ETV Bharat / state

ବୋରଓ୍ବେଲରେ ଯିବନି ପିଲାଙ୍କ ଜୀବନ, ଉଦ୍ଧାର କରିବ ରୋବୋର୍ଟ ରେସ୍କ୍ୟୁଅର !

author img

By

Published : Dec 28, 2022, 7:29 AM IST

Updated : Dec 28, 2022, 10:11 AM IST

ବୋରଓ୍ବେଲରେ ଖସିପଡିଥିବା ଶିଶୁଙ୍କୁ ସହଜରେ ଉଦ୍ଧାର କରିବ ରୋବୋର୍ଟ ରେସ୍କ୍ୟୁଅର । ଏଥିରେ ଲାଗିଥିବା ହାତ ଦ୍ବାରା ବୌରଓ୍ବେଲରୁ ଶିଶୁଙ୍କୁ ଉଦ୍ଧାର କରାଯାଇ ପାରିବ । ଏହାକୁ ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ତିନି ଯୁବ ଇଞ୍ଜିନିୟର ଶିଶିର, ବିରେନ ଓ ଲିଙ୍ଗରାଜ । ଅଧିକ ପଢନ୍ତୁ

borehole robot Rescuer
borehole robot Rescuer

ବୋରଓ୍ବେଲ ରୋବୋର୍ଟ

କୋରାପୁଟ: ଦେଶରେ ଅନେକ ସ୍ଥାନରେ ବୋରଓ୍ବେଲରେ ଶିଶୁ ଖସି ପଡିବା ଖବର ଆପଣ ବହୁବାର ଶୁଣିଥିବେ, ଉଦ୍ଧାର ପରେ କେତେ ମୃତ୍ୟୁବରଣ କରିଛନ୍ତି ତ ଆଉ କେତେକଙ୍କ ଜୀବନ ବଞ୍ଚି ଯାଇଛି । ଏଇ ନିକଟରେ ଯେମିତି ମଧ୍ୟପ୍ରଦେଶରୁ ଏକ ଖବର ଆସିଥିଲା । ତନ୍ମୟ ନାମ ଜଣେ ନାବାଳକ ୫୫ ଫୁଟ ଗଭୀର ବୋରଓ୍ବେଲ ମଧ୍ୟରେ ଖସିପଡିଥିଲେ । କିନ୍ତୁ ଉଦ୍ଧାର ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଥିଲା । ଉପଯୁକ୍ତ ଜ୍ଞାନ କୌଶଳର ଅଭାବରୁ ଉଦ୍ଧାର କାର୍ଯ୍ୟ ବହୁ ସମୟ ପର୍ଯ୍ୟନ୍ତ ଚାଲି ଥିବାରୁ ନୀରିହ ଶିଶୁର ଜୀବନ ଚାଲି ଯାଇଥିଲା । ଏଭଳି କଠିନ ସ୍ଥିତିରେ ଜଣେ ଶିଶୁକୁ କିଭଳି ସ୍ବଳ୍ପ ସମୟରେ ତଥା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ସେଥିପାଇଁ ନୂତନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରି ବୋରଓ୍ବେଲ ରୋବୋର୍ଟ ରେସ୍କ୍ୟୁଅର ପ୍ରସ୍ତୁତ କରିଛନ୍ତି ତିନି ଜଣ ଯୁବ ଇଞ୍ଜିନିୟର । ବୋରଓ୍ବେଲରେ ଖସିପଡିଥିବା ଶିଶୁଙ୍କୁ ସହଜରେ ଉଦ୍ଧାର କରିବ ଏହି ବୋରଓ୍ବେଲ ରୋବୋର୍ଟ ରେସ୍କ୍ୟୁଅର ।

