ETV Bharat / state

24ଘଣ୍ଟିଆ ପାନୀୟ ଜଳ ଧୋକା ! ଘର ଆଗରେ ଲାଗିଛି ଟ୍ୟାପ୍, ଆସୁନି ପାଣି

author img

By

Published : Oct 28, 2022, 9:10 PM IST

ପୁରୀ ସହର ଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ଗୋପିନାଥପୁର ପଞ୍ଚାୟତରେ ଲୋକଙ୍କୁ ମିଳୁନି ପାନୀୟ ଜଳ । ଲୋକଙ୍କ ଘର ଆଗରେ ପାନୀୟ ଜଳ ଯୋଗାଣ ପାଇଁ ବର୍ଷେ ପୂର୍ବରୁ ଟ୍ୟାପ୍ ଲାଗିଥିଲେ ମଧ୍ୟ ଆଜି ଯାଏଁ ଏଥିରେ ପାଣି ଆସୁନାହିଁ । ତେବେ ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ଘର ଆଗରେ ଲାଗିଛି ଟ୍ୟାପ୍, ପିଇବାକୁ ମିଳୁନି ପାଣି
ଘର ଆଗରେ ଲାଗିଛି ଟ୍ୟାପ୍, ପିଇବାକୁ ମିଳୁନି ପାଣି

ପୁରୀ: ଘର ଆଗରେ ଲାଗିଛି ଟ୍ୟାପ୍ । ହେଲେ ବିଶୁଦ୍ଧ ପାନୀୟ ଜଳ ଆସିବାର ନା ଗନ୍ଧ ନାହିଁ । ପ୍ରକଳ୍ପକୁ ଦୀର୍ଘ ଏକ ବର୍ଷ ପୁରିଥିଲେ ମଧ୍ୟ ପୁରୀ ସଦର ବ୍ଲକ ଗୋପିନାଥପୁର ପଞ୍ଚାୟତବାସୀ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇପାରିଲେ ନାହିଁ । ଏହି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କାହା ସ୍ବାର୍ଥରେ ଏହି ପ୍ରକଳ୍ପ ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।

ଘର ଆଗରେ ଲାଗିଛି ଟ୍ୟାପ୍, ପିଇବାକୁ ମିଳୁନି ପାଣି

କୁମ୍ଭକର୍ଣ୍ଣ ନିଦ୍ରାରେ ନିର୍ବାହୀ ଯନ୍ତ୍ରୀ

ପୁରୀ ସହର ଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ଗୋପିନାଥପୁର ପଞ୍ଚାୟତରେ ପାନୀୟ ଜଳକୁ ନେଇ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଲୋକଙ୍କ ଘର ଆଗରେ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାପ୍ ଲାଗେଇଛି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ । କିନ୍ତୁ ଏହାରି ମଧ୍ୟରେ ଦୀର୍ଘ ବର୍ଷେ ବିତିଯାଇଥିଲେ ମଧ୍ୟ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଲଟିଛି ସ୍ବପ୍ନ । ସମସ୍ୟା ସମ୍ପର୍କରେ ପୁରୀ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଆଜି ଯାଏଁ ଭାଙ୍ଗୁ ନଥିବା ଅଭିଯୋଗ କରିଛନ୍ତି ଲୋକେ ।

ହରିଲୁଟ ହେଉଛି ଅର୍ଥ !

ଆସନ୍ତା ୨୦୨୪ ମସିହା ପୂର୍ବରୁ ପୁରୀ ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ଗ୍ରାମାଞ୍ଚଳରେ ଲୋକଙ୍କ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଟାର୍ଗେଟ ରଖିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ । ଏଥିପାଇଁ ୫ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ହୋଇଛି । କିନ୍ତୁ ପୁରୀ ଅଠରନଳା ନିକଟରେ ଥିବା ଗୋପିନାଥପୁର ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ନେଇ ହୋଇଥିବା ଅବ୍ୟବସ୍ଥାକୁ ଦେଖିଲେ ଜଣାପଡ଼ୁଛି ଜିଲ୍ଲାରେ‌ ଗ୍ରାମ୍ୟ ଉନ୍ନୟନ ଜଳ ଯୋଗାଣ ବିଭାଗ କିଭଳି କାର୍ଯ୍ୟ କରୁଛି । କିଛି ମୁଷ୍ଟିମେୟ ଠିକାଦାରଙ୍କୁ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରକଳ୍ପ ଆଳରେ ଟେଣ୍ଡର ଦେବା ଫଳରେ ବ୍ୟାପକ ଅର୍ଥ ହରିଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି ।

'ଖୁବଶୀଘ୍ର ହେବ ସମାଧାନ'

ପୁରୀ ସରହର ନିକଟରେ ଏଭଳି ଅବ୍ୟବସ୍ଥାକୁ ଦେଖିଲେ, ଜିଲ୍ଲାରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କେତେ ନିଷ୍ଠାର ସହ କାର୍ଯ୍ୟ କରୁଥିବ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଦୁଃଖର ବିଷୟ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଏହି ବରିଷ୍ଠ ଅଧିକାରୀ ମୋଟା ଅଙ୍କର ଦରମା ନେଉଥିବା ବେଳେ ଲୋକଙ୍କ ସୁବିଧା ପ୍ରତି ଆଖିବୁଜି ଦେବା କେତେ ଦୂର ଠିକ୍ ସେନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଏନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି, "ଗୋପିନାଥପୁର ପଞ୍ଚାୟତରେ ପାନୀୟ ଜଳ ଯୋଗାଣକୁ ନେଇ ଥିବା ସମସ୍ୟା ସମ୍ପର୍କରେ ବିଭାଗ ଅବଗତ ରହିଛି । ଖୁବଶୀଘ୍ର ଏଠାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।"

ଗ୍ରାମାଞ୍ଚଳରେ ପାଇପ ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କେତେକ ଅପାରଗ ଅଧିକାରୀଙ୍କ ଯୋଗୁଁ ଏହାର ସୁବିଧା ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ଏନେଇ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.