ETV Bharat / state

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସୋବ ସମ୍ପନ୍ନ, ଦୋଳିରେ ଝୁଲୁଛନ୍ତି ନନ୍ଦଲାଲା

author img

By ETV Bharat Odisha Team

Published : Sep 7, 2023, 1:01 PM IST

Updated : Sep 7, 2023, 5:45 PM IST

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସୋବ ଶେଷ ହେବା ପରେ ଆଜି ନନ୍ଦୋତ୍ସବ ଆରମ୍ଭ ହୋଇଯାଇଛି । କୁନି ଗୋପାଳଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଅଧିକ ପଢନ୍ତୁ

Sakhigopal temple
Sakhigopal temple

ଦୋଳିରେ ଝୁଲୁଛନ୍ତି ନନ୍ଦଲାଲା

ସାକ୍ଷୀଗୋପାଳ: ପବିତ୍ର ଜନ୍ମଷ୍ଟମୀ ଅବସରରେ ଉତ୍ସବ ମୁଖର ଗାଁଠୁ ସହର । ମନ୍ଦିର ଠାରୁ ଆରମ୍ଭ କରି ଘରେ ଘରେ ଗୁଞ୍ଜରିତ ହେଉଛି କୃଷ୍ଣଙ୍କ ନାମ । ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସୋବ ପରେ ଆଜି ନନ୍ଦୋତ୍ସବ ଆରମ୍ଭ ହୋଇଯାଇଛି । ଦୋଳିରେ ଝୁଲି ଝୁଲି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କୃଷ୍ଣ । ବୁଧବାର ମନ୍ଦିର ପରିସରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସୋବ ଅବସରରେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ବିଶ୍ବଶାନ୍ତ ଯଜ୍ଞ ଅନୁଷ୍ଠିତ ହୋଇଯାଇଥିଲା ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ପାରମ୍ପରିକ ରୀତିନୀତିରେ ବୁଧବାର ବିଳମ୍ଵିତ ରାତିରେ ମନ୍ଦିରରେ ପାଳିତ ହୋଇଯାଇଥିଲା । ବୀରକେଶରୀ ବଲ୍ଲଭ ପରେ ଅଧିବାସ କରାଯାଇ ସୁଗନ୍ଧିତ ଜଳକଳସ ସ୍ଥାପନ କରାଯାଇଥିଲା । ପରେ ଦ୍ୱିପହର ଧୂପରେ ଠାକୁର ନୂତନ ବସ୍ତ୍ର, ଚନ୍ଦନ, ତୁଳସୀ ଲାଗି ହେବା ପରେ ଉପଚାର ଓ ଆଳତି ହୋଇଥିଲା । ଗୋଧନବାହୁଡା ଭୋଗ ସଂଧ୍ୟା ଧୂପ, ବଡ ସିଂହାର ଧୂପ ପରେ ଗର୍ଭଗୃହରେ ଭଦ୍ରମଣ୍ଡଳ ପକାଯାଇ ଶ୍ରୀକୃଷ୍ଣ ଜନ୍ମବିଧି ଆରମ୍ଭ ହୋଇଥିଲା ।

ମନ୍ଦିର ପୁରୋହିତ ଗୋପିନାଥ ଦାଶ, ପୁରାଣ ପଣ୍ଡିତ ରାଜ କିଶୋର ମହାପାତ୍ର, ପୂଜାପଣ୍ଡା ବିଜୟ ମହାପାତ୍ର ଓ ସିଂହାରୀ ଅଶୋକ ଖୁଣ୍ଟିଆ ଜନ୍ମବିଧି ପାଳନ ଦେବନୀତି ସମ୍ପନ୍ନ କରିଥିଲେ । ଏହାପରେ ଶ୍ରୀକୃଷ୍ଣ ମଧ୍ୟ ରାତ୍ରରେ ଜନ୍ମ ହେବା ପରେ ବସୁଦେବ ସେବକ କୌଶିକ ମହାପାତ୍ର ନିଶାର୍ଦ୍ଧର ଅନ୍ଧକାର ଭିତରେ ନବଜାତ ଶ୍ରୀକୃଷ୍ଣଙ୍କୁ ରୂପାର ପିଙ୍ଗଳରେ ବସାଇ ମନ୍ଦିର ବେଢାରେ ପ୍ରସ୍ତୁତ ହୋଇଥିବା କୃତିମ ଜମୁନା ନଦୀ ପାର ହୋଇଥିଲେ । ଶ୍ରୀକୃଷ୍ଣ ବର୍ଷାରେ ଓଦା ନହେବା ପାଇଁ କାଳିସର୍ପ ଫେଣା ଟେକି ରଖିଥିଲେ ଭଣ୍ଡାର ଦାୟିତ୍ଵରେ ଥିବା ମେକାପ ।

ଏହା ମଧ୍ୟ ପଢନ୍ତୁ-ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ଜିଲ୍ଲା, ପରିତ୍ୟକ୍ତ ଅବସ୍ଥାରେ ପ୍ରାଚୀନ ଗୋପାଳଜୀ ମନ୍ଦିର

ସେହି ସମୟରେ ଉଗ୍ରସେନ କିଏ ରାତ୍ରରେ ଏଠାରେ ବିଚରଣ କରୁଛି କହି ଚିତ୍କାର କରି ଡରାଇଥିଲେ । ପରେ ବସୁଦେବଙ୍କ ମୁଖରୁ ନାରାୟଣ ନାରାୟଣ ଶୁଣି ପ୍ରଭୁଙ୍କୁ ଦେଖି ସାଷ୍ଟ୍ରାଙ୍ଗ ପ୍ରଣିପାତ ହୋଇଯାଇଥିଲେ ଉଗ୍ରସେନ। ଏହାପରେ ମଶାଲ ଜଳାଇବା ସହ ଘଣ୍ଟ, ବୀରକାହାଳୀ, ତେଲିଙ୍ଗି ବାଜା ଓ ମହୁରୀ ବଜାଇ ଶିଶୁକୃଷ୍ଣଙ୍କୁ ମନ୍ଦିରକୁ ବିଜେ କରାଯାଇଥିଲା । ଠାକୁର ବିଜେ କରିବା ସମୟରେ ଅନ୍ଧକାର ହୋଇଥିବା ମନ୍ଦିରକୁ ଆଲୋକିତ କରାଯାଇଥିଲା । ପରେ ଲକ୍ଷ୍ମୀ ଭଣ୍ଡାର ସମ୍ମୁଖରେ ମଣ୍ଡଣୀ ସୁଆଁ ସିଆଁ ସେବକଙ୍କ ଦ୍ବାରା ପ୍ରସ୍ତୁତ ଦୋଳିରେ ବସାଇ ପ୍ରଥମେ କ୍ଷୀର ପାନ, କର୍ଣ୍ଣବେଧ ଓ ନୂତନ ଯଜ୍ଞ ପବିତ ଧାରଣ କରାଯାଇଥିଲା । ଉଗ୍ରେସନ ସେବା ଆପଟ ସେବକ ଗୋପାଳ ପଟ୍ଟନାୟକ ତୁଲାଇଥିଲେ । ଦୋଳାୟମାନ ଶିଶୁ କୃଷ୍ଣଙ୍କୁ କୋରାଭୋଗ କରାଯାଇଥିଲା । ଆଜି ନନ୍ଦୋତ୍ସବରେ ଶିଶୁ କୃଷ୍ଣ ଦୋଳିରେ ଝୁଲିବା ସହ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।

ଇଟିଭି ଭାରତ, ପୁରୀ

Last Updated : Sep 7, 2023, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.