ETV Bharat / state

ବିଜୟା ଦଶମୀ: ସାବର ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଲାଠିଯାତ୍ରା

author img

By ETV Bharat Odisha Team

Published : Oct 25, 2023, 8:00 AM IST

କୋରାପୁଟର ସାବର ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଲାଠିଯାତ୍ରା । 40ରୁ ଉର୍ଦ୍ଧ୍ବ ଗାଁରୁ ଦେବୀଙ୍କ ପ୍ରତିନିଧି ହେଲେ ସାମିଲ । ଅଧିକ ପଢ଼ନ୍ତୁ

ସାବର ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଲାଠିଯାତ୍ରା
ସାବର ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଲାଠିଯାତ୍ରା

ସାବର ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଲାଠିଯାତ୍ରା

କୋରାପୁଟ: ଦଶହରା ଆସିଲେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଲୋକେ ଅପେକ୍ଷା କରନ୍ତି ଲାଠି ଯାତ୍ରା ଦେଖିବାପାଇଁ । ଏହି ଯାତ୍ରାରେ ସାମିଲ ହେବା ପାଇଁ ଜିଲ୍ଲାର ବିଭିନ୍ନ ଗାଁରେ ଗ୍ରାମଦେବୀଙ୍କୁ ନେଇ ଗତ କିଛି ଦିନ ଧରି ସ୍ବତନ୍ତ୍ର ପୂଜାର୍ଚ୍ଚନାର ସହ ପ୍ରସ୍ତୁତି ହୋଇଛି । ଆଜି 40ରୁ ଉର୍ଦ୍ଧ୍ବ ଗାଁରୁ ଦେବୀଙ୍କ ପ୍ରତିନିଧି ଭାବେ ଲାଠି ଆଣି ଆଦିବାସୀ ପରିବାର ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଜଗନ୍ନାଥ ମନ୍ଦିରକୁ ଛୁଟି ଆସିଥିଲେ । ଗ୍ରାମଦେବୀଙ୍କ ପ୍ରତୀକ ଭାବେ ଶାବର ଶ୍ରୀକ୍ଷେତ୍ରକୁ ଅଣା ଯାଉଥିବା ବିଶାଳ ଲାଠିଗୁଡିକୁ ଗାଁ ମୁଣ୍ଡରେ ଥିବା ଝରଣାରେ ରୀତି ଅନୁଯାୟୀ ସ୍ନାନ କରାଇବା ସହ ଆଦିବାସୀଙ୍କ ପାରମ୍ପରିକ ଖଣ୍ଡା ଓ ଢାଲକୁ ମଧ୍ୟ ପୂଜା କରାଯାଇଛି ।

ଏହାପରେ ଆଦିବାସୀଙ୍କ ପାରମ୍ପରିକ ଖଣ୍ଡା ଓ ଢାଲକୁ ପୂଜା କରାଯାଇଥାଏ । ଲାଠି ତଥା ଖଣ୍ଡା ଓ ଢାଲକୁ ନେଇଁ ଗାଁ ଦାଣ୍ଡରେ ଶୋଭାଯାତ୍ରାରେ ଗ୍ରାମବାସୀ ବାହାରି ଥିବା ବେଳେ ଗାଁର ବିଭିନ୍ନ ପରିବାର ନିଜ ନିଜ ଘର ସମ୍ମୁଖରେ ଲାଠି ରୂପୀ ଦେବୀ ମାଙ୍କୁ ସ୍ୱାଗତ ପୂର୍ବକ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ଲୋକ ବିଶ୍ବାସ ଅନୁଯାୟୀ ଛୋଟ ପିଲାଙ୍କୁ ଲାଠିକୁ ନେଉଥିବା ପୂଜକଙ୍କ ପାଖରେ ରଖାଗଲା ସମସ୍ତ ରୋଗବ୍ୟାଧିରୁ ମୁକ୍ତି ପାଇଥାନ୍ତି ଶିଶୁମାନେ । ରାଜା ରାଜୁଡା କାଳରୁ ଲାଠିକୁ କାନ୍ଧରେ ଧରି ଜୟପୁର ଦଶହରାକୁ ନିଆଯାଏ । ଅନେକ ବର୍ଷ ଧରି କୋରାପୁଟ ଚାରିପାଖରେ ଥିବା ଗାଁର ଲୋକେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ନିଶାଣୀ ମୁଣ୍ଡାରେ ସାମୂହିକ ଲାଠି ପୂଜା କରାଯାଏ ।

ଗୁରୁମାଇଙ୍କ ଆଦିବାସୀ ଭାଷାରେ ଉଚ୍ଚାରିତ ମନ୍ତ୍ର ସହିତ ପାରମ୍ପରିକ ବାଦ୍ୟର ଝଙ୍କାର ମଧ୍ୟରେ ସମସ୍ତେ ନାଚି ଉଠିଥିଲେ । ମା’ ବିମାଳାଙ୍କ ପାଖରେ ଧୂପ ଦୀପ ନୈନେଦ୍ୟ ଅର୍ପଣ କରିବା ପରେ ସେମାନେ ଲମ୍ବାଲମ୍ବା ଲାଠିଗୁଡିକୁ ଧରି ବାଜାବାଜେଣି ସହ ସହର ପରିକ୍ରମା କରିଥିଲେ । ଏହାପରେ କୋରାପୁଟର ଗ୍ରାମ ଦେବୀ ନିଶାଣୀ ମୁଣ୍ଡାଙ୍କ ପୀଠରେ ଆସି ଏକତ୍ରିତ ହୋଇ ପୂଜାର୍ଚ୍ଚନା କରି ସ୍ୱଗ୍ରାମକୁ ଫେରିଯାଇଛନ୍ତି । ଲାଠି ଆଣିଥିବା ଗ୍ରାମବାସୀ ଓ ଏହି ଯାତ୍ରାରେ ସାମିଲ ହୋଇଥିବା ଗୁରୁମାଇମାନଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ମନ୍ଦିର ପ୍ରାଙ୍ଗଣରେ ସମ୍ମାନିତ କରାଯାଇଛି । ଶାବର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଏହି ଅନନ୍ୟ ଯାତ୍ରାକୁ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.