ପିପିଲିରେ ଶିକ୍ଷକ ଆନ୍ଦୋଳନକୁ BJP ମୁଖପାତ୍ର ସମ୍ବିତଙ୍କ ସମର୍ଥନ, ବିଧାନସଭାରେ ଦାବି ଉଠାଇବାକୁ ଦେଲେ ପ୍ରତିଶ୍ରୁତି

ପିପିଲିରେ ଶିକ୍ଷକ ଆନ୍ଦୋଳନକୁ BJP ମୁଖପାତ୍ର ସମ୍ବିତଙ୍କ ସମର୍ଥନ, ବିଧାନସଭାରେ ଦାବି ଉଠାଇବାକୁ ଦେଲେ ପ୍ରତିଶ୍ରୁତି
ପୁରୀ ଜିଲ୍ଲା ପିପିଲି ବିଇଓ କାର୍ଯ୍ୟାଳୟରେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କ ସଂଘକୁ ସମର୍ଥନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଅଧିକ ପଢନ୍ତୁ
ପୁରୀ: ଆନ୍ଦୋଳନରତ ଶିକ୍ଷକଙ୍କ ସମର୍ଥନରେ ସମ୍ବିତ ପାତ୍ର । ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ପୁରୀ ଜିଲ୍ଲା ପିପିଲିରେ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ସହ ଆଲୋଚନା କରିବା ସହ ପିପିଲି ବିଇଓ କାର୍ଯ୍ୟାଳୟରେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କ ସଂଘକୁ ସମର୍ଥନ କରିଛନ୍ତି । ଶିକ୍ଷକମାନଙ୍କ ଦାବି ବିଧାନସଭାରେ ଉପସ୍ଥାପନ କରାଯିବାର ପ୍ରତିଶୃତି ଦେଇଛନ୍ତି ସମ୍ବିତ ।
ନିର୍ବାଚନ ପାଖେଇ ଆସୁଥିବା ବେଳେ କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ପୂର୍ବ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢି ଅଳ୍ପକେ ପରାସ୍ତ ହୋଇଥିବା ସମ୍ବିତ ଏବେ ପିପିଲିରେ ବିଭିନ୍ନ ସମସ୍ୟାକୁ ନେଇ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ଭେଟୁଛନ୍ତି । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପିପିଲି ବିଇଓ କାର୍ଯ୍ୟାଳୟରେ ପହଞ୍ଚି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ସଂଘ ସହିତ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ଶିକ୍ଷକମାନଙ୍କ ଦାବି ବିଧାନସଭାରେ ଉପସ୍ଥାପନ କରାଯିବାର ପ୍ରତିଶ୍ରୃତି ଦେଇଥିଲେ ସମ୍ବିତ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସହିତ ଆଲୋଚନା କରି ଶିକ୍ଷକ ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରାଯିବ କହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ 'ମୋ ମାଟି ମୋ ଦେଶ' ପାଇଁ ମାଟି ସଂଗ୍ରହ କରିଥିଲେ ସମ୍ବିତ ପାତ୍ର ।
ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସମ୍ବିତ ପାତ୍ର କହିଛନ୍ତି,'' ଶିକ୍ଷକ ହେଉଛନ୍ତି ସମାଜର ମୂଳ ସ୍ତମ୍ଭ । ଯଦି ଶିକ୍ଷର ପ୍ରସନ୍ନ ରହିବେ ସେମାନଙ୍କୁ କାମ କରିବାକୁ ଭଲ ପରିବେଶ ମିଳିବ ତେବେ ଆମେ ଦେଶ ରାଜ୍ୟ ଆଗକୁ ବଢିବ । ପିପିଲି ଅଞ୍ଚଳରେ ଶିକ୍ଷକମାନେ ଯେଉଁ ଦାବି କରିଛନ୍ତି ତାହା ଶୁଣିଛି । ସେ ସବୁକୁ ବିଧାନସଭାରେ ସମସ୍ତ ଦାବିକୁ ଉଠାଇବି । ଶିକ୍ଷକମାନଙ୍କ ବିଷୟରେ ଚର୍ଚ୍ଚା ହେବା ଆବଶ୍ୟକ । ହଜାର ହଜାର ଶିକ୍ଷକଙ୍କୁ ଉପଯୁକ୍ତ ଦରମା ମିଳୁନଥିବା ବେଳେ ଅନେକ ଠିକାରେ କାର୍ଯ୍ୟ କରୁଛନ୍ତି । ତେବେ ଶିକ୍ଷକଙ୍କ ସମସ୍ୟା ସମାଧାନ ଦାବିକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ । ଅନେକ ଦିନରୁ ଶିକ୍ଷକମାନେ ଦାବି କରି ଆସୁଛନ୍ତି ହେଲେ ତାହା ପୂରଣ କରା ଯାଇନାହିଁ । ଏହା ଦୁର୍ଭାଗ୍ୟଜନକ ।''
ପ୍ରକାଶ ଥାଉ କି, ଆଜିଠୁ (ବୁଧବାର) ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ । ସମସ୍ତ ବିଇଓ କାର୍ଯ୍ୟାଳୟରେ ଧାରଣା ଦେବେ ପ୍ରାଥମିକ ଶିକ୍ଷକ । ବିଭିନ୍ନ ଦାବି ପୂରଣ ନେଇ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ମୁଖ୍ୟମନ୍ତ୍ରୀ ନଜେ ହସ୍ତକ୍ଷେପ କରି ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ।
ଇଟିଭି ଭାରତ, ପୁରୀ
