ETV Bharat / state

5T ସଚିବଙ୍କୁ କାଳିମାଡ଼ ନେଇ ବାକ୍‌ ଯୁଦ୍ଧ; ବିଜେପି-ବିଜେଡି ଦୋଷ ଲଦାଲଦି, କାହା କ୍ୟାମ୍ପର ଭାସ୍କର ?

author img

By

Published : Aug 19, 2023, 9:35 PM IST

5T ସଚିବଙ୍କୁ କାଳିମାଡ଼ ଘଟଣା ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ଏହି ଘଟଣା ପାଇଁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସିଧାସଳଖ ବିଜେପିକୁ ଦୋଷ ଦେଇଥିବାବେଳେ ଘଟଣା ପଛରେ ବିଜେଡିର ଅନ୍ତଃକନ୍ଦଳ ରହିଥିବା କହିଛନ୍ତି ବିଜେପି ନେତା ଓମ ପ୍ରକାଶ ମିଶ୍ର । ଅଧିକ ପଢ଼ନ୍ତୁ

5T ସଚିବଙ୍କୁ କାଳିମାଡ଼ ନେଇ ବିଜେପି-ବିଜେଡି ମୁହାଁମୁହିଁ
5T ସଚିବଙ୍କୁ କାଳିମାଡ଼ ନେଇ ବିଜେପି-ବିଜେଡି ମୁହାଁମୁହିଁ

5T ସଚିବଙ୍କୁ କାଳିମାଡ଼ ନେଇ ବିଜେପି-ବିଜେଡି ମୁହାଁମୁହିଁ

ପୁରୀ: ସତ୍ୟବାଦୀରେ 5T ସଚିବଙ୍କୁ କାଳିମାଡ଼ ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ବାକ୍‌ଯୁଦ୍ଧ । ଏହି ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି । ଏହି ଘଟଣାରେ ବିଜେପିକୁ ସିଧାସଳଖ ଦୋଷାରୋପ କରିଛି ବିଜେଡି । କାଳିମାଡ଼ ପଛରେ ବିଜେପିର ହାତ ରହିଛି, ଏବଂ କାଳିମାଡ଼ କରିଥିବା ବ୍ୟକ୍ତି ବିଜେପି ସମର୍ଥିତ ବୋଲି କହିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେପଟେ 5T ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କରିବା ସହ ଶାସକ ଦଳର ଅଭିଯୋଗ ଭିତ୍ତିହୀନ ଏବଂ ସେ ସେହି ବ୍ୟକ୍ତି ବିଜେପିର ନୁହେଁ ବୋଲି କହିଛନ୍ତି ସତ୍ୟବାଦୀ ବିଜେପି ନେତା ଓମ ପ୍ରକାଶ ମିଶ୍ର ।

5T ସଚିବଙ୍କୁ କାଳିମାଡ଼ ଘଟଣାରେ ବିଜେପିକୁ କାଠଗଡ଼ାକୁ ଆଣିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେ କହିଛନ୍ତି, "ବିଜେପି ଷଡ଼ଯନ୍ତ୍ର କରି କାଳିମାଡ଼ କରିଛି । କାଳିମାଡ଼ କରିଥିବା ବ୍ୟକ୍ତି ହେଉଛନ୍ତି ବିଜେପି ସମର୍ଥିତ ବ୍ୟକ୍ତି । ବିକାଶ କାର୍ଯ୍ୟକୁ ବିରୋଧ କରି ଏଭଳି କୁତ୍ସିତ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ । ସତ୍ୟବାଦୀ ମାଟି ହେଉଛି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମାଟି । ଏହା ଅହିଂସାର ମାଟି । ଏଠାରେ ବିଜେପି ରାଜନୀତି ନାଁରେ ଯେଭଳି ହିଂସାତ୍ମକ କାର୍ଯ୍ୟ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ତେବେ ବିଜେପିର ଏହି ହୀନ ରଜିନୀତି ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ରୋକ୍ ଲାଗିବ ନାହିଁ । କାଳିମାଡ଼ ପରେ ବି 5T ସଚିବ କୌଣସି ବିଚଳିତ ନହୋଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଯାହାକି ପ୍ରମାଣିତ କରୁଛି ସଚିବ ଲୋକଙ୍କ ପାଇଁ ସବୁ କିଛି ସହିବାକୁ ପ୍ରସ୍ତୁତ ।" ତେବେ ଯେଭଳି ବିଜେପି ସତ୍ୟବାଦୀରେ କୁତ୍ସିତ କାର୍ଯ୍ୟ କରିଛି, ଲୋକେ କ୍ଷମା ଦେବେନି ବୋଲି କହିଛନ୍ତି ବିଜେଡି ବିଧାୟକ ।

