ETV Bharat / state

ରାକ୍ଷସ ସାଜିଲା ବାପା, ନିଜ ଗର୍ଭବତୀ ଝିଅକୁ ଗୋଇଠା ମାରି ନେଲା ଜୀବନ !

author img

By ETV Bharat Odisha Team

Published : Oct 29, 2023, 10:43 PM IST

ରାକ୍ଷସ ସାଜିଲା ପିତା । ମୟୂରଭଞ୍ଜରେ ଅଭିଯୁକ୍ତ ପିତା ନିଜ ଗର୍ଭବତୀ ଝିଅକୁ ଗୋଇଠା ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

man killed pregnant daughter in Mayurbhanj
man killed pregnant daughter in Mayurbhanj

ରାଇରଙ୍ଗପୁର: ରାକ୍ଷସ ପାଲଟିଲା ଜନ୍ମଦାତା । ନିଜ ଜନ୍ମ କଲା ଝିଅକୁ ମଧ୍ୟ ହତ୍ୟା କରିବାକୁ ପଛେଇଲା ନାହିଁ ଏହି ନିଷ୍ଠୁର ବାପା। ଗୋଇଠା ମାରି ମାରି ଶେଷରେ ଝିଅକୁ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି । ମାନସିକ ସନ୍ତୁଳନ ହରାଇ ଭୁଲିଗଲା ମାନବିକତା । ଭୁଲିଗଲା ଝିଅ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧା । ଏପରି ଏକ ଅମାନବୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପଥରଖଣି ଗ୍ରାମରେ ।

man killed pregnant daughter
ରାକ୍ଷସ ସାଜିଲା ବାପା, ନିଜ ଗର୍ଭବତୀ ଝିଅକୁ ଗୋଇଠା ମାରି ହତ୍ୟା ଅଭିଯୋଗ

ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ଘଟିଥିବା ମହିଳାଙ୍କର ଏକ ବର୍ଷ ପୂର୍ବରୁ ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା । ତେବେ ଝିଅ ଗର୍ଭବତୀ ଥିବା ଜାଣି କ୍ରୋଧରେ ଗର ଗର ହୋଇଥିଲା ଅଭିଯୁକ୍ତ ପିତା । ଏହାପରେ ଗର୍ଭବତୀ ଝିଅର ପେଟକୁ ଗୋଇଠା ମାରି ମାରି ଶେଷରେ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି । କପ୍ତିପଦା ଥାନା ଅନ୍ତର୍ଗତ ପଥରଖଣି ଗ୍ରାମର ବାସିନ୍ଦା ଜିଠୁ ଟୁଡୁ ପ୍ରାୟ ୪ରୁ ୫ ବର୍ଷ ପୂର୍ବେ ତାଙ୍କ ଝିଅ ସାକର ଟୁଡୁର ବିବାହ ମଙ୍ଗଲ ମୁର୍ମୁଙ୍କ ସହିତ କରିଥିଲେ । ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ ଖୁସିରେ କଟୁଥିବା ବେଳେ ପ୍ରାୟ ବର୍ଷେ ପୂର୍ବରୁ ମଙ୍ଗଲ ମୁର୍ମୁଙ୍କ ଦେହାନ୍ତ ହୋଇଥିଲା ।

ଏହା ବି ପଢନ୍ତୁ- Karnataka Honor Killing: ଅନ୍ୟ ଜାତିର ଯୁବକଙ୍କ ପ୍ରେମରେ ପଡ଼ିଲେ ଯୁବତୀ, ଝିଅକୁ ହତ୍ୟା କଲା ବାପା

ତେବେ ବର୍ତ୍ତମାନ ସାକର ଟୁଡୁର ଗୋଟିଏ ୩ ବର୍ଷର ଝିଅଟିଏ ରହିଛି । ମଙ୍ଗଲ ମୁର୍ମୁର ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ସାକର ଟୁଡୁ ନିଜ ଶ୍ବଶୁର ଘରୁ ପଳାଇ ଆସି ନିଜ ବାପଘରେ ରହୁଥିଲେ । ତେବେ ନିଜ ବାପଘରେ ସାକର ଟୁଡୁ ରହୁଥିବା ବେଳେ ଇତିମଧ୍ୟରେ ସାକର ଟୁଡୁ ୫ ମାସର ଗର୍ଭବତୀ ଥିଲେ । ଏହି ଘଟଣା ସାକର ଟୁଡୁର ବାପା ଜିଠୁ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଝିଅକୁ ବାପା ଜିଠୁ ପଚାରି ବୁଝିଥିଲେ । ପରେ ରାଗରେ ଉତକ୍ଷିପ୍ତ ହେବା ସହ ନିଜ ଝିଅର ଚରିତ୍ରକୁ ସନ୍ଦେହ କରି ବାପା ଜିଠୁ ଗର୍ଭବତୀ ଝିଅର ପେଟକୁ ଗୋଇଠା ମାରିଥିବା ଅଭିଯୋଗ ହୋଇଛି ।

ଫଳରେ ଝିଅ ଗୁରୁତର ଅବସ୍ଥାରେ ପଡ଼ି ରହିବା ପରେ ତାର ଜୀବନ ବାୟୁ ଉଡ଼ିଯାଇଥିଲା । ଝିଅ ମୃତ୍ୟୁବରଣ କରିଥିବା ଜାଣିପାରି ବାପା ଜିଠୁ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରୁଥିଲା ସ୍ଥାନୀୟ ଲୋକେ ଜାଣିପାରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ କପ୍ତିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ମଧ୍ୟ ଡକାଯାଇଥିଲା । ସାଇଣ୍ଟିଫିକ ଟିମ୍ ଓ ପୋଲିସର ତଦନ୍ତ ପରେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ଲାଗି ଉଦଳା ମେଡିକାଲକୁ ପଠାଇଥିଲା ପୋଲିସ । ସେପଟେ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ପୋଲିସ ଗିରଫ କରିଛି । ପୋଲିସ ନିକଟରେ ଅଭିଯୁକ୍ତ ପିତା ଜିଠୁ ଦୋଷ ସ୍ବୀକାର କରିବା ପରେ ପୋଲିସ କପ୍ତିପଦା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.