ETV Bharat / state

ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Jan 17, 2024, 7:49 AM IST

Srimandir Parikrama Project inauguration: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିପାଇଁ ଉତ୍ସବ ମୁଖରିତ ରହିଛି ଶ୍ରୀକ୍ଷେତ୍ର । ଅଧିକ ପଢନ୍ତୁ

Parikrama Project inauguration
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ପୁରୀ: ଶ୍ରୀକ୍ଷେତ୍ର ଇତିହାସରେ ଆଜି ଯୋଡିହେବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏହାରି ସହିତ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି । ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ସମଗ୍ର ଶ୍ରୀକ୍ଷେତ୍ର । ଲୋକାର୍ପଣ ଉତ୍ସବର ସାକ୍ଷୀ ହେବାରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ପୁରୀକୁ । ମନ୍ତ୍ର ଧ୍ବନି ଓ ବେଦପାଠ ସହ ସବୁକିଛି ଜଗନ୍ନାଥମୟ ରହିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଗତ 15 ତାରିଖରୁ ଆରମ୍ଭ ହୋଇଥିବା ମହାଯଜ୍ଞ ଆଜି ପୂର୍ଣ୍ଣାହୁତି ହେବ । ଆଚାର୍ଯ୍ୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ଲୋକାର୍ପଣ ଉତ୍ସବ କିଭଳି ସଫଳ ହୋଇପାରିବ ସେନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଥିବା ବେଳେ ନିମନ୍ତ୍ରିତ ଅତିଥିମାନେ ଆସି ପୁରୀରେ ପହଞ୍ଚି ସାରିଛନ୍ତି । ସେହିପରି ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ଏବଂ ଶ୍ରୀମାର୍ଗ ରାସ୍ତା ମଧ୍ୟ ଭକ୍ତଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ: ଆଜି ପୌଷ ଶୁକ୍ଳ ସପ୍ତମୀରେ ସକାଳୁ ପ୍ରଥମେ ସୂର୍ଯ୍ୟପୂଜା ପରେ ମହାଯଜ୍ଞ, ବେଦ ପାରାୟଣ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଅପରାହ୍ଣ 1ଟା 20ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ । ପରେ ଯଜ୍ଞ ପୂର୍ଣ୍ଣାହୁତିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୁରକ୍ଷା ଦାୟିତ୍ବରେ 80 ପ୍ଲାଟୁନ ଫୋର୍ସ: ସମଗ୍ର ଉତ୍ସବ ସ୍ଥଳୀ ସହିତ ପୁରୀ ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ସୁରକ୍ଷା ଦାୟିତ୍ବରେ । ଏଥିସହ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୨୫୦ ଜଣ ସବ୍ ଇନ୍ସପେକ୍ଟର, ଚାରୋଟି ବୋମା ନିଷ୍କ୍ରିୟକାରୀ ଟିମ୍, ତିନୋଟି ଅତ୍ୟାଧୁନିକ K9 ସିକ୍ୟୁରିଟି ଟିମ୍, ସାଧା ପୋଷାକଧାରୀ ପୋଲିସ୍ ସହ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

ଏହା ମଧ୍ୟ ପଢନ୍ତୁ: ଫଟୋରେ ଖବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ, ଝଟକୁଛି ଶ୍ରୀକ୍ଷେତ୍ର

ପାସ୍‌ ଧାରୀଙ୍କୁ ଯଜ୍ଞସ୍ଥଳୀକୁ ଅନୁମତି: ସେହିପରି ସଭାସ୍ଥଳକୁ ଏବଂ ଯଜ୍ଞ ସ୍ଥଳୀକୁ କେବଳ ପାସ୍ ଧାରି ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ରହିବ । ତେବେ ସଭାସ୍ଥଳୀରେ ୯୦୦ ଅତିଥି ବସିବା ଭଳି ବ୍ୟବସ୍ଥା କରାଯାଇଛି । ଯଜ୍ଞ ସ୍ଥଳୀକୁ କେବଳ ପୂଜାରେ ନିୟୋଜିତ ଥିବା ପୂଜକ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରବେଶ ପାଇଁ ଅନୁମତି ରହିବ । ପୋଲିସ ଡ଼ିଜି ଅରୁଣ ଷଡଙ୍ଗୀ ହେଲିପ୍ୟାଡ୍, ଶ୍ରୀସେତୁ, ସମଙ୍ଗ ପାର୍କିଂ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର, ଶ୍ରୀମାର୍ଗ, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅଭ୍ୟର୍ଥନା କେନ୍ଦ୍ର ସହ ଶ୍ରୀମନ୍ଦିର ଚାରିପାଖର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଧାରଣ ଭକ୍ତଙ୍କର ଯେଭଳି ଅସୁବିଧା ନହୁଏ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ ପ୍ରଶାସନ ।

ଟ୍ରାଫିକ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ଡିଜିପି କହିଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉତ୍ସବ ସ୍ଥଳୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ । ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ ପାଇଁ ଫେସ୍ ରିଡିଙ୍ଗ କ୍ୟାମେରା ମଧ୍ୟ ପୋଲିସ ପକ୍ଷରୁ ସ୍ଥାପନ କରାଯାଇଛି । ଏଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ସମ୍ପୂର୍ଣ୍ଣ ପୋଲିସ ଛାଉଣୀରେ ପରିଣତ କରାଯାଇଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.