ETV Bharat / state

ନୂଆପଡାରେ ଧରାପଡିଲେ 5 ଶିକାରୀ

author img

By

Published : Jun 7, 2023, 11:37 AM IST

ଛତିଶଗଡ଼ ଓଡିଶା ମିଳିତ ବନ ବିଭାଗର 20 ଜଣିଆ ସ୍ୱତନ୍ତ୍ର ଟିମ । ନୂଆପଡା ଜିଲ୍ଲାର 5ଜଣ ଶିକାରୀଙ୍କୁ ଗିରଫ କରିବା ସହ ଶିକାର କରିବାରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛି ବନବିଭାଗ । ଅଧିକ ପଢନ୍ତୁ

forest department raid in nuapada
forest department raid in nuapada

forest department raid in nuapada

ନୂଆପଡା: ଜିଲ୍ଲାର ସୁନାବେଡା ଅଭୟାରଣ୍ୟ ସ୍ଥିତ କିଛି ଅଞ୍ଚଳରେ ଛତିଶଗଡ଼ ବନ ବିଭାଗ 20 ଜଣିଆ ଟିମର ଚଢାଉ । ମହାବଳ ବାଘ ଛାଲ ସହ ଧନୁ ତୀର,ଫାଶ ଓ ବନ୍ୟଜନ୍ତୁ ଶିକାର କରିବାରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ । ଏଥିସହ 5ଜଣ ବେଆଇନ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିଛି ବନ ବିଭାଗ । ତେବେ ଅଭିଯୁକ୍ତମାନେ ହେଲେ ନୂଆପଡା ଜିଲ୍ଲାର ବୋଡେ଼ନ ଥାନା ଅନ୍ତର୍ଗତ ଖଡୁପାଣି ଗାଁର ବଦନ ମାଝୀ,ଚିକଳଚୁଆ ଗାଁର ଖଗେଶ୍ବର ମାଝୀ, ପାଟଦରା ଗାଁର ବଡ ମାଝୀ, ସଚିନ୍ଦ୍ର ମାଝୀ ଏବଂ ଖଡ଼ିଆଳ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗରି ଗାଁର ଅଚ୍ୟୁତାନନ୍ଦ ମାଝୀ ବୋଲି ଜଣାପଡିଛି । ଦୀର୍ଘ ଦିନର ମାରାଥନ ଚଢାଉ ପରେ ଗତକାଲି ଅଭିଯୁକ୍ତ ମାନଙ୍କୁ ବନ୍ୟଜନ୍ତୁ ଶିକାର ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ବନ ଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଛତିଶଗଡ଼ ରାଜ୍ୟ ଉଦନ୍ତୀ ଅଭୟାରଣ୍ୟ ସୀତା ନଦୀ ଘଞ୍ଚ ଜଙ୍ଗଲରେ RBT ମହାବଳ ବାଘ ଚଳ ପ୍ରଚଳ କରୁଥିବା ଛତିଶଗଡ଼ ବନ ବିଭାଗ ଦ୍ଵାରା ଖଞ୍ଜା ଯାଇଥିବା ଟ୍ରାପ କ୍ୟାମେରାରେ ବାଘର ଚିତ୍ର କଏଦ ହୋଇଥିଲା। ହେଲେ କିଛି ମାସର ବ୍ୟବଧାନ ପରେ ଟ୍ରାପ କ୍ୟାମେରାରୁ RBT ମହାବଳ ବାଘ ଚିତ୍ର ଆଉ କଏଦ ହୋଇନଥିଲା । ତେବେ ଏନେଇ ମହାବଳ ବାଘ କୁଆଡେ ଗଲା ବୋଲି ଛତିଶଗଡ଼ ବନ ବିଭାଗ ତଦନ୍ତ କରୁଥିଲା । ମହାବଳୀ ବାଘକୁ କିଏ ଶିକାର କରି ମାରି ଦେଇଥିବା ସନ୍ଦେହ କରୁଥିଲା ଛତିଶଗଡ଼ ବନ ବିଭାଗ । ଏନେଇ ପରେ ଛତିଶଗଡ଼ ଏବଂ ଓଡ଼ିଶା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ 20 ଜଣିଆ ବନ ବିଭାଗର ସ୍ୱତନ୍ତ୍ର ଟିମ ଗଠନ କରିବା ସହ ବନ ବିଭାଗର ଏହି ଟିମ ଦୀର୍ଘ ଦିନରୁ ତଦନ୍ତ ଜାରି ରଖିଥିଲା ।

ତେବେ ଏହି ଘଟଣାକୁ ନେଇ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ବାସ କରୁଥିବା କିଛି ବେଆଇନ ଶିକାରୀକୁ ସନ୍ଦେହ କରିଥିଲା ଏହି ଟିମ । ଏନେଇ ସର୍ବପ୍ରଥମେ ବୋଡେ଼ନ ଥାନା ଅନ୍ତର୍ଗତ ଖଡୁପାଣି ଗାଁର ବଦନ ମାଝୀ ଘର ଉପରେ ଚଢାଉ କରି ବଦନ ମାଝୀକୁ ଗିରଫ କରିଥିବା ବେଳେ ଏହା ପରେ ପାତଦରା, ଚିକଳଚୁଆ, ଭାଲୁଡୁଙ୍ଗରି ଗାଁ ଗୁଡିକରେ ଅତର୍କିତ ଚଢ଼ାଉ କରି 5 ଜଣ ବେଆଇନ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିବାରେ ମିଳିତ ବନ ବିଭାଗ ସଫଳ ହୋଇଛି । ଏଥିସହ ଅଭିଯୁକ୍ତଙ୍କ ଠାରୁ ମହାବଳ ବାଘ ଛାଲ, ଦେଶୀ ବନ୍ଧୁକ, ଫାସ, ବଜ୍ରକାପ୍ତା ଭଳି ଶିକାର କାମରେ ବ୍ୟବହୃତ ବହୁ ମାତ୍ରାରେ ସାମଗ୍ରୀ ଜବତ କରାଯାଇଛି । ଗତକାଲି 5 ଜଣ ଅଭିଯୁକ୍ତଙ୍କୁ ବେଆଇନ ବନ୍ୟଜନ୍ତୁ ଶିକାର ମାମଲାରେ କୋର୍ଟଚାଲାଣ କରାଯାଇଥିବା ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.