ETV Bharat / state

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି, ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

author img

By

Published : Jan 14, 2023, 10:03 AM IST

Updated : Jan 14, 2023, 11:48 AM IST

ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ସଂକ୍ରାନ୍ତି ନୀତି ଅନୁଷ୍ଠିତ ହେଉଛି । ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି
ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ସଂକ୍ରାନ୍ତି ନୀତି ଅନୁଷ୍ଠିତ ହେଉଛି । ଆଜି ଭକ୍ତମାନଙ୍କୁ ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ଏହାସହିତ ମହାପ୍ରଭୁ ସ୍ଵତନ୍ତ୍ର ମକର ଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶରେ ଶ୍ରୀଜିଉଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅ ମୂର୍ତ୍ତୀ ଅଳଙ୍କାରରେ ଭୂଷିତ କରାଯାଏ ।

ମଧ୍ୟାନ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳକୁ ମିଶ୍ରିତ କରାଯାଇ ମହାପ୍ରଭୁଙ୍କ ନିକଟରେ ମକର ଭୋଗ ଲାଗି କରାଯାଇଥାଏ। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ପରଠାରୁ ମକର ନୀତି ପାଳନ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡକୁ ଭୋଗମଣ୍ଡପରୁ ଆଣି ସେବାୟତମାନେ ସେଥିରେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏଥିସହିତ ଶ୍ରୀଜିଉଙ୍କୁ ମକର ଚୌରାଶି ବେଶ କରାଯିବା ସହିତ ପ୍ରସ୍ତୁତ ହୋଇଥିବା ମକର ଚାଉଳକୁ ମହାପ୍ରଭୁଙ୍କୁ ଅର୍ପଣ କରାଯଇଥାଏ ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ବାରମାସରେ ତେର ପର୍ବ ପାଳନ ହୋଇଥାଏ ବୋଲି ଲୋକକଥା ରହିଛି । ସେଥିମଧ୍ୟରୁ ମକର ସଂକ୍ରାନ୍ତି ପର୍ବ ଅନ୍ୟତମ । ଆଜି ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି । ମହାପ୍ରଭୁଙ୍କ ମକର ଚାଉଳ ପ୍ରସାଦ ରୂପେ ପାଇବା ପାଇଁ ଭକ୍ତଗହଣରେ ବେଶ୍ ଉତ୍କଣ୍ଠା ଦେଖାଯାଇଛି । ସେପଟେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ନୀତି ଅବସରରେ ବିଭିନ୍ନ ମଠ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରାଯାଏ ।

ଏଥିପାଇଁ ଆଜି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ମନ୍ଦିର ଚଳଚଞ୍ଚଳ ରହିଛି । ସେପଟେ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭକ୍ତମାନେ ଶୃଙ୍ଖଳିତ ଭବେ ପ୍ରଶାସନର ବ୍ୟବସ୍ଥା ଅନୁଯାୟୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।

ପ୍ରକାଶଥାଉ କି, ମକର ସଂକ୍ରାନ୍ତି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାବେ ପାଳନ କରାଯାଏ । ଉତ୍ତର ଭାରତରେ ଲୋହରୀ ଭାବେ ପାଳନ କରୁଥିବାବେଳେ ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ କୁହାଯାଏ ।

ଇଟିଭି ଭାରତ, ପୁରୀ

Last Updated : Jan 14, 2023, 11:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.