ETV Bharat / state

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ, MSCB ବିଶ୍ବବିଦ୍ୟାଳୟରେ ତଦନ୍ତ କଲେ କେନ୍ଦ୍ରାଞ୍ଚଳ RDC

author img

By

Published : May 18, 2023, 2:03 PM IST

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ଘଟଣା । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟକୁ ଯାଇ ତଦନ୍ତ କଲେ କେନ୍ଦ୍ରାଞ୍ଚଳ ଆରଡିସି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ଘଟଣା
ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ଘଟଣା

ରାଇରଙ୍ଗପୁର: ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କଟିବା ଘଟଣା । ତଦନ୍ତ ପାଇଁ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ପହଞ୍ଚିଲେ କେନ୍ଦ୍ରାଞ୍ଚଳ ଆରଡିସି । ଗତକାଲି (ବୁଧବାର) ଆରଡିସି ସୁରେଶ ଚନ୍ଦ୍ର ଦଳାଇ MSCB ବିଶ୍ବବିଦ୍ୟାଳୟକୁ ଯାଇ ବିଦ୍ୟୁତ ବିଭ୍ରାଟ ଘଟଣାର ତଦନ୍ତ କରିଛନ୍ତି । ସମାବର୍ତ୍ତନ ଉତ୍ସବ ଚାଲିଥିବା ହଲକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଟାଟା ପାୱାରର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଗତ ୬ ତାରିଖରେ ଆୟୋଜିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାମହିମଙ୍କ ଅଭିଭାଷଣ ସମୟରେ ହଠାତ୍ ୯ ମିନିଟ ଧରି ବିଦ୍ୟୁତ କଟି ଯାଇଥିଲା । ଏଭଳି ଅବ୍ୟବସ୍ଥା ଯୋଗୁଁ ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ହୋଇଥିବା ଅଭିଯୋଗ କରି ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳ ପକ୍ଷରୁ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ପରେ ରାଜ୍ୟପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିଶ୍ବବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଏକ ଟିମ୍ ଏହି ଘଟଣାର ତଦନ୍ତ କରି ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।

ଏହି ବିଦ୍ୟୁତ ବିଭ୍ରାଟ ଘଟଣାର ତଦନ୍ତ ପାଇଁ ଏବେ କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇ ବାରିପଦା ଆସି ବିଶ୍ବବିଦ୍ୟାଳୟରେ ତଦନ୍ତ କରିଛନ୍ତି । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏସପି ଋଷିକେଶ ଧ୍ୟାନଦେଓ ଖିଲାରୀ, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କ ସମେତ ବିଦ୍ୟୁତ ବିଭାଗ ଅଧିକାରୀମାନଙ୍କୁ ନେଇ ଘଟଣା ସମ୍ପର୍କରେ ଆରଡିସି ଅଧିକ ଆଲୋଚନା କରିଥିବାର ଜଣାପଡ଼ିଛି ।

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ବିଦ୍ୟୁତ ବିଭ୍ରାଟ ପରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ନିର୍ଦ୍ଦେଶକ୍ରମେ ୭ ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହି ରିପୋର୍ଟରେ ଇଡକୋ କର୍ମଚାରୀଙ୍କୁ ଦାୟୀ କରାଯାଇଥିଲା । ସେପଟେ ଏହି ଘଟଣା ପାଇଁ ବିଶ୍ବବିଦ୍ୟାଳୟର କୁଳପତି, ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟୀ କରିଥିଲା ଜିଲ୍ଲା ବିଜେପି । ତେବେ ଆରଡିସିଙ୍କ ତଦନ୍ତ କେଉଁ ଦିଗକୁ ଯାଉଛି ଓ ଦୋଷୀ ବିରୁଦ୍ଧରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.