ETV Bharat / state

ଦଶମ ଶ୍ରେଣୀର ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତିନି ଗିରଫ

author img

By

Published : Jan 17, 2023, 12:24 PM IST

ଗିରଫ ହେଲେ ଛାତ୍ରଙ୍କୁ ଆକ୍ରମଣ କରିଥିବା ୩ ଅଭିଯୁକ୍ତ । ଆସନ୍ତାକାଲି କରାଯିବ କୋର୍ଟଚାଲାଣ । ଅଧିକ ପଢ଼ନ୍ତୁ

3 accused arrested
ତିନି ଅଭିଯୁକ୍ତ ଗିରଫ


ରାଇରଙ୍ଗପୁର : ଦଶମ ଶ୍ରେଣୀର ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟଚାଲାଣ କରାଯିବ ବୋଲି ରାଇରଙ୍ଗପୁର ଆଇଆଇସି ସ୍ଵର୍ଣ୍ଣଲତା ମିଞ୍ଜ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଅଁଳାଡୁବାର ବ୍ରିଜେଶ ଗୋପ, ଗୋପି ନାଏକ, ରୋହିତ ଦାସ । ଗତ ୧୨ ତାରିଖ ନୁସାଡିହି ଗ୍ରାମର ୪ଜଣ ଛାତ୍ର, ଚମ୍ପାଉଦା ଗ୍ରାମର ଦୁଇ ଜଣ ଓ ଅସନବଣୀ ଗ୍ରାମର ଜଣେ ମିଶି ଟିଉସନ ପଢିବାକୁ ଅଁଳାଡୁବା ୱାର୍ଡ଼ ନଂ ୧୦କୁ ଯାଇଥିଲେ । ଟିଉସନ ସାରି ସାଇକେଲ ଯୋଗେ ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ।

ସେହି ସମୟରେ ଅସନବଣୀସ୍ଥିତ ରାଇସ ମିଲ୍‌ ନିକଟରେ ପୂର୍ବରୁ ଏକ ଅଟୋ ଯୋଗେ ଜଗିଥିବା ପାଖାପାଖି ୮ରୁ ୧୦ ଅସାମାଜିକ ଯୁବକ ଉକ୍ତ ଛାତ୍ରମାନଙ୍କୁ ଦେଖି ଅଶ୍ଳୀଳ ଭାଷାରେ ପ୍ରଥମେ ଗାଳିଗୁଲଜ କରିଥିଲେ । ହେଲେ ଛାତ୍ରମାନେ ସେହି କଥାକୁ ଧ୍ୟାନ ନଦେଇ ଆଗକୁ ପଳାଇଥିଲେ । ଏହାଦେଖି ଉକ୍ତ ଯୁବକମାନେ ରାଗିଯାଇ ଅଟୋ ଯୋଗେ ଛାତ୍ରଙ୍କ ପଛେପଛେ ଯାଇଥିଲେ । ଏହାପରେ ପୁଣି ସେଠାରେ ଛାତ୍ରମାନଙ୍କ ଆଗରେ ଅଟୋ ରଖି ଅଯଥାରେ ଗାଳି ଦେଇଥିଲେ । ପରେ ଅତର୍କିତ ଭାବେ ଏକ ଠେଙ୍ଗା ସାହାଯ୍ୟରେ ସମସ୍ତ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ତେବେ ପ୍ରକାଶଙ୍କ ସ୍ୱାସ୍ଥ୍ୟାବସ୍ତା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ । ସେଠାର ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାରିପଦା ପିଆରଏମ ହସ୍ପିଟାଲ ନିଆଯାଇଥିଲା । ତେବେ ସେହିଦିନ ରାତିରେ ହିଁ ଉକ୍ତ ଛାତ୍ରଙ୍କ ସାଙ୍ଗ ତଥା ଦଶମ ଶ୍ରେଣୀର ଛାତ୍ର ଗଣେଶ ମାଝୀ ରାଇରଙ୍ଗପୁର ଟାଉନ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ୩ଦିନ ବିତିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନଥିଲା । ଏନେଇ ୪ଟି ଗ୍ରାମ ଯଥା ଅସନବଣୀ, ବଳଭଦ୍ରପୁର, ଚମ୍ପାଉଦା ଓ ନୁଷାଡିହି ଗ୍ରାମର ପାଖାପାଖି ୫୦୦ରୁ ଊର୍ଦ୍ଧ୍ୱ ଲୋକେ ଉତ୍ତ୍ୟକ୍ତ ହୋଇ ଅଁଳାଡୁବାରେ ପହଞ୍ଚି ରାଇରଙ୍ଗପୁର-ବାରିପଦା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ଦଶମ ଶ୍ରେଣୀର ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଇରଙ୍ଗପୁର ବାରିପଦା ରାଜ୍ୟ ରାଜପଥ ଅବରୋଧ

ଦୀର୍ଘ ସାଢ଼େ ଚାରି ଘଣ୍ଟା ରାସ୍ତା ଅବରୋଧ ପରେ ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ ୩ ଦିନ ମଧ୍ୟରେ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ରାଇରଙ୍ଗପୁର ଟାଉନ ଥାନା ପୋଲିସ ବିଭିନ୍ନ ସ୍ଥାନରେ ନଜର ରଖିଥିଲେ। ପରେ ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ଫେରାର ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ପ୍ରକାଶଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାରୁ ତାଙ୍କୁ ଡାକ୍ତରଖାନାରୁ ଘରକୁ ପଠାଇ ଦିଆଯାଇଥିବା ସୂଚନା ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.