ETV Bharat / state

ବଜ୍ରକାପ୍ତା ଡିଲ୍ ବେଳେ ମାଡ଼ି ବସିଲା ପୋଲିସ; ଫରେଷ୍ଟର ସମେତ ୬ ଜଣ ଗିରଫ

author img

By

Published : May 16, 2023, 12:21 PM IST

ମୟୂରଭଞ୍ଜରେ ବଜ୍ରାକାପ୍ତା ଚାଲାଣ ମାମଲାରେ ଫରେଷ୍ଟରଙ୍କ ସମେତ ୬ ଜଣ ଗିରଫ । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ବଜ୍ରାକାପ୍ତା ଚାଲାଣ
ମୟୂରଭଞ୍ଜରେ ବଜ୍ରାକାପ୍ତା ଚାଲାଣ


ରାଇରଙ୍ଗପୁର: ଚାଲିଥିଲା ବଜ୍ରକାପ୍ତା ଡ଼ିଲ୍, ଖବର ପାଇ ମାଡ଼ି ବସିଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଝାଡ଼ ଗ୍ରାମରୁ ଗତକାଲି(ସୋମବାର) ଏହି ଘଟଣା ସାମ୍ନାକୁ ଆସିଛି । ବଡଝାଡ ଗାଁ ନିକଟରେ ବଜ୍ରକାପ୍ତା ଚାଲାଣ ପାଇଁ ଡିଲ୍ ହେଉଥିବା ବେଳେ ପୋଲିସ ଚଢ଼ାଉ କରିଛି । ଚଢାଉ ସମୟରେ ପୋଲିସ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାଲେଶ୍ବର ନୀଳଗିରି ରେଞ୍ଜ୍‌ ଅଯୋଧ୍ୟା ଅଞ୍ଚଳର ଫରେଷ୍ଟର ଅଛନ୍ତି । ତାଙ୍କ ନାମ ରାମଚନ୍ଦ୍ର ମାରାଣ୍ଡି ବୋଲି ଜଣାପଡିଛି । ପୋଲିସ ଉଦ୍ଧାର ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରିଛି ।

ସୂଚନା ଅନୁଯାୟୀ, ଗତକାଲି(ସୋମବାର) ଶିମିଳିପାଳ ଅଭୟାରଣ୍ୟର ବଡଝାଡ ଅଞ୍ଚଳରେ ଏକ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ତେବେ ପୂର୍ବ ସୂଚନା ଆଧାରରେ କପ୍ତିପଦା ଥାନା ପୋଲିସର ଏକ ଟିମ୍ ଡିଲ୍ ହେଉଥିବା ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ବନ ବିଭାଗର ଜଣେ ଫରେଷ୍ଟରଙ୍କ ସମେତ ୬ ଜଣକୁ ଗିରଫ କରିଛି । ଉଦ୍ଧାର କରାଯାଇଥିବା ବଜ୍ରକାପ୍ତାଟିର ବୟସ ୩ରୁ ୪ ବର୍ଷ ହୋଇଥିବା ବେଳେ ଏହାର ଲମ୍ବ ୩ ଫୁଟ ଏବଂ ଓଜନ ୩ କେଜି ବୋଲି ସୂଚନା ମିଳିଛି । ୫ ଲକ୍ଷ ଟଙ୍କାରେ ଏହି ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଯୋଜନା ଚାଲିଥିଲା । ଏହି ଘଟଣାରେ ୩ଟି ବାଇକ ମଧ୍ୟ ଜବତ କରିଛି ପୋଲିସ ।

ଏହାମଧ୍ୟ ପଢନ୍ତୁ : ହାଇକୋର୍ଟରେ ଚିଲିକା ଓ ଆଦ୍ରଭୂମି ସୁରକ୍ଷା ମାମଲା, ୬ ମାସ ମଧ୍ୟରେ ଚିଠା ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜ ଅଯୋଧ୍ୟା ଅଞ୍ଚଳର ଫରେଷ୍ଟର ରାମଚନ୍ଦ୍ର ମାରାଣ୍ଡି, ଦେଉଳି ଗ୍ରାମର ସନ୍ତୋଷ ସିଂ, ଭଣ୍ଡାରୀପାଳ ଗ୍ରାମର ସାହେବ ମାରାଣ୍ଡି, ଜେଏସକାମୁଡିବନ୍ଧ ପଞ୍ଚାୟତର ବିଶେଶ୍ବର ମାରାଣ୍ଡି, ବାରିପଦାର ରମେଶ ଚନ୍ଦ୍ର ସିଂ ଓ ବେତନଟୀ ଅଞ୍ଚଳର ଗଗନ ବେହେରା । ଏହି ବେଆଇନ ବଜ୍ରକାପ୍ତା ଚାଲାଣ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଉଦ୍ଧାର ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । ସେପଟେ ବନ ବିଭାଗ ମଧ୍ୟ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.