ETV Bharat / state

ପାର୍ବତୀଗିରି ଓ ତୁରୀ-ଗୁନ୍ତାତ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 30, 2023, 9:45 PM IST

Irrigation Project in Nabarangpur
Irrigation Project in Nabarangpur

Irrigation Project in Nabarangpur: ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍ସରେ ପାର୍ବତୀଗିରି ଓ ତୁରୀ-ଗୁନ୍ତାତ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Irrigation Project in Nabarangpur

ନବରଙ୍ଗପୁର/ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୧୨୭୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ବାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷ ଜମିକୁ ପାଣି ମିଳିବ । ସେହିପରି ତୁରୀ-ଗୁନ୍ତାତ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ଏହି ପ୍ରକଳ୍ପରେ ୨ଟି ବ୍ୟାରେଜ୍‌ ନିର୍ମାଣ କରାଯିବ । ଏଥିପାଇଁ ୫୭୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ବାରା ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମର ୨୦ ହଜାର ଏକର ଚାଷଜମିକୁ ପାଣି ମିଳିପାରିବ ।

ସବୁ ପ୍ରକଳ୍ପରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ଭୂତଳ ପାଇପଲାଇନ ମାଧ୍ୟମରେ ଜଳସେଚନ କରାଯିବ । ଏହାଦ୍ବାରା ଏହି ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଯୋଗୁଁ କୌଣସି ବିସ୍ଥାପନର ଆବଶ୍ୟକତା ନାହିଁ । ଭିଡିଓ କନ୍‌ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ନବରଙ୍ଗପୁର ଜିଲ୍ଲା ପାଇଁ ମୋର ସ୍ବତନ୍ତ୍ର ଧ୍ୟାନ ରହିଛି । ମାର୍ଚ୍ଚ ମାସରେ ମୋ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ନବରଙ୍ଗପୁର ଯାଇଥିଲେ । ଆପଣମାନଙ୍କ ସହିତ ମିଶିଥିଲେ । ବିଭିନ୍ନ ବିକାଶମୂଳକ କାମ ବୁଲି ଦେଖିଥିଲେ । ଆପଣମାନଙ୍କ ଯାହା ସବୁ ପ୍ରସ୍ତାବ ଅଛି, ସବୁ ଆମେ କାର୍ଯ୍ୟକାରୀ କରିବୁ । ଆଗାମୀ କିଛି ବର୍ଷ ମଧ୍ୟରେ ନବରଙ୍ଗପୁରର ଭିତ୍ତିଭୂମି କ୍ଷେତ୍ରରେ ବହୁତ ବଡ଼ ରୂପାନ୍ତର ହେବାକୁ ଯାଉଛି ।"

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ନବରଙ୍ଗପୁର ଜିଲ୍ଲା ପାଇଁ ଏକ ଖୁସିର ଦିନ । କିଛିଦିନ ତଳେ ଲକ୍ଷ୍ମୀ ଯୋଜନା ଆରମ୍ଭ ସମୟରେ ମୁଁ ଆପଣମାନଙ୍କୁ ଭେଟିଥିଲି । ମୋର ବିଶ୍ବାସ, ଲକ୍ଷ୍ମୀ ଯୋଜନା ଆପଣଙ୍କ ଜୀବନଧାରାକୁ ସହଜ କରୁଥିବ । କୃଷି ଆମ ଅର୍ଥନୀତିର, ଆମ ସାମାଜିକ ବ୍ୟବସ୍ଥାର ମେରୁଦଣ୍ଡ । ସେଥିପାଇଁ ଚାଷର ଉନ୍ନତି ଓ ଚାଷୀର କଲ୍ୟାଣ ପାଇଁ ମୁଁ ସବୁବେଳେ ଗୁରୁତ୍ବ ଦେଇଆସିଛି । ସାରା ରାଜ୍ୟରେ ଅନେକ ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚାଷୀମାନଙ୍କ ପାଇଁ କାଳିଆ ଯୋଜନା, ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧବିହୀନ ଋଣ ଆଦି ଅନେକ ସୁବିଧା କରାଯାଉଛି । ଚାଷୀ ଓ ମାଆ ମାନଙ୍କ ଉନ୍ନତି ବିନା ବିକାଶର ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ । ସେଥିପାଇଁ ଚାଷୀମାନଙ୍କ କଲ୍ୟାଣ, ମାଆ ମାନଙ୍କ କଲ୍ୟାଣ ମୋର ସବୁବେଳେ ମୁଖ୍ୟ ଫୋକସ ହୋଇରହିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏବେ ଆମେ ଗାଁର ସବୁ ଲୋକଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଏବେ ରାଜ୍ୟର ୯୦ ପ୍ରତିଶତ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଇବେ । ଅର୍ଥ ଅଭାବରୁ କେହି ଯେପରି ଭଲ ଚିକିତ୍ସା ପାଇବାରୁ ବଞ୍ଚିତ ନହେବେ, ତାହା ତାଙ୍କର ଲକ୍ଷ୍ୟ । ସମସ୍ତଙ୍କ ବିକାଶ ହିଁ ପ୍ରକୃତ ବିକାଶ ।"

