲେ । ଯାହା ପରେ ତାଙ୍କୁ ତତ୍କାଳୀନ ମହାରାଜ ମାନ୍ଧାତା ଉପାଧିରେ ସମ୍ମାନିତ କରିଥିଲେ । ସେହିପରି ପରବର୍ତ୍ତୀ ସମୟରେ ଅର୍ଥାତ 1850 ରୁ 1856 ମସିହାରେ ସେ ବ୍ରିଟିଶ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ । ସେହି ସମୟରେ ଏଠାକାର ରାଜା ଇଂରେଜଙ୍କ ଏଜେଣ୍ଟ ଭାବରେ ଶାସନ କରିବା ଆରମ୍ଭ କରିଥିଲେ ଏବଂ ପ୍ରଜାଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବଢିଥିଲା ।

ଏହା ବି ପଢନ୍ତୁ...ସ୍ବାଧୀନତା ସଂଗ୍ରାମୀ ଗାଁ ବନପାଲି: ଦେଶ ପାଇଁ ଜୀବନ ଦେଇଥିଲେ ପୂର୍ବଜ, ବଂଶଧରଙ୍କୁ ମିଳୁନି ମୌଳିକ ସୁବିଧା

ଯାହା ପରେ ଧରମ ସିଂହ ଆଦିବାସୀ ଜନଜାତିର ନେତା ଚକ୍ର ବିଶୋଈ ସହିତ ମିଶି ଲଢେଇ ଆରମ୍ଭ କରିଥିଲେ । ହେଲେ 1856 ମସିହାରେ ତାଙ୍କୁ ରାୟପୁର ଇଂରେଜ ସେନା ସହାୟତାରେ ଗିରଫ କରାଯାଇଥିଲା । ପ୍ରଥମେ ତାଙ୍କୁ ରାୟପୁର ଓ ପରେ କଲିକତା ଜେଲରେ ବନ୍ଦୀ କରାଯାଇଥିଲା । ଯାହା ପରେ ତାଙ୍କର ଆଉ ଖୋଜ ଖବର ମିଳି ନଥିଲା । ପରେ ମା' ମାଟି ପାଇଁ ଇଂରେଜ ସହିତ ଲଢ଼ି ସେ ଜେଲରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଥିଲା । ତେବେ ଏହି ସ୍ୱର୍ଣ୍ଣିମ ଇତିହାସ ଓ ତାଙ୍କର ବଳିଦାନ ଆଜ ବି ଏ ମାଟି ଓ ଏଠାକାର ଲୋକେ ଭୁଲି ନାହାନ୍ତି ।

ତେବେ ଦୀର୍ଘ ଦିନର ଦାବି ପରେ ଗତ 2019ରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସି ତାଙ୍କ ସ୍ମୃତିଚାରଣ କରିଥିଲେ । ଏସବୁ ଲୋକଲୋଚନକୁ ଆଣିବା ସହ ତାଙ୍କ ସହ ଜଡ଼ିତ ସ୍ଥାନ ବାସ ଭବନର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାର 4 ବର୍ଷ ପରେ ଏବେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଥିବାବେଳେ ସ୍ବାଧୀନତା ସଂଗ୍ରାମୀଙ୍କ ବାସ ସ୍ଥାନ ଓ କର୍ମ ସ୍ଥାନର ବିକାଶ ପାଇଁ ମଧ୍ୟ ଏମାନେ ଦାବି କରିଛନ୍ତି । ଯେଉଁଥିରେ ବଲାଙ୍ଗୀରର ଜଣେ ବୁଦ୍ଧିଜୀବୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ମଧ୍ୟ ଏହି ଦାବି ଉପସ୍ଥାପିତ କରିଛନ୍ତି । ସେପଟେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, "ଏହି ବୀର ସନ୍ତାନଙ୍କ ମାଟିରେ ଛିଡା ହୋଇ ଆମେ ଗର୍ବିତ । ଆଗକୁ ତାଙ୍କର ବାସ ସ୍ଥାନ ତାଙ୍କ କର୍ମ ସ୍ଥଳୀର ମଧ୍ୟ ବିକାଶ ପାଇଁ ଚେଷ୍ଟା କରାଯିବ। ଧରମ ସିଂହ ମାନ୍ଧାତାଙ୍କ ଉପରେ ଅଧିକ ଗବେଷଣା ମଧ୍ୟ କରାଯିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.