ETV Bharat / state

ସାଇବର ଠକାମୀ ରୋକିବା ପାଇଁ କୋରାପୁଟ ପୋଲିସର ସଚେତନତା ଯାତ୍ରା

author img

By ETV Bharat Odisha Team

Published : Oct 15, 2023, 8:56 AM IST

Updated : Oct 15, 2023, 2:14 PM IST

ସାଇବର ଠକାମୀ ରୋକିବା ପାଇଁ କୋରାପୁଟ ପୋଲିସର ସଚେତନତା ଯାତ୍ରା । ସହରର ଗଳିକନ୍ଦି ବୁଲି ଲୋକଙ୍କୁ ସଚେତନ କଲେ ଏସପି । ଅଧିକ ପଢ଼ନ୍ତୁ

କୋରାପୁଟ ପୋଲିସର ସଚେତନତା ଯାତ୍ରା
କୋରାପୁଟ ପୋଲିସର ସଚେତନତା ଯାତ୍ରା

କୋରାପୁଟ ପୋଲିସର ସଚେତନତା ଯାତ୍ରା

କୋରାପୁଟ: ସମାଜରେ ସାଇବର ଠକେଇ ମାମଲା ବଢିବାରେ ଲାଗିଛି । ଏହାକୁ ରୋକିବାକୁ ସାରା ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ଅକ୍ଟୋବର ୨ ତାରିଖରୁ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସଚେତନା କାର୍ଯ୍ୟକ୍ରମ ଅନ୍ତର୍ଗତ ଶନିବାର ସନ୍ଧ୍ୟାରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ନିକଟସ୍ଥ ପୋଲିସ ପରେଡ ପଡିଆଠାରେ ଏସ୍‌ପି ଅଭିବନ ସୋନକାରଙ୍କ ଦ୍ବାରା ଏକ ସଚେତନତା ଯାତ୍ରା ଆୟୋଜିତ ହୋଇଥିଲା । ଏହି ଯାତ୍ରାରେ ଏସପି ସହରର ବିଭିନ୍ନ ସାହି, ଗଳିକନ୍ଦି ବୁଲି ଲୋକଙ୍କୁ ଅଭିଯାନର ଉଦ୍ଦେଶ୍ୟ ଏବଂ କିପରି ସାଇବର ଠକେଇରୁ ନିଜରୁ ରକ୍ଷା କରିବେ ସେନେଇ ସଚେତନ କରିଥିଲେ ।

କେବଳ ଅଶିକ୍ଷିତ ବ୍ୟକ୍ତି ନୁହଁନ୍ତି, ଅସାବଧାନତା ଓ ସଚେତନତାର ଅଭାବ ହେତୁ ବହୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି, ଯୁବ ସମାଜ, ପୋଲିସ ଓ ପ୍ରାଶାସନିକ ଅଧିକାରୀ ମଧ୍ୟ ସାଇବର ଠକେଇର ଶିକାର ହେଉଛନ୍ତି । ବେଳେବେଳେ କେତେକ ଲୋକ ବିନା ପରିଶ୍ରମରେ ଅଧିକ ଲାଭ ପାଇବାର ପ୍ରଲୋଭନରେ ପଡ଼ି ଠକେଇର ଶିକାର ହୋଇଥାଆନ୍ତି । ଆଉ କିଛି ଲୋକ ଅଶ୍ଳୀଳ ଭିଡ଼ିଓ ମାଧ୍ୟମରେ ବ୍ଲାକମେଲ ହୋଇ ଆର୍ଥିକ ଶୋଷଣର ଶିକାର ହୁଅନ୍ତି । ତେଣୁ ଏସବୁ ପ୍ରତି ଗୁରୁତ୍ଵ ଦେଇ ଠକମାନଙ୍କ କବଳରୁ ଦୂରେଇ ରହିବାକୁ ଏସପି ଯୁବପିଢ଼ିଙ୍କୁ ସଚେତନ କରାଇଛନ୍ତି । କୌଣସି ବ୍ୟକ୍ତି ଫୋନ୍ କରି ବ୍ୟାଙ୍କ ବିବରଣୀ କିମ୍ବା ସିକ୍ରେଟ ପିନ୍, ଏଟିଏମ୍, କ୍ରେଡିଟ କାର୍ଡ ସମ୍ପର୍କିତ ତଥ୍ୟ ମାଗିଲେ ନଦେବାକୁ ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଖଡ଼ିଆଳରେ ସାଇବର ସଚେତନତା ଅଭିଯାନ

ଲୋକଙ୍କୁ ଏଭଳି ଠକେଇରୁ ନିସ୍ତାର ପାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩୦ ତାରିଖରେ ଭୁବନେଶ୍ବରରେ ସଚେତନତା ରଥ ଶୁଭାରମ୍ଭ କରିଥିଲେ । ଏହାପରେ ଅକ୍ଟବୋର ୨ରୁ କୋରାପୁଟ ସହରରୁ ସଚେତନତା ରଥ ବାହାରି ବିଭିନ୍ନ ବ୍ଲକ୍‌ ଗସ୍ତ କରି ଜନ ସାଧାରଣଙ୍କୁ ସାଇବର ଠକେଇ ସମ୍ପର୍କରେ ସଚେତନ କରିପାରିଛି ବୋଲି ଏସପି ସୂଚନା ଦେଇଛନ୍ତି । ଏହାବ୍ୟତୀତ ସ୍କୁଲ୍‌ କଲେଜମାନଙ୍କରେ କୁଇଜ୍ ପ୍ରତିଯୋଗିତା, ସନ୍ଧ୍ୟା କାଳୀନ ଭ୍ରମଣ ସମୟରେ ଲୋକଙ୍କୁ ସଚେତନତା କରାଯିବା ସହ ଗ୍ରାମାଞ୍ଚଳ ମାନଙ୍କରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀମାନଙ୍କ ମାଧ୍ୟମରେ ସଚେତନ କରାଯାଇଛି ।

ଆଜିକାଲି ଅଧିକାଂଶ ଲୋକ ଫେସ୍‌ବୁକ୍‌, ଟ୍ବିଟର ଭଳି ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଠକ ଗୋଷ୍ଠୀ ସୋସିଆଲ ମିଡିଆରୁ ବ୍ୟବହାରକାରୀଙ୍କ ତଥ୍ୟ ସଂଗ୍ରହ କରି ଟଙ୍କା ଲୁଟିବା ପାଇଁ ଯୋଜନା କରୁଥିବାରୁ ନିଜ ପ୍ରଫାଇଲ ଲକ୍ କରି ରଖିବାକୁ ପରାମର୍ଶ ଦେଇଛନ୍ତି ଏସପି । ସାଇବର ସଚେତନତା ଅଭିଯାନ ଏବଂ ସାଇବର ସୁରକ୍ଷା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Oct 15, 2023, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.