ETV Bharat / state

ହାସ୍ୟାତ୍ମକ ଶିକ୍ଷା ବ୍ୟବସ୍ଥା: ବିଦ୍ୟାଳୟ ନା ଅପରିତ୍ୟକ୍ତ ସ୍ଥାନ, ହନ୍ତସନ୍ତ ଛାତ୍ରଛାତ୍ରୀ

author img

By

Published : Jun 26, 2022, 7:53 PM IST

ସ୍ମାର୍ଟ ହେଉଛି ସ୍କୁଲ, ଉନ୍ନତ ଜ୍ଞାନକୌଶଳରେ ଦିଆଯାଉଛି ଶିକ୍ଷାଦାନ । ସ୍ମାର୍ଟ ଶିକ୍ଷାଦାନ ନେଇ ରାଜ୍ୟ ସରକାର ଡେଙ୍ଗୁରା ପିଟୁଥିବାବେଳେ ସେମଲଗୁଡା ଗାଁ ପ୍ରାଥମିକ ସ୍କୁଲର ଦୃଶ୍ୟ ହିଁ ବୟାନ କରୁଛି କେତେ ସ୍ମାର୍ଟ ଆମ ସ୍କୁଲ । ଅଧିକ ପଢ଼ନ୍ତୁ

ଏମିତି ଆମ ଶିକ୍ଷା ବ୍ୟବସ୍ଥା, ବାରଣ୍ଡାରେ ଗଢା ଚାଲିଛି ଭବିଷ୍ୟତ
ଏମିତି ଆମ ଶିକ୍ଷା ବ୍ୟବସ୍ଥା, ବାରଣ୍ଡାରେ ଗଢା ଚାଲିଛି ଭବିଷ୍ୟତ

ନବରଙ୍ଗପୁର: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସରକାର ପ୍ରଣୟନ କରୁଛନ୍ତି ପୁଳାପୁଳା ଯୋଜନା । କେତେବେଳେ ୫ଟି ଉପକ୍ରମରେ ସ୍ମାର୍ଟସ୍କୁଲ୍‌ ରୂପାନ୍ତରୀକରଣ ସହ ସର୍ବଶିକ୍ଷା ଅଭିଯାନରେ ପିଲାଙ୍କୁ ମାଗଣା ବହି ଖାତା ଯୋଗାଇ ଦିଆଯାଉଛି । ତେବେ ଏତିକି ସହାୟତା ପିଲାଙ୍କ ପାଇଁ ଯଥାର୍ଥ କି ? ନବରଙ୍ଗପୁର ସଦର ବ୍ଲକ ସିନ୍ଧିଗାଁ ପଞ୍ଚାୟତ ଅନ୍ତର୍ଗତ ସେମଲଗୁଡା ଗାଁ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ଦେଖିବା ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ ।

କାମରେ ଆସୁନି କ୍ଲାସ୍‌ରୁମ୍‌

ଏମିତି ଆମ ଶିକ୍ଷା ବ୍ୟବସ୍ଥା, ବାରଣ୍ଡାରେ ଗଢା ଚାଲିଛି ଭବିଷ୍ୟତ

୨୦୦୨ ମସିହାରେ ସେମଲଗୁଡା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗ୍ରାମବାସୀ ଆଶା କରିଥିଲେ ସ୍କୁଲ୍‌ରେ ପାଠ ପଢ଼ି ପିଲାଏ ନିଜ ଭବିଷ୍ୟତ ଗଢ଼ିବେ । ହେଲେ ପରବର୍ତ୍ତୀ ସମୟରେ ସ୍କୁଲ୍‌ର ଅବସ୍ଥା ଦେଖିବା ପରେ ଗ୍ରାମବାସୀଙ୍କ ଏହି ସ୍ବପ୍ନ, ସ୍ବପ୍ନରେ ରହିଯାଇଛି । ପ୍ରଥମରୁ ପଞ୍ଚମ ଯାଏଁ ସେମଲଗୁଡା ପ୍ରାଥମିକ ବିଦ୍ୟାଳୟରେ ମୋଟ ୩୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ହେଲେ ଗତ ୫ ବର୍ଷ ହେଲା ଏହି ସ୍କୁଲ୍‌ର ଶ୍ରେଣୀଗୃହ ପିଲାଙ୍କ କାମରେ ଆସୁନାହିଁ ।

