ETV Bharat / state

ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Nov 25, 2023, 8:22 PM IST

ରାୟଗଡ଼ା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Laccmi bus service starts in Rayagada
Laccmi bus service starts in Rayagada

ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍

ରାୟଗଡ଼ା: ଜିଲ୍ଲାରେ ଆଜି ଗଡିଲା ଲକ୍ଷ୍ମୀ ବସ୍ ।‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଓ ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍‌ ଚଳାଚଳ ହେବ । ଏଥିପାଇଁ ୨୯୮ଟି ବସ୍‌ ଷ୍ଟପେଜ ମଧ୍ୟ କରାଯାଇଛି । ଏହି ଯୋଜନା ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, " ଲକ୍ଷ୍ମୀ ବସ୍ ଗାଁକୁ ଗାଁ ସହିତ ଯୋଡିବ । ସାମାଜିକ ସମ୍ପର୍କ ସୁଦୃଢ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜଭୁତ କରିବା ସହ ଯୋଗାଯୋଗ ବିକାଶର ଇଞ୍ଜିନ । ଲକ୍ଷ୍ମୀ ବସ୍ ପିଲାମାନଙ୍କୁ ସ୍କୁଲ ଓ କଲେଜ ସହିତ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବା ସହିତ ରୋଗୀଙ୍କୁ ହସ୍ପିଟାଲ ମଧ୍ୟ ନେବ । ମାଆମାନଙ୍କ ପାଇଁ ଏହା ବିଭିନ୍ନ କାମରେ ମୁଖ୍ୟ ସାରଥୀ ହେବ ।" କାର୍ଯ୍ୟକ୍ରମରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାୟଗଡା ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି । ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଛି ।

ଏହା ବି ପଢନ୍ତୁ- କାଲିଠୁ ରାୟଗଡ଼ାରେ ଗଡିବ ୪୦ଟି 'ଲକ୍ଷ୍ମୀ ବସ୍'

କାର୍ଯ୍ୟକ୍ରମରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ମାର୍ଗଶୀର ମାସ ଲକ୍ଷ୍ମୀ ମାସରେ ମୁଖ୍ୟମନ୍ତ୍ରୀ ରାୟଗଡ଼ାରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରି ଘରେ ଘରେ ଲକ୍ଷ୍ମୀ ପହଞ୍ଚାଇଛନ୍ତି । ଆଜି ଓଡ଼ିଶାରେ ନାରୀମାନେ ସବୁ କ୍ଷେତ୍ରରେ ଆଗରେ ରହୁଛନ୍ତି । ଘରୁ ବିଭିନ୍ନ କାମରେ ବାହାରକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଆଜି ଓଡ଼ିଶାରେ ନାରୀ ସଶକ୍ତିକରଣ ହୋଇପାରିଛି ।" ଏହି କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପରିଚାଳନା କରିଥିଲେ । ଏହି ଅବସରରେ ପାଣ୍ଡିଆନ କହିଥିଲେ, " ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ଜିଲ୍ଲା ଗସ୍ତ କରିଥିଲି । ରାୟଗଡ଼ାରେ ମଧ୍ୟ ଲୋକଙ୍କଠାରୁ ପ୍ରସ୍ତାବ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଜଣାଇବା ପରେ ଜିଲ୍ଲାରେ ଅନେକ ମଠ ମନ୍ଦିର ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଅନୁମୋଦନ ଦେଇଥିଲେ ।"

ରାୟଗଡ଼ା ଜିଲ୍ଲାରେ ୫୨ଟି ବସ୍ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୦ଟି ବସ୍ ଚଳାଚଳ କରିଛି । ୧୩୦ଟି ପଞ୍ଚାୟତ ଏହି ୪୦ଟି ବସ୍ ସେବା ପ୍ରଦାନ କରିବ । ଏହାଦ୍ଵାରା ଲୋକଙ୍କ ଗମନାଗମନ ପାଇଁ ସୁବିଧା ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଏସଡିସି ଅଧ୍ୟକ୍ଷା ଅନୁସୟା ମାଝୀ ଏବଂ ପରିବହନ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.