ETV Bharat / state

ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ପ୍ରସଙ୍ଗ; ରତ୍ନଭଣ୍ଡାର ଖୋଲିଲେ ସରକାର ଭାଙ୍ଗିଯିବ କହିଲେ ଆଇନଜୀବୀ

author img

By

Published : Aug 1, 2023, 9:49 PM IST

ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ରତ୍ନ । ତେଣୁ ଏବେ ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ନଥିବା ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ପ୍ରସଙ୍ଗ
ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ପ୍ରସଙ୍ଗ

ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ପ୍ରସଙ୍ଗ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଶେଷଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରଗୁଡ଼ିକ ହିସାବ କରାଯାଇଥିଲା । ପ୍ରାୟ ଦେଢ଼ କ୍ବିଣ୍ଟାଲ ସୁନା ଓ ୧୮୪ କିଲୋ ରୁପା ରହିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସେହିପରି ରତ୍ନଭଣ୍ଡାର ସୁରକ୍ଷିତ ରହିଛି ଓ ଏହାକୁ ଖୋଲାଯିବା ଏବେ ଆବଶ୍ୟକତା ନଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ତେବେ ଏହି ସତ୍ୟପାଠକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

'ରତ୍ନଭଣ୍ଡାର ଲୁଟ ହୋଇଛି': ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାର ଯେଉଁଭଳି ଅବହେଳା କରୁଛନ୍ତି, ଏହା କୋଟି କୋଟି ଭକ୍ତଙ୍କୁ କଷ୍ଟ ଦେଇଛି ବୋଲି ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ କହିଛନ୍ତି । ସେ କହିଛନ୍ତି, "ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ୧୯୭୮ ମସିହାରେ ଗଣତି ହୋଇଥିବା ବେଳେ ବର୍ତ୍ତମାନର ସ୍ଥିତି ସରକାରନ ଅନୁଧ୍ୟାନ ନକରି କିଭଳି ପୁରୁଣା ରିପୋର୍ଟକୁ ନେଇ ସତ୍ୟପାଠ ଦାଖଲ କଲେ ? ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ହିସାବ ହେବାସହ ରତ୍ନଭଣ୍ଡାର ମରାମତି ହେବ । ଏବେ ଏହି ନିଷ୍ପତ୍ତିକୁ ଏଡ଼ାଇ କିଭଳି ଶ୍ରୀମନ୍ଦିର ପ୍ରଶାସନ କହୁଛି ରତ୍ନ ଭଣ୍ଡାର ସୁରକ୍ଷିତ ରହିଛି ଓ ଏହା ଖୋଲାଯିବା ଆବଶ୍ୟକ ନାହିଁ ? ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଲୁଟ ହୋଇଛି । ଏହା ଜାଣିଥିବାରୁ ବଦନାମ ହେବା ଭୟରେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି ।" ଯଦି ସରକାର ସ୍ବଚ୍ଛ, ତାହେଲେ ରତ୍ନଭଣ୍ଡାର ଖୋଲି ସରକାର ସ୍ବଚ୍ଛତାର ପ୍ରମାଣ ଦିଅନ୍ତୁ ବୋଲି ସୂଚନା ଅଧିକାର କର୍ମୀ କହିଛନ୍ତି ।

'ରତ୍ନଭଣ୍ଡାର ଖୋଲିଲେ ସରକାର ଭାଙ୍ଗିବ': ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀ ରମେଶ ପ୍ରସାଦ ସିଂହ କହିଛନ୍ତି, "କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ଏବେ ଓଡ଼ିଶା ସରକାରଙ୍କ ଉପରେ ସନ୍ଦେହ ଦୃଢୀଭୂତ ହେଲାଣି । ରତ୍ନଭଣ୍ଡାରରୁ ଅଳଙ୍କାର ଲୁଟ ହୋଇଥିବା ସନ୍ଦେହ ବଢୁଥିବା ବେଳେ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲି ସାର୍ବଜନୀନ କରି ସମସ୍ତ ତଥ୍ୟ ଭକ୍ତଙ୍କୁ ଦିଅନ୍ତୁ । ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ବଡ଼ ମନ୍ଦିର ଗୁଡିକର ସମ୍ପତ୍ତି ସାର୍ବଜନୀନ କରାଯାଉଛି । ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ତଥ୍ୟ ଭକ୍ତଙ୍କୁ ଦେବାରେ ରାଜ୍ୟ ସରକାର କାହିଁକି କୁଣ୍ଠା ମନୋଭାବ ରଖୁଛନ୍ତି ? ରତ୍ନ ଭଣ୍ଡାରରୁ ଅଳଙ୍କାର ଲୁଟ ହୋଇ ସାରିଛି ।" ଏହାକୁ ଖୋଲିଲେ ଭକ୍ତଙ୍କ ଆକ୍ରୋଶର ଶିକାର ହେବାସହ ଆସନ୍ତା ନିର୍ବାଚନ ସରକାରଙ୍କୁ ହାରିଯିବାର ଭୟ ରହିଛି ବୋଲି ସରକାର ରତ୍ନଭଣ୍ଡାର ଖୋଲୁ ନଥିବା ବରିଷ୍ଠ ଆଇନଜୀବୀ ରମେଶ ପ୍ରସାଦ ସିଂହ ଅଭିଯୋଗ କରିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...ରତ୍ନଭଣ୍ଡାରରେ ଅଳଙ୍କାର ସୁରକ୍ଷିତ ନାଁ ଅସୁରକ୍ଷିତ, ଶୁଣନ୍ତୁ କଣ କହୁଛନ୍ତି ଆଇନଜୀବୀ

'ଭକ୍ତଙ୍କ ପରେ ହାଇକୋର୍ଟଙ୍କୁ ଭୁଆଁ ବୁଲାଉଛନ୍ତି': ସେହିଭଳି ଜଗନ୍ନାଥ ପ୍ରେମୀ ସୁର୍ଯ୍ୟ ରଥ କହିଛନ୍ତି, "ସରକାର ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ମହାପ୍ରଭୁଙ୍କ କେତେ ରତ୍ନ ଅଳଙ୍କାର ରହିଛି, ସରକାରଙ୍କ ପାଖରେ କିଛି ବି ତଥ୍ୟ ନାହିଁ । କେବଳ ପୁରୁଣା ତଥ୍ୟକୁ ନେଇ କୋର୍ଟଙ୍କୁ ତଥ୍ୟ ଦେଇଛନ୍ତି । ଯେତେବେଳେ ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବାବେଳେ ଏହାର ମରାମତି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଚାବି ହଜିବା ଆଳ କରି ରତ୍ନଭଣ୍ଡାର ଖୋଲି ନଥିଲେ । ଏବେ ରତ୍ନଭଣ୍ଡାର ଭଲ ଥିବା ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ତାହେଲେ ଚାବି ହଜିବା ନାଟକ କାହିଁକି କରିଥଲେ ? ତେବେ କୋଟି କୋଟି ଭକ୍ତଙ୍କୁ ସରକାର ଭୁଆଁ ବୁଲାଇବା ପରେ ହାଇକୋର୍ଟଙ୍କୁ ମଧ୍ୟ ଭୁଆଁ ବୁଲାଇବା ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।" ଏହାକୁ କୋର୍ଟ ହୃଦୟଙ୍ଗମ କରି କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଜଗନ୍ନାଥ ପ୍ରେମୀ ସୁର୍ଯ୍ୟ ରଥ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.