ETV Bharat / state

Tribal Museum Renovation Work: ଖୁବଶୀଘ୍ର ଆଦିବାସୀ ସଂଗ୍ରହାଳୟର ହେବ ପୁନରୁଦ୍ଧାର !

author img

By ETV Bharat Odisha Team

Published : Nov 1, 2023, 5:51 PM IST

ରାଜ୍ୟର ଦ୍ଵିତୀୟ ଆଦିବାସୀ ସଂଗ୍ରହାଳୟର ରକ୍ଷଣାବେକ୍ଷଣ କରାଯିବା ଉପରେ ପ୍ରାଥମିକତା ଦିଆଯିବ ବୋଲି କହିଲେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର । ଅଧିକ ପଢନ୍ତୁ

renovation work of district tribal museum
renovation work of district tribal museum

renovation work of district tribal museum

କୋରାପୁଟ: ନୂଆ ରୂପ ପାଇବ କୋରାପୁଟ ସ୍ଥିତ ଆଦିବାସୀ ସଂଗ୍ରହାଳୟ । କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଏବଂ ଏଚଏଏଲ କମ୍ପାନୀର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ଆଧାରରେ କୋରାପୁଟ ସ୍ଥିତ ଆଦିବାସୀ ସଂଗ୍ରହାଳୟ ନୂଆ ରୂପ ପାଇବ । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଳାପାଳ ଅବଦଲ ଅକ୍ତର ।

ଏନେଇ ସଂଗ୍ରହାଳୟର ନିର୍ଦ୍ଦେଶକ ଜଗବନ୍ଧୁ ସାମଲ କହିଛନ୍ତି, "କୋରାପୁଟ ଡଙ୍ଗର ସଂସ୍କୃତିର ସୁରକ୍ଷା ଦିଗରେ ଆଦିବାସୀ ସଂଗ୍ରହାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନେକ ଆଦିବାସୀ ଅଞ୍ଚଳ ଏ ପର୍ଯ୍ୟନ୍ତ ଲୋକଦୃଷ୍ଟିର ଅନ୍ତରାଳେ ରହିଥିବା ଯୋଗୁଁ ଏହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ପ୍ରାୟ ହୋଇ ରହିଛି । ଆମର ପ୍ରାଚୀନ ଜୀବନଧାରାର ସ୍ମୃତିକୁ ୧୯୯୨ ମସିହାରେ ପ୍ରତିଷ୍ଠିତ ହୋଇ ରଜତ ଜୟନ୍ତୀ ପାଳନ କରିସାରିଛି । କୋରାପୁଟ ଆଦିବାସୀ ସଂଗ୍ରହାଳୟ ସଫଳତାର ସହ ଅନେକାଂଶରେ ସାଇତି ରଖିବା ସହ ପ୍ରଦର୍ଶିତ କରିବାରେ ସମର୍ଥ ହୋଇଛି ।" ତେବେ ବର୍ତ୍ତମାନ ସୁଦ୍ଧା ହୋଇଥିବା କାର୍ଯ୍ୟର ଗୁଣାତ୍ମକ ମାନବୃଦ୍ଧି କରି ଗବେଷଣା ଓ ସଂସ୍କୃତି ସଂରକ୍ଷଣ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିଆସିଛି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଦିବାସୀଙ୍କ ସ୍ମୃତି ସାଉଁଟି ଥିବା ସଂଗ୍ରହାଳୟର ପୁନରୁଦ୍ଧାର କେବେ ?

ବିନା କୌଣସି ସରକାରୀ ସହାୟତାରେ ଏହି ଅନୁଷ୍ଠାନଟି ଏତେବର୍ଷ ଧରି ପରିଚୟ ପାଇ ଆସିଛି। ଏହା ଏକ ପ୍ରକାର ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସମଗ୍ର କୋରାପୁଟ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ଜନଜାତି ସମ୍ପର୍କରେ ସମ୍ୟକ ଧାରଣା ଦେଉଥିବା ଏହି ସଂଗ୍ରହାଳୟକୁ ଚାଲୁ ରଖିବା ପରିଚାଳକଙ୍କ ପାଇଁ ଏକ ଗୁରୁ ଦାୟିତ୍ୱ ପାଲଟିଛି । ମାଲକାନଗିରି ଜିଲ୍ଲାର ବଣ୍ଡା ଓ କୋୟା ଠାରୁ ଆରମ୍ଭ କରି ନବରଙ୍ଗପୁରର ଗୋଣ୍ଡ , କୋରାପୁଟ ଜିଲ୍ଲାର ପରଜା, କନ୍ଧ, ଭତରା, ଦୁରୁଆ, ଗାଦବା ତଥା ରାୟଗଡା ଜିଲ୍ଲାର ସଉରା ଜନଜାତିର ଜୀବନ ଧାରା, ଚାଲି ଚଳଣି, ନାଚ ଗୀତ, ବସ୍ତ୍ର, ଅସ୍ତ୍ର, ଗହଣା ପ୍ରଭୃତି ବିଭବ ସମ୍ପର୍କରେ ତଥ୍ୟ ପ୍ରଦାନ କରି ଏହା ଅନନ୍ୟ ହୋଇପାରିଛି।

ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀ ଓ ଆର୍ଥିକ ସହଯୋଗର ଆବଶ୍ୟକତା ରହିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ରାଜ୍ୟର ଦ୍ଵିତୀୟ ଆଦିବାସୀ ସଂଗ୍ରହାଳୟର ରକ୍ଷଣା ବେକ୍ଷଣ କରାଯିବା ଉପରେ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । କୋରାପୁଟ ଜିଲ୍ଲାରେ ଥିବା ଆଦିବାସୀ ସଂଗ୍ରହାଳୟକୁ ଅଣଦେଖା ହୋଇଥିବା ଅଭିଯୋଗ ଆସୁଥିବା ବେଳେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ସମସ୍ତଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ଖୁବଶୀଘ୍ର ଆଦିବାସୀ ସଂଗ୍ରହାଳୟର ପୁନଃଉଦ୍ଧାର ହୋଇପାରିବ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.