ETV Bharat / state

ସଂସ୍କୃତି ଓ ପରମ୍ପରାର ଅନନ୍ୟ ଝଲକ, ସାନ୍ତାଳୀ ସମ୍ପ୍ରଦାୟଙ୍କ 'ଦିଶମ ବାହା ପର୍ବ'

author img

By

Published : Mar 11, 2020, 9:35 PM IST

ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛନ୍ତି ମୟୂରଭଞ୍ଜର ସାନ୍ତାଳୀ ସମ୍ପ୍ରଦାୟର ଲୋକେ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଏପରି ଏକ ପର୍ବ ହେଉଛି 'ଦିଶମ ବାହା ପର୍ବ' । ଅଧିକ ପଢନ୍ତୁ..

ସଂସ୍କୃତି ଓ ପରମ୍ପରାର ଅନନ୍ୟ ଝଲକ, ସାନ୍ତାଳୀ ସମ୍ପ୍ରଦାୟଙ୍କ 'ଦିଶମ ବାହା ପର୍ବ'
ସଂସ୍କୃତି ଓ ପରମ୍ପରାର ଅନନ୍ୟ ଝଲକ, ସାନ୍ତାଳୀ ସମ୍ପ୍ରଦାୟଙ୍କ 'ଦିଶମ ବାହା ପର୍ବ'

ମୟୂରଭଞ୍ଜ: ଜିଲ୍ଲାର ବିଶୋଇଠାରେ ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ପାଳନ କରିଛନ୍ତି ‘ଦିଶମ ବାହା ପର୍ବ’ । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରୁ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁ ହଜାର ହଜାର ସଂଖ୍ୟାରେ ଜାହିରା (ଧର୍ମ ପୀଠ)ଠାରେ ଠାକୁର ଦର୍ଶନ କରିବା ସହିତ ଆଶୀର୍ବାଦ ପ୍ରାପ୍ତି ପାଇଁ ଯୋଗ ଦେଇଥିଲେ ।

ସଂସ୍କୃତି ଓ ପରମ୍ପରାର ଅନନ୍ୟ ଝଲକ, ସାନ୍ତାଳୀ ସମ୍ପ୍ରଦାୟଙ୍କ 'ଦିଶମ ବାହା ପର୍ବ'

ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛନ୍ତି ମୟୂରଭଞ୍ଜର ସାନ୍ତାଳୀ ସମ୍ପ୍ରଦାୟର ଲୋକେ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଏପରି ଏକ ପର୍ବ ହେଉଛି 'ଦିଶମ ବାହା ପର୍ବ' । ଏହେଉଛି ସେମାନଙ୍କର ଆସ୍ଥା ଓ ବିଶ୍ବାସର ପର୍ବ । ସାନ୍ତାଳୀ ଭାଷାରେ ‘ଦିଶମ ବାହା ପର୍ବ’ ର ଅର୍ଥ ଅଞ୍ଚଳର ଫୁଲ ବାଙ୍ଗୁଣି ଉତ୍ସବ ବା ଅଞ୍ଚଳର ଫୁଲ ପୁଜା ।

ମୟୂରଭଞ୍ଜର ବିଶୋଇଠାରେ ପ୍ରକୃତି ପୂଜକ ସାନ୍ତାଳୀ ସଂପ୍ରଦାୟର ଲୋକେ ଫଗୁଣ ମାସର ପୂର୍ଣ୍ଣିମୀ ଦିନ ଏହି ପର୍ବକୁ ପାଳନ କରିଥାନ୍ତି । ବାହା ପର୍ବ ବା ଫୁଲ ପୁଜା ହେଉଛି ସାନ୍ତାଳୀ ସମ୍ପ୍ରଦାୟର ଏକ ବଡ଼ ପର୍ବ । ଫଗୁଣ ମାସରେ ଫଳୁଥିବା ନୂଆ ଫଳ, ଫୁଲ ଓ ପତ୍ରକୁ ଗାଁ ଜାହିରା ( ଧର୍ମ ପୀଠ)ରେ ପୂଜା କରାଯାଏ । ସାନ୍ତାଳୀ ପୂଜାରୀ ଗ୍ରାମର ଜାହିରାରେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ କଁଅଳ ଶାଳ ଫୁଲକୁ ପୂଜା କରିଥାନ୍ତି । ପୂଜା ପରେ ଶ୍ରଦ୍ଧାଳୁ ପୂଜାରୀଙ୍କ ଠାରୁ ସେହି ଫୁଲକୁ ଠାକୁରଙ୍କ ଆଶୀର୍ବାଦ ସ୍ବରୂପ ଗ୍ରହଣ କରିଥାନ୍ତି । ମହିଳା ଶ୍ରଦ୍ଧାଳୁ ପୂଜା ହୋଇଥିବା ଶାଳ ଫୁଲକୁ ମଥାରେ ଖୋସି ଧାର୍ମିକ ବିଧି ପାଳନ କରୁଥିବାବେଳେ ପୁରୁଷ ଶ୍ରଦ୍ଧାଳୁମାନେ ମଧ୍ୟ କାନରେ ଲଗାଇଥାନ୍ତି ।

