ETV Bharat / state

Snana Yatra: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ନିର୍ମାଣରେ ଲାଗିଛନ୍ତି ବେଶ କାରିଗର

author img

By

Published : Jun 2, 2023, 3:25 PM IST

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ମାନବଲୀଳା ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଭକ୍ତଙ୍କୁ ଦୁର୍ଲଭ ହାତୀ ବେଶ ବା ଗଜାନନ ବେଶରେ ଦର୍ଶନ ଦେବେ । ଏଣୁ ଏହି ବେଶ ପ୍ରସ୍ତୁତି କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି ରାଘବ ଦାସ ଓ ଗୋପାଳତୀର୍ଥ ମଠରେ । ଦେଖନ୍ତୁ ଏହି ରିପୋର୍ଟ

Gajanana Besha
Gajanana Besha

Snana Yatra: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ନିର୍ମାଣରେ ଲାଗିଛନ୍ତି ବେଶ କାରିଗର

ପୁରୀ: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଆଦପର୍ବ ସ୍ନାନଯାତ୍ରା । ଚଳିତ ବର୍ଷ ଜୁନ ୪ରେ ଅନୁଷ୍ଠିତ ହେବାକୁ ଯାଉଛି ଆଦ୍ୟ ଯାତ୍ରା ତଥା ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଆଉ ଦୁଇ ଦିନ ପରେ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ଚତୁର୍ଦ୍ଧା ବିଗ୍ରହ । ଏହି ଅବସରରେ ଶ୍ରୀଜୀଉମାନେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ । ତେଣୁ ଏହି ଅବସରରେ ବେଶ ପ୍ରସ୍ତୁତି କାର୍ଯ୍ୟ ଏବେ ରାଘବ ଦାସ ଓ ଗୋପାଳତୀର୍ଥ ମଠରେ ଜୋରସୋରରେ ଆଗେଇ ଚାଲିଛି । ପରମ୍ପରା ଅନୁଯାୟୀ କାରିଗରମାନେ ଗତ ଅକ୍ଷୟ ତୃତୀୟାଠାରୁ ନିଷ୍ଠାର ସହିତ ବେଶ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

ଶେଷ ପର୍ଯ୍ୟାୟରେ ହାତୀବେଶ ପ୍ରସ୍ତୁତି:- ସ୍ନାନବେଦୀରେ ମହାପ୍ରଭୁଙ୍କ ଏହି ହାତୀବେଶ ବା ଗଜାନନ ବେଶ ସବୁଠାରୁ ଆକର୍ଷଣୀୟ ହୋଇଥିବା ବେଳେ ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗରମାନେ ରାଘବ ଦାସ ମଠ ଓ ଗୋପାଳତୀର୍ଥ ମଠରେ ଏହି ବେଶ ବେଶ ନିଷ୍ଠାର ସହ ପ୍ରସ୍ତୁତି କରୁଛନ୍ତି । ଗୋପାଳତୀର୍ଥ ମଠ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ପ୍ରସ୍ତୁତ କରୁଥିବା ବେଳେ ରାଘବଦାସ ମଠ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ତିଆରି କରିଥାନ୍ତି । ଗତ ଅକ୍ଷୟ ତୃତୀୟାଠାରୁ ସୋଲ, ଚିତ୍ରକର, ଦରଜୀ ଓ ରଣା ସେବାୟତମାନେ ହବିଷାନ୍ନ ଗ୍ରହଣ କରି ଅତି ନିଷ୍ଠାର ସହିତ ଏହି ବେଶକୁ ନିର୍ମାଣ କରୁଛନ୍ତି ।



ବ୍ୟବହୃତ ହୁଏ ସମସ୍ତ ପ୍ରାକୃତିକ ଦ୍ରବ୍ୟ:- ବିଶେଷ କରି ଏହି ବେଶ ନିର୍ମାଣ ପାଇଁ ସମସ୍ତ ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରାଯାଏ। ବାଉଁଶ, କଦଳୀ ପଟୁକା, ସୋଲ, ଜରି, ଜମ୍ୱୁରା, କନା ଓ କଇଁଥ ଅଠା ବ୍ୟବହାର କରାଯାଇ ଏହି ବେଶକୁ ବେଶ୍ ଆକର୍ଷଣୀୟ ଭାବେ ନିର୍ମାଣ କରିଥାନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ତରାସ, କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଛତି, କାନ, ଚିତା, ଥୋଡହସ୍ତ, ଅଧର, ତୋରଣା ଓ ଗଜଖୁମ୍ବ ତିଆରି ହେଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ପାଇଁ ତଡକୀ, ନାକୁଆସୀ, ତରାସ, ଛତି, ଚୂଳ ଓ ଚିତା ତିଆରି ହେଉଛି । ସେହିପରି ପ୍ରଭୁ ସୁଦର୍ଶନଙ୍କ ପାଇଁ ସବୁଜ ରଙ୍ଗର ଚକ୍ର, ଚୂଳ ଓ ଓଲାର ତିଆରି ଚାଲିଛି ।

ପ୍ରଭୁ ବଳଭଦ୍ରଙ୍କ ପାଇଁ ଧଳାରଙ୍ଗ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ କଳାରଙ୍ଗର ବେଶ ପ୍ରସ୍ତୁତ କରୁଛନ୍ତି ଶ୍ରୀମନ୍ଦିରର ପାରମ୍ପରିକ ବେଶ କାରିଗରମାନେ ।‌ ପ୍ରାୟ ଏକମାସ ଧରି ଏହି ବେଶ ନିର୍ମାଣ କରିବା ପରେ ଦେବସ୍ନାନ ପୁର୍ଣ୍ଣମୀର ଅପରାହ୍ନରେ ବେଶ କାର୍ଯ୍ୟ ଶେଷ କରାଯାଇ ଏକ ବିରାଟ ପଟୁଆରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ । ମହାପ୍ରଭୁଙ୍କ ହାତୀବେଶ ନିର୍ମାଣ ପାଇଁ ପ୍ରାୟ ୧୦ରୁ ଊର୍ଦ୍ଧ ଶିଳ୍ପୀ ବେଶ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି । ମହାପ୍ରଭୁଙ୍କ ବେଶ ନିର୍ମାଣକୁ ଏକ ସେବା ଭାବେ ଗ୍ରହଣ କରି ଏହି କାରିଗର ମାନେ ନିଜକୁ ଧନ୍ୟ ମନେ କରନ୍ତି ।



ସ୍ନାନପୂର୍ଣ୍ଣିମାର କିମ୍ବଦନ୍ତୀ:- ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀକ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ । ସେ ଭଗବାନ ଗଣେଶଙ୍କର ପରମ ଭକ୍ତ ଥିଲେ । ଏଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ । ଏହାପରେ ସେ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏହି ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.