ETV Bharat / state

President To Visit Odisha: ୨୦ରୁ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ମୁର୍ମୁ

author img

By ETV Bharat Odisha Team

Published : Nov 4, 2023, 11:25 AM IST

ରାଷ୍ଟ୍ରପତି ହେବା ପରେ ଦ୍ୱିତୀୟ ଥର ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ଦ୍ରୌପଦୀ ମୁର୍ମୁ ! ଜାଣନ୍ତୁ କେବେ

ରାଷ୍ଟ୍ରପତି ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ
ରାଷ୍ଟ୍ରପତି ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ


ରାଇରଙ୍ଗପୁର: ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବା ପରେ ଦ୍ବିତୀୟ ଥର ପାଇଁ ଦୁଇ ଦିନିଆ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ଆସନ୍ତା ୨୦ ଓ ୨୧ ତାରିଖରେ ରାଇରଙ୍ଗପୁର ଗସ୍ତ କରିବା ନେଇ ସୂଚନା ମିଳିଛି । ଏହି ଗସ୍ତ କାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କିଛି ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ବେଳେ ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ କୌଣସି ବିଧିବଦ୍ଧ ଭାବେ ସୂଚନା ଦିଆଯାଇନି ।

ସେପଟେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ସମୟରେ ତାଙ୍କର ରହିଣୀ, ଖାଦ୍ୟପେୟ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାର ସୂଚନା ମିଳିଛି । ନିଜ ଜିଲ୍ଲାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତର ଖବର ପାଇ ପୁଣିଥରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏଇ କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଦାମପାହାଡରୁ ଶାଲିମାର, ବାଦାମପାହାଡରୁ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଓ ବାଦାମପାହାଡରୁ ଟାଟା ନଗର ଦୈନିକ ଟ୍ରେନ (ରବିବାର ବ୍ୟତୀତ) ଚଳାଚଳ ନେଇ ଘୋଷଣା କରିଥିଲେ । ଏବେ ମହାମହିମ ମୟୂରଭଞ୍ଜ ଗସ୍ତ କରି ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଉକ୍ତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ।

ଏହାମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ନଭେମ୍ବର ୪ରୁ ୧୭ ତାରିଖ ଯାଏଁ ଆବେଦନ

ସେହିପରି ତାଙ୍କ ଗାଁ ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ନିକଟରେ ଥିବା ଏଲଏଣ୍ଡଟି କମ୍ପାନୀ ଦ୍ଵାରା ସ୍ଥାପିତ ଦକ୍ଷତା ବିକାଶ କେନ୍ଦ୍ରର ଲୋକାର୍ପଣ କରିବେ । ପରେ ବାଦାମପାହାଡ ଠାରେ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବଲପୁର ଯିବାର ମଧ୍ୟ ସୂଚନା ମିଳିଛି । ପୂର୍ବଥର ପରି ଏଥର ମଧ୍ୟ ରାଷ୍ଟ୍ରପତି ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିବେ ।

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଗତ ମେ' ମାସରେ ୪, ୫ ଓ ୬ ତାରିଖରେ ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟର ଉପସଭାପତି ମୁନା ପ୍ରତିହାରୀ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.