ETV Bharat / state

ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା, 60 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

author img

By

Published : Jun 3, 2023, 7:30 PM IST

ସ୍ନାନ ଯାତ୍ରା ପାଇଁ ପୁରୀରେ ଲାଗୁ ହୋଇଛି ଟ୍ରାଫିକ କଟକଣା । ଭକ୍ତଙ୍କ ଯାତାୟତ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା
ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା

ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା
ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ଏହାକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ନ 12ଟା ପରଠାରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ସହର ମଧ୍ୟକୁ ଗାଡ଼ି ଚଳାଚଳ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ଦେବସ୍ନାନ ପୂର୍ଣ୍ଣିମା ନୀତି ଶେଷ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ ବୋଲି କହିଛନ୍ତି ପୁରୀ ଏସପି । ଭକ୍ତଙ୍କ ଶୃଙ୍ଖଳିତ ଓ ସୁବିଧାରେ ଯାତାୟତ ପାଇଁ ପୋଲିସ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ତେବେ ଦେବସ୍ନାନ ପୂର୍ଣ୍ଣିମା ଦିନ ପୁରୀ, ଭୁବନେଶ୍ୱର ଓ କଟକ ମଧ୍ୟରେ ନିୟମିତ ଚଳାଚଳ କରୁଥିବା ବସ୍ ପାଇଁ କୌଣସି କଟକଣା ରଖାଯାଇନାହିଁ । ସବୁଦିନ ଭଳି ସ୍ନାନଯାତ୍ରା ଦିନ ମଧ୍ୟ ପୁରୀ ବସଷ୍ଟାଣ୍ଡରୁ ବସ୍ ଗୁଡ଼ିକ ଯାତାୟତ କରିପାରିବ । ଭୁବନେଶ୍ଵର ପଟୁ ଆସୁଥିବା ଟୁରିଷ୍ଟ ବସ୍ ଗୁଡ଼ିକ ମାଳତୀପାଟପୁର ବସଷ୍ଟାଣ୍ଡରେ, କୋଣାର୍କ ପଟୁ ଆସୁଥିବା ଟୁରିଷ୍ଟ ବସ୍ ଗୁଡ଼ିକ ତାଳବଣିଆ, ବ୍ରହ୍ମଗିରିରୁ ଆସୁଥିବା ଟୁରିଷ୍ଟ ବସ୍ ଗୁଡ଼ିକ ମଙ୍ଗଳାଘାଟ ଛକ ବାଇପାସ୍ ରାସ୍ତାରେ ପାର୍କିଂ କରିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା

ସେହିପରି ପୁରୀରେ ଚାଲୁଥିବା ଟାଉନ ବସ୍ ଓ ଅଟୋରିକ୍ସା ଗୁଡ଼ିକ ବଡ଼ଦାଣ୍ଡର ମାଜଣା ଜାଗା ପର୍ଯ୍ୟନ୍ତ ଆସିପାରିବ । ତେବେ ଦୁଇଚକିଆ ଗାଡ଼ି ଗୁଡ଼ିକ ମାର୍କେଟ ଛକଠାରୁ ନାୟକ ପ୍ଲାଜାରେ ଥିବା ପାର୍କିଂ ଜୋନରେ ଗାଡ଼ି ପାର୍କିଂ କରିପାରିବେ। ସେହିପରି ହାଲୁକା ଗାଡ଼ି ତଥା କାର୍ ଆଦି ଜଗନ୍ନାଥ ବଲ୍ଲଭ ପାର୍କିଂ, ବଗଲା ଧର୍ମଶାଳା, ଶରଧାବାଲି, ବ୍ଲୁଫ୍ଲାଗ ବିଚ୍ ଏବଂ ହୋଟେଲ ନୀଳାଚଳ ଅଶୋକ ଠାରେ ପାର୍କିଂ କରିପାରିବେ । ତେବେ ଏହି ସବୁ ପାର୍କିଂ ସ୍ଥାନ ପୂର୍ଣ୍ଣ ହେବା ପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ ।‌ କୋଣାର୍କ ଆଡ଼ୁ ଆସୁଥିବା କାର୍ ଗୁଡ଼ିକ ବ୍ଲୁ ଫ୍ଲାଗ ବିଚରେ ପାର୍କିଂ କରିବା ସହ ସେହି ବାଟ ଦେଇ ଫେରିବେ ।

ସେହିପରି ମାର୍କେଟ ଛକ ଠାରୁ ଜଗାବଳିଆ ଲଜ୍ ପର୍ଯ୍ୟନ୍ତ ଯାନବାହାନ ଶୂନ୍ୟ ଅଞ୍ଚଳ ଘୋଷଣା କରାଯାଇଥିବାବେଳେ କୌଣସି ଯାନ ଏହି ଅଞ୍ଚଳରେ ଯାତାୟାତ କରିପାରିବେ ନାହିଁ । ସ୍ଥାନୀୟ ବାସିନ୍ଦାଙ୍କୁ ଛାଡ଼ିଦେଲେ କୌଣସି ଗାଡ଼ି ମର୍ଚ୍ଚିକୋଟ ଛକ, ଜହ୍ନି ମୁଣ୍ଡିଆ ଛକ, ସୋଲାଖିଆ ବରଗଛ, ଗଦାଧର ସ୍କୁଲ, ମଶାଣି ଚଣ୍ଡି ଛକ ଓ ବିଶେଶ୍ବରୀ ମନ୍ଦିରରୁ ଶ୍ରୀମନ୍ଦିର ଆଡ଼କୁ ଆସିପାରିବେ ନାହିଁ। ଏହି ଅଞ୍ଚଳ ଗୁଡ଼ିକୁ ପୋଲିସ ପ୍ରଶାସନ ପକ୍ଷରୁ ନୋ ଭେଇକିଲ ଜୋନ୍ ଘୋଷଣା କରାଯାଇଛି । ସହାୟତା ପାଇଁ ପୋଲିସ ପକ୍ଷରୁ ୨୪×୭ ଘଣ୍ଟିଆ ହେଲ୍ପଲାଇନ ଜାରି କରାଯାଇଛି । ଅସୁବିଧାର ସମ୍ମୁଖୀନ ହେଲେ ୬୩୭୦୯୬୭୧୦୦‌ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି କହିଛନ୍ତି ଏସପି ।

କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପୋଲିସ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ ପୁରୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଟ୍ରାଫିକ ପୋଲିସ ଟିମ୍ ଏହି ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ କାର୍ଯ୍ୟ କରିବେ । ଭକ୍ତଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ସିସିଟିଭି, ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ୩ଜଣ କମାଣ୍ଡାଣ୍ଟ, ୧୨ ଅତିରିକ୍ତ ଏସପି, ୨୨ ଡିଏସପି ୫୯ ଇନ୍ସପେକ୍ଟର, ୨୯୧ ସବ ଇନ୍ସପେକ୍ଟର, ୪୧ ହାବିଲଦାର, ୧୨ ଟ୍ରାଫିକ ହାବିଲଦାର, ୩୩୧ କନଷ୍ଟେବଳ, ୪୮ ଟ୍ରାଫିକ କନଷ୍ଟେବଳ, ୫୪୪ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ।

ବିଶେଷ କରି ଆଇନ୍ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ଵକୁ ନୋ ଭେଇକିଲ୍‌ ଜୋନ୍ କରାଯିବ । ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସିସିଟିଭି ସ୍ଥାପନ କରାଯାଇ ଏକ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ୍ କାମ କରିବ । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ । ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସହ ବିଶେଷ କରି ବେଳାଭୂମିରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପାର୍କିଂ ସହ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.