ଏହା ମଧ୍ୟ ପଢ଼ନ୍ତୁ...ଯୋରନ୍ଦା ପୀଠ ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: ଖର୍ଚ୍ଚ ହେବ ୧୧୨ କୋଟି

ସେହିଭଳି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ବେଳେ ନବରଙ୍ଗପୁର ଜିଲ୍ଲାବାସୀ ଏହି ପ୍ରକଳ୍ପ ୨ଟି ଅନୁମୋଦନ ପାଇଛି ବୋଲି ଜାଣି ଖୁସି ହୋଇଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସେମାନଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ନବରଙ୍ଗପୁରର ୯୦ ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ସେମାନେ କିପରି ଭଲ ଚାଷ କରି ପାରିବେ ସେହି ଲକ୍ଷ୍ୟରେ ଆମର ଏହି ପ୍ରକଳ୍ପ କରାଯାଉଛି । ଏହି ପ୍ରକଳ୍ପ ଜରିଆରେ ଅଧିକରୁ ଅଧିକ କୃଷିଜାତ ଦ୍ରବ୍ୟ ଉତ୍ପନ୍ନ କରି ସେଗୁଡିକର ବିକ୍ରିବଟା ପାଇଁ ପୂର୍ବରୁ ଜିଲ୍ଲାକୁ ଆସିଥିବା ଲକ୍ଷ୍ମୀ ବସ ସେମାନଙ୍କୁ ସହାୟତା କରିବ ।"

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ତାଙ୍କର ନବରଙ୍ଗପୁର ଗସ୍ତ କଥା ମନେ ପକାଇ କହିଛନ୍ତି, "ସେତେବେଳେ ବହୁତ ଲୋକଙ୍କୁ ମୁଁ ଭେଟିଥିଲି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଗ୍ରାମାଞ୍ଚଳରେ ଅନେକ ଲୋକ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା - ନବୀନ କାର୍ଡ ଆରମ୍ଭ କରୁଛନ୍ତି ।" ଜାନୁଆରୀ ୬ରୁ ଏଥିପାଇଁ ପଞ୍ଜିକରଣ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କହିଛନ୍ତି, "ଆଜି ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଏଭଳି ଏକ ଉପହାର ଦେଇଛନ୍ତି, ଯାହାର ପ୍ରତୀକ୍ଷା ସେମାନେ ଦୀର୍ଘଦିନ ଧରି କରିଥିଲେ । ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନମୂଳକ ଯୋଜନା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ସମେତ ସମସ୍ତଙ୍କ ମୁହଁରେ ହସ ଫୁଟାଇଛନ୍ତି ।" ସାଂସଦ ରମେଶ ଚନ୍ଦ୍ର ମାଝୀ କହିଛନ୍ତି, "ନବରଙ୍ଗପୁର ଜିଲ୍ଲା ପାଇଁ ଜଳସଚେନର ଯେଉଁ ଆବଶ୍ୟକତା ଥିଲା ଆଜି ମୁଖ୍ୟମନ୍ତ୍ରୀଙ୍କ ଭେଟି ମାଧ୍ୟମରେ ତାହା ପୂରଣ ହେଲା ।" ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଏହି ୨ଟି ପ୍ରକଳ୍ପ ମାଧ୍ୟମରେ ଆମ ଜିଲ୍ଲାର ଚାଷୀମାନଙ୍କର ବହୁତ ସୁବିଧା ହେବ ବୋଲି କହିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.