ଛତିଶଗଡ଼ର ଜଗଦଲପୁର ନିକଟରେ ଥିବା NMDC(National Mineral Development Corporation) ରେ କାର୍ଯ୍ୟରତ ଅଛନ୍ତି ଏହି 3 ଯୁବ ଇଞ୍ଜିନିୟର । ଜୟପୁରର ଯୁବ ଇଞ୍ଜିନିୟର ଶିଶିର ମଲ୍ଲିକ, ଗଞ୍ଜାମ ଜିଲ୍ଲା ପାତ୍ରପୁଟ ବ୍ଲକ ବାଦପୁର ଗାଁର ବିରେନ କୁମାର ପ୍ରଧାନ ଏବଂ ଚିକିଟି ବ୍ଲକସ କୃଷ୍ଣପୁର ଗାଁର ଲିଙ୍ଗରାଜ ପ୍ରଧାନ । ସଂପୂର୍ଣ୍ଣ ନିଜସ୍ୱ ପଦ୍ଧତିରେ ‘ବୋରୱେଲ ରୋବୋଟିକ୍‌ ରେସ୍‌କ୍ୟୁଅର’ ଉଦ୍ଭାବନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ବୋରଓ୍ବେଲରୁ ଶିଶୁମାନଙ୍କୁ ଉଦ୍ଧାର କରିବା ବେସ ମୁସ୍କିଲ ସହିତ ବିପଦପୂର୍ଣ ବି ରହିଥାଏ । ଏହିଭଳି ଘଟଣା ବାରମ୍ବାର ଦେଖିଲା ପରେ ଜୟପୁର ସହରରେ ରହି ନିଜ ଚାକିରି କରିବା ସହ ଏକ ସହଜ ଓ ସରଳ ପଦ୍ଧତିରେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏହି ରୋବୋର୍ଟ ବିକଶିତ କରିଛନ୍ତି ଯୁବ ଇଞ୍ଜିନିୟର । ଉଭୟ ବ୍ୟାଟେରୀ ଏବଂ ବିଦ୍ୟୁତ ଦ୍ବାରା ପରିଚାଳିତ ହେଉଥିବା ଏହି ରୋବୋର୍ଟ ମାତ୍ର 8 ହଜାର ଟଙ୍କାରେ ଏହାକୁ ତିଆରି କରାଯାଇଛି ।

କଣ ରହିଛି ରୋବୋର୍ଟ ରେସ୍କ୍ୟୁଅରରେ ?

ଏହି ରୋବୋର୍ଟ ମାଧ୍ୟମରେ ଉଦ୍ଧାରକ ପାଇଁ ହାଇଡ୍ରୋଲିକ ହ୍ୟାଣ୍ଡ୍‌, ଏଲ୍‌ଇଡି ଲାଇଟ୍‌, କ୍ୟାମେରା, ସ୍ପିକର, ମାଇକ୍‌, ଚକ, ଅକ୍ସିଜେନ୍‌ ସିଲିଣ୍ଡର, ଫ୍ୟାନ୍‌, ଲାପଟପ୍‌ ଆଦି ସାମଗ୍ରୀର ଆବାଶ୍ୟକତା ରହିଛି । ଏହାର ଓସାର ପାଖାପାଖି ୮ଇଞ୍ଚ ଓ ଲମ୍ବା ୨ଫୁଟ ୬ଇଞ୍ଚ । ଏକାସ‌ଙ୍ଗେ ରୋବୋର୍ଟଟି 100 କିଲୋରୁ ଅଧିକ ଓଜନକୁ ଉଠାଇବାର କ୍ଷମତା ରଖିଥିବା କହିଛନ୍ତି ଯୁବ ଇଞ୍ଜିନିୟର ।