ପୂଜା ପରେ ଶ୍ରଦ୍ଧାଳୁମାନେ ଏକତ୍ରିତ ବସି ଭୋଗ ଖାଇବାର ଆନନ୍ଦ ଉଠାଇଥାନ୍ତି । ଜାହିରାରେ ପୂଜା କର୍ମ ସମ୍ପନ୍ନ କରି ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମାଦଳର ତାଳେ ତାଳେ ପାରମ୍ପରିକ ନୃତ୍ୟ ଗୀତ ରେ ଝୁମି ଉଠି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି ।

ପରମ୍ପରା ଅନୁଯାୟୀ ପୂଜା ନହେବା ପର୍ଯ୍ୟନ୍ତ ସାନ୍ତାଳୀ ସଂପ୍ରଦାୟର ଲୋକଙ୍କ ପାଇଁ ଜଙ୍ଗଲ ପ୍ରବେଶ, ଫୁଲ ଫଳ ଓ ଡାଳ ପତ୍ର ଆଦି ତୋଳିବା ଓ ବ୍ୟବହାର କରିବା ନିଷେଧ ରହିଥାଏ । ଏହି ପୂଜା ପରେ ହିଁ ସାନ୍ତାଳୀ ଲୋକେ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ଫୁଲ, ଫଳ ଓ ପତ୍ରକୁ ଛୁଇଁବା ସହିତ ବ୍ୟବହାର କରିପାରିବେ । ମୁଖ୍ୟତଃ ସାନ୍ତାଳୀ ସଂପ୍ରଦାୟର ଲୋକେ ଜାହିରାରେ ଭଗବାନଙ୍କୁ ପୂଜାର୍ଚ୍ଚନା କରି ଠାକୁରଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ସୁଖ ସମୃଦ୍ଧି କାମନା କରିଥାନ୍ତି । କାହିଁ କେଉଁ ଆଦିମ କାଳରୁ ବିଶ୍ବାସ ରହିଆସିଛି କି ଜାହିରାରେ ଠାକୁରଙ୍କ ଦର୍ଶନ କରି ଯିଏ ଯାହା ମନାସେ ତାହା ପାଏ ।

ଠାକୁରଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ସାନ୍ତାଳୀ ଲୋକେ ଜାହିରାରେ ମାନସିକ ମଧ୍ୟ ରଖିଥାନ୍ତି । ମନସ୍କାମନା ପୂର୍ଣ୍ଣ ହେଲେ ସେମାନେ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି । ଏହି ଧର୍ମ ପୀଠକୁ ଆସି ଠାକୁରଙ୍କ ଶରଣାଗତ ହେଲେ ରୋଗ ବ୍ୟାଧିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଏହି ଦିଶମ ବାହା ପର୍ବକୁ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହ ସହକାରେ ପ୍ରତ୍ୟେକ ବର୍ଷ ପାଳନ କରିଥାନ୍ତି ସାନ୍ତାଳୀ ସମ୍ପ୍ରଦାୟର ଲୋକେ । ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ଅହେତୁକ ଆଦର ଓ ପ୍ରେମ ଆଧୁନିକ ସମାଜ ପ୍ରତି ଏକ ବଡ଼ ଉଦାହରଣ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.