ETV Bharat / state

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ: ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ, ନାକେଦମ୍ ଅଗ୍ନିଶମ ବାହିନୀ

author img

By

Published : Mar 9, 2023, 10:09 AM IST

Updated : Mar 9, 2023, 2:16 PM IST

୧୨ ଘଣ୍ଟା ପରେ ବି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲିଭୁନି ନିଆଁ । ନିଆଁ ଆୟତ୍ତ କରିବାକୁ ନାକେଦମ୍ ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ
ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ

ପୁରୀ: ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା । ୧୨ ଘଣ୍ଟା ପରେ ବି ଆୟତ୍ତ ହୋଇପାରୁନି ନିଆଁ । ବରଂ ନିଆଁ ବ୍ୟାପିବାରେ ଲାଗିଛି । ତଳ ମହଲାରୁ ଏବେ ନିଆଁ ଦ୍ବିତୀୟ ମହଲାକୁ ବ୍ୟାପିଛି । ଦ୍ବିତୀୟ ମହଲାରେ ଏକ ବ୍ୟାଙ୍କ୍‌ ଓ ଦୋକାନ ରହିଛି । ଦୀର୍ଘ ସମୟ ବିତିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛି ପୁରୀ ଅଗ୍ନିଶମ ବାହିନୀ । ଯୁଆଡେ ଚାହିଁଲେ ଖାଲି ଧୂଆଁମୟ ପରିବେଶ ଦେଖାଯାଉଛି ।

ସୂଚନା ମୁତାବକ, ଗତକାଲି ରାତିରେ ୮ଟାରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଯାଇଥିଲା । ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ୧୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ହେଁ ଏହାକୁ ଆୟତ୍ତ କରିବାରେ ସଫଳ ହୋଇନାହାନ୍ତି । ଫଳରେ ବୁଧବାର ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ନିଆଁ ଜଳୁଛି । ତେଣୁ ଏବେ ଭୁବନେଶ୍ବରରୁ ଅଗ୍ନିଶମ ବାହିନୀର ଏକ୍ସପର୍ଟ ଟିମ୍ ଆସି ପହଞ୍ଚିଥିବା ଖବର ମିଳିଛି ।

ତେବେ ଅଗ୍ନିକାଣ୍ଡକୁ ଆୟତ୍ତ ନକରିପାରିବାର ମୁଖ୍ୟ କାରଣ ଅଣଓସାରିଆ ରାସ୍ତା ବୋଲି କୁହାଯାଇଛି । କାରଣ ଏହି ରାସ୍ତା ଦେଇ ଅଗ୍ନିଶମ ବାହିନୀ ମାର୍କେଟ କମ୍ପ୍ଲେକ୍ସ ଭିତରେ ପହଞ୍ଚି ପାରୁନି ଓ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚ ନିଆଁ ଲିଭାଇ ପାରୁନି । ଯେଉଁ କାରଣରୁ ନିଆଁ ତଳ ମହଲାରୁ ଉପର ମହଲାରେ ଥିବା ଅନ୍ୟାନ୍ୟ ଦୋକାନକୁ ବ୍ୟାପି ଯାଇଛି । ଭିତରୁ ପ୍ରଚୁର ମାତ୍ରାରେ ଧୂଆଁ ବାହାରୁଥିବାରୁ ଭିତରକୁ ପଶି ହେଉନି ।

ପ୍ରଥମେ ତଳ ମହଲାରେ ଏକ ଡ୍ରେସ ଦୋକାନରେ ନିଆଁ ଲାଗିଥିଲା । ପରେ ବିଭିନ୍ନ ପ୍ରାସଧନ ସାମଗ୍ରୀ ଦୋକାକ, ଚପଲ, ପ୍ଲାଷ୍ଟକ ଦୋକାନକୁ ବ୍ୟାପିଥିଲା । ଏହି ଅଗ୍ନିକାଣ୍ଡରେ ଜଣେ ସାମାନ୍ୟ ଆହତ ହୋଇଥିବାବେଳେ ଚିକିତ୍ସା ପରେ ସେ ପୁରା ଠିକ୍ ଥିବା ଜଣାପଡିଛି । ବର୍ତ୍ତମାନ ପୁରୀ ଏସ୍‌ପି ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରୁଛନ୍ତି । ଆଉ ୩ରୁ ୪ ଘଣ୍ଟା ଭିତରେ ନିଆଁ ଆୟତ୍ତ ହୋଇଯିବ ବୋଲି ସେ ଅନୁମାନ କରୁଛନ୍ତି । ଅନ୍ୟପଟେ ବଡଦାଣ୍ଡରେ ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତମାନେ ଯେଭଳି କୌଣସି ଅସୁବିଧା ନଭୋଗନ୍ତି ସେନେଇ ସ୍ବତନ୍ତ୍ର ଟ୍ରାଫିକ ବ୍ୟାବସ୍ଥା ଗ୍ରହଣ କରାଯାଇଛି । ଅଗ୍ନିଶମ ବାହିନୀ ଗାଡ଼ି ଭଲ ଭାବେ ଚଳପ୍ରଚଳ କରିବା ପାଇଁ ମାର୍କେଟ ଛକରୁ ସମସ୍ତ ଗାଡି ପ୍ରବେଶ ନିଷେଧ କରାଯାଇଛି ।

ଗତକାଲି ହୋଲିରେ ସବୁ ଦୋକାନ ବନ୍ଦ ଥିବାରୁ ଏକ ବଡ ଅଘଟଣ ଟଳି ଯାଇଥିବା କୁହାଯାଉଛି । ସାଧାରଣତଃ ଦିନବେଳା ଅଗ୍ନିକାଣ୍ଡ ଘଟିଥିଲେ ବ୍ୟାପକ ଧନଜୀବନ ହାନି ହେବାର ଆଶଙ୍କା ରହିଥିଲା । ପ୍ରକାଶଥାଉ କି, ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଗୋଟିଏ ପ୍ରବେଶ ଦ୍ବାର ଓ ସେହିବାଟେ ହିଁ ପ୍ରସ୍ଥାନ ଦ୍ବାର ରହିଛି । ଯାହାକି ଅତି ସଂକୀର୍ଣ୍ଣ । କମ୍ଲେକ୍ସର ଚାରିପଟେ ଖାଲି ଜାଗା ନାହିଁ । ନିଜର ପାର୍କିଂ ବ୍ୟବସ୍ଥା ମଧ୍ୟ ନାହିଁ ।

ସବୁ ମାର୍କେଟ କମ୍ଲେକ୍ସର ଏକାଧିକ ପ୍ରବେଶ ପ୍ରସ୍ଥାନ ଦ୍ବାର ସହ ନିଜର ପାର୍କିଂ ବ୍ୟବସ୍ଥା ପାଇଁ ନିୟମ ରହିଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ତେଣୁ ଏହି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସକୁ କିଭଳି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟିକ ଅନୁମତି ପ୍ରଦାନ କରାଗଲା ସେନେଇ ପ୍ରଶ୍ନ ଉଠିଛି । ଏହା ପଛରେ ପ୍ରଶାସନର କିଛି ବଡ ଅଧିକାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ପୁରୀ ସହରରେ ଥିବା ଏହିଭଳି ବେଆଇନ ସପିଂ କମ୍ପ୍ଲେକ୍ସ ବିରୋଧରେ କଡା ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Mar 9, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.