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ସତ୍ୟବାଦୀରେ 5T ସଚିବ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼, ଅଭିଯୁକ୍ତ ଗିରଫ

ସେପଟେ 5T ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ସତ୍ୟବାଦୀର ବିଜେପି ନେତା ଓମ ପ୍ରକାଶ ମିଶ୍ର । ସେ କହିଛନ୍ତି, "କାଳିମାଡ଼ କରିଥିବା ବ୍ୟକ୍ତି ବିଜେପିର ନୁହେଁ । ବିଧାୟକ ଏହା ମିଛରେ କହିଛନ୍ତି । ବିଜେପି ଏକ ଶୃଙ୍ଖଳିତ ଦଳ । ବିଜେପି କାଳିମାଡ଼, ଅଣ୍ଡାମାଡ଼ କରେନାହିଁ । ବିଜେପି ରାଜରାସ୍ତାରେ ଲଢେଇ କରେ । ଏଥିପାଇଁ ଜେଲ ଯିବାକୁ ମଧ୍ୟ ବିଜେପି ନେତା ପ୍ରସ୍ତୁତ । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଜେପି ଆନ୍ଦୋଳନ, ପ୍ରତିବାଦରେ ବିଶ୍ବାସ ରଖେ । କାଳିମାଡ଼ କରିଥିବା ବ୍ୟକ୍ତି ଭାସ୍କର ସାହୁ ଚଳିତ ପଞ୍ଚାୟତ ନିର୍ବାଚନରେ ବିଧାୟକଙ୍କ ପଞ୍ଚାୟତ ବଡାଲରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ସେ ଟିକେଟ ପାଇବାରୁ ବଞ୍ଚିତ ହେବାରୁ ସେ ଏହି କାଣ୍ଡ କରିଛନ୍ତି । ସେହିପରି ବିଧାୟକ ସ୍ଥିତି ଟଳମଳ ଥିବାବେଳେ ସତ୍ୟବାଦୀ ଆସନ ଟିକେଟ ପାଇଁ ଏବେ ଅନେକ ବିଜେଡି ନେତା ରେସ୍‌ରେ ଅଛନ୍ତି ।" ତେଣୁ ବିଜେଡିରୁ କେହି ଏହି କାର୍ଯ୍ୟ କରିଥାଇ ପାରନ୍ତି ବୋଲି ବିଜେପି ନେତା ଓମ୍ ପ୍ରକାଶ ମିଶ୍ର କହିଛନ୍ତି । ବିଜେଡିରେ ଟିକେଟକୁ ନେଇ ଅନ୍ତଃକନ୍ଦଳ ତୀବ୍ର ହେଉଥିବାବେଳେ ଏହି କାଳିମାଡ଼ ତାହାର ପ୍ରତିଫଳନ ହୋଇଥାଇପାରେ ବୋଲି ଓମ୍ ପ୍ରକାଶ ମିଶ୍ର କହିଛନ୍ତି । ହେଲେ ସତ୍ୟବାଦୀ ବିଧାୟକ ଏହାକୁ ଲୁଚାଇବାକୁ ଯାଇ ବିଜେପି ଉପରେ ଦୋଷ ଲଦି ବଦନାମରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ବିଜେପି ନେତା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.