ଗଛମୂଳେ ଶିକ୍ଷାଦାନ

ଶ୍ରେଣୀଗୃହର ଅବସ୍ଥା ଏଭଳି ଯେ, ଛାତ୍ରଛାତ୍ରୀ ବସିବା ତ ଦୂରର କଥା ସାଧାରଣ ଲୋକଟିଏ ବସିବା ଅସମ୍ଭବ । ଶ୍ରେଣୀଗୃହ କାନ୍ଥ ଫାଟି ଆଁ କଲାଣି, କାନ୍ଥର ପ୍ଳାଷ୍ଟର ଝଡି ଗଲାଣି, ଛାତ ଫାଟି ରଡ୍‌ ଦେଖା ଯାଉଛି, କ୍ଲାସ୍‌ ରୁମ୍‌ ଭିତରେ ଉଇ ହୁଙ୍କା କଲାଣି । ସ୍କୁଲ୍‌ର ଏଭଳି ଅବସ୍ଥା ପରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ବିପଦପୂର୍ଣ୍ଣ କ୍ଲାସ୍‌ରୁମ୍‌ରେ ପାଠପଢ଼ିବାକୁ ପିଲାଙ୍କୁ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି ଅଭିଭାବକ । ଏଥିପାଇଁ ସ୍କୁଲ୍‌ ପରିସରରେ ଥିବା ଗଛମୂଳେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।

ଅଭିଭାବକଙ୍କ ଅସନ୍ତୋଷ

ସେମଲଗୁଡା ପ୍ରାଥମିକ ବିଦ୍ୟାଳୟର ଏହି ଦୁର୍ଦ୍ଦଶା ଆଜି କିମ୍ବା କାଲିର ନୁହେଁ, ଗତ ୫ ବର୍ଷ ହେଲା ପିଲା ଏଭଳି ସମସ୍ୟାରେ ପାଠ ପଢ଼ି ଆସୁଛନ୍ତି । ଖରା ଦିନ ଓ ଶୀତ ଦିନ ଯେନତେନ ପ୍ରକାରେଣ ପିଲାଙ୍କୁ ଗଛ ମୂଳେ ବସାଇ ପାଠ ପଢ଼ାଯାଉଛି । ବର୍ଷା ଦିନ ହେଲେ ପାଖରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ପିଲାଏ । ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପେଟ ଏହାକୁ ନେଇ ପ୍ରଧାନ ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା ଫଳ ଶୂନ ।

ପ୍ରତିଶ୍ରୁତି ଦେଉଛନ୍ତି ଅଧିକାରୀ

ସ୍କୁଲ୍‌ ରୂପାନ୍ତରୀକରଣ ଅଭିଯାନରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ଶିକ୍ଷା ବିଭାଗର ବେପରୁଆ ମନୋଭାବ ଯୋଗୁଁ ଆଜି ଅବହେଳିତ ହୋଇ ପଡ଼ିଛି ସେମଲଗୁଡା ପ୍ରାଥମିକ ବିଦ୍ୟାଳୟ । ଏହାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସ୍କୁଲ୍‌ ଘର ବ୍ୟବହାର ଉପଯୋଗୀ ନୁହେଁ ବୋଲି ସେ ଅବଗତ ଅଛନ୍ତି । ବିଭାଗୀୟ ଫଣ୍ଡ୍‌ ବ୍ୟବହାର କରି ଯଥାଶୀଘ୍ର ନୂତନ ସ୍କୁଲ ଗୃହ ନିର୍ମାଣ କରାଇବା ଦିଗରେ ପଦକ୍ଷେପ ନେବେ ।

ସ୍କୁଲ୍‌ର ବିପଦପୂର୍ଣ୍ଣ ଶ୍ରେଣୀଗୃହକୁ ଦେଖିଲେ ମନେ ହେଉଛି ପ୍ରଶାସନ ଯେଭଳି କୌଣସି ଅଘଟଣକୁ ଅପେକ୍ଷା କରିଛି । ତେବେ ଜିଲ୍ଲା ଶିକ୍ଷାଧିକାରୀ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.