ETV Bharat / state

ସ୍ବାବଲମ୍ବୀ ହେବେ କୋରାପୁଟ ଯୁବପିଢି, କଫି ଚାଷ ମିଳୁଛି ପ୍ରୋତ୍ସାହନ

author img

By ETV Bharat Odisha Team

Published : Oct 26, 2023, 10:16 PM IST

ବିଶ୍ବବାସୀଙ୍କ ମନ କିଣୁଛି କୋରାପୁଟର କଫି । କଫି ଉଦ୍ୟୋଗକୁ ବଢାଇବା ପାଇଁ ଯୁବପିଢିଙ୍କୁ ନିଃଶୁଳ୍କ ପ୍ରୋତ୍ସାହନ ଯୋଗାଉଛନ୍ତି କଫି ଉଦ୍ୟୋଗୀ । ଅଧିକ ପଢନ୍ତୁ

ବିଶ୍ବବାସୀଙ୍କ ମନ କିଣୁଛି କୋରାପୁଟର କଫି
ବିଶ୍ବବାସୀଙ୍କ ମନ କିଣୁଛି କୋରାପୁଟର କଫି

ବିଶ୍ବବାସୀଙ୍କ ମନ କିଣୁଛି କୋରାପୁଟର କଫି

କୋରାପୁଟ: କଫି ଉତ୍ପାଦନରେ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛି କୋରପୁଟ । କୋରପୁଟର ବିଭିନ୍ନ କିଶମର କଫି ଅନ୍ତର୍ଜାତୀୟ ବଜାରରେ ବେଶ ଚାହିଦା ରହିଛି । ଏହାକୁ ନେଇ ଏବେ କୋରାପୁଟର ବିଭିନ୍ନ ଯୁବପିଢିଙ୍କ ମଧ୍ୟରେ କଫି ଚାଷ ପ୍ରତି ଆଗ୍ରହ ବଢୁଛି । ଗ୍ରାମାଞ୍ଚଳରେ ଯୁବପିଢ଼ି ନିଜ ନିଜ ଜମିରେ କଫି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେମାନଙ୍କ ମଧ୍ୟରେ ଉଙ୍କି ମାରୁଥିବା ଏହି ସ୍ବପ୍ନକୁ ଦିଶା ଦେବା ପାଇଁ ସପ୍ତଗିରି କଫି ବଗିଚାର ଉଦ୍ୟୋଗୀ ସୁଶାନ୍ତ ପଣ୍ଡା ଆଗେଇ ଆସିଛନ୍ତି । ଗତ ଚାରି ବର୍ଷ ମଧ୍ୟରେ 15 ଜଣ ଯୁବ ଚାଷୀଙ୍କୁ ସେମାନଙ୍କ ନିଜ ଜମିରେ କଫି ଚାଷ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି କଫି ଉଦ୍ୟୋଗୀ । ଏହାସହ ବଗିଚା ସୃଷ୍ଟି କରିବା ପାଇଁ ଆବଶ୍ୟକ ହେଉଥିବା ସିଲଭର ଓକ ଏବଂ କଫି ଚାରା ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି ସୁଶାନ୍ତ ପଣ୍ଡା ।

କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି, ‘‘କୋରାପୁଟର କଫି ଏବେ ବିଶ୍ବ ବଜାରରେ ବେଶ ଖ୍ୟାତି ଅର୍ଜନ କରିଛି । କଫି ଚାଷକୁ ନେଇ ଅନେକ ଯୁବକ ଆଗ୍ରହ ପ୍ରକାଶ କରିଛନ୍ତି । ବାହାର ରାଜ୍ୟରେ ଦାଦନ ଖଟିବା ପରିବର୍ତ୍ତେ ନିଜ ଅଞ୍ଚଳରେ ସ୍ବାବଲମ୍ବୀ ହେବା ପାଇଁ ଆମ ଉଦ୍ୟୋଗ ତାଙ୍କୁ ସାହାଯ୍ୟ ପ୍ରଦାନ କରୁଛି । ବୌଷୟିକ ଜ୍ଞାନ ସହ ତାଙ୍କୁ କଫିର ଚାରା ମାଗଣାରେ ଉପଲବ୍ଧ କରାଯାଉଛି । ଯାହା ଫଳରେ ସେମାନେ ନିଜ ଅଞ୍ଚଳରେ ରହି ବେଶ ଦୁଇ ପାଇସା ପାଇ ପାରିବେ ।’’

ଏହା ମଧ୍ୟ ପଢନ୍ତୁ..ମହକୁଛି କୋରାପୁଟ କଫି, ତିନୋଟି ବଗିଚାର କଫିକୁ ମିଳିଲା ଉତ୍ତମ ଫ୍ଲେବର ସମ୍ମାନ

ସେ ଆହୁରି ମଧ୍