କେମିତି ହେବ ଉଦ୍ଧାର କାର୍ଯ୍ୟ

ବୋରୱେଲ ଉପରେ ଏକ ଲୁହା ‌ଫ୍ରେମ ରଖାଯିବ । ସେଥିରେ ବୋରୱେଲ ଭିତରକୁ ଏହି ରୋବୋର୍ଟଟିକୁ ଛଡାଯିବ । ଆଇରନ୍ କେବୁଲରେ ସହଜରେ ଭିତରକୁ ଯିବ ଏବଂ ଉପରକୁ ଆସିପାରିବ । କଣ୍ଟ୍ରୋଲର ଦ୍ବାରା ରୋବୋର୍ଟକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିବ । ରୋବୋର୍ଟ ଉପର ଓ ତଳ ଭାଗରେ ଦୁଇଟି ଲେଖାଏଁ ଚକ ରହିବ । ତଳକୁ ଯିବା ସମୟରେ ଅଳ୍ପଅଳ୍ପ ଅକ୍ସିଜେନ ବାହାରକୁ ଛାଡିବ । ଶିଶୁ ନିକଟରେ ପହଞ୍ଚିବା ପରେ ଲାଗିଥିବା କ୍ୟାମେରାରେ ସଂପୂର୍ଣ୍ଣ ଭିତର ଅଂଶକୁ ସହଜରେ ନିରୀକ୍ଷଣ କରାଯାଇ ପାରିବ । ୱାଟର ପ୍ରୁଫ୍‌ ଲାଇଟ୍‌ରେ ଭିତର ଚିତ୍ର ସ୍ପଷ୍ଟ ରୂପେ ଦେଖିହେବ । ଏହାବ୍ୟତୀତ ମାଇକ ଓ ସ୍ପିକରରେ ଶିଶୁ ସହ ନିରନ୍ତର କଥାବାର୍ତ୍ତା ମଧ୍ୟ କରାଯାଇ ପାରିବ । ଦୁଇଟି ଫ୍ୟାନ୍‌ରେ ଅକ୍ସିଜେନ୍‌ ଯୋଗାଣ ଏବଂ ଅଙ୍ଗାରକାମ୍ଳ ସଂଗ୍ରହ କରି ନିର୍ଗତ ହୋଇପାରିବ ବୋଲି ଯୁବ ଇଞ୍ଜିନିୟରମାନେ ପ୍ରକାଶ କରିଛନ୍ତି । ହାଇଡ୍ରୋଲିକ ହ୍ୟାଣ୍ଡ ଶିଶୁକୁ ଜାବୁଡ଼ି ଧରିବା ପରେ ଧୀରେଧୀରେ ଉପରକୁ ସୁରକ୍ଷିତ ଭାବେ ଟାଣି ବାହାର କରିବ ।

ଡେମୋ ତିଆରି ପାଇଁ ୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରୋଟୋଟାଇପ୍‌ କିମ୍ବା ସଂପୂର୍ଣ୍ଣ ରୂପ ଦେବାକୁ ପାଖାପାଖି ୩୦ହଜାର ଟଙ୍କା ଖର୍ଚ୍ଚ ହେବ। ଏହି ରୋବୋର୍ଟ ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ ମିଳିଲେ ଉନ୍ନତମାନର ସାମଗ୍ରୀ ଲଗାଇ ବୋରଓ୍ବେଲରୁ ଶିଶୁମାନଙ୍କୁ ଉଦ୍ଧାର କରିବା ସହଜ ହୋଇପାରିବ ବୋଲି କହିଛନ୍ତି ଯୁବ ଇଞ୍ଜିନିୟର । ଏହି ରୋବୋର୍ଟକୁ ଡେମୋରୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଯଦି ଆର୍ଥିକ ସହାୟତାର ହାତ ବଢାଇବେ ତାହେଲେ ନିହାତି ଭାବରେ ଭବିଷ୍ୟତରେ ରୋବର୍ଟ ରେସ୍କ୍ୟୁଅର ଏହି ଭଳି ବିପଦସଙ୍କୁଳ ପରିସ୍ଥିତିରେ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇପାରିବ ।

ଇଟିଭି ଭାରତ, କୋରାପୁଟ

Last Updated : Dec 28, 2022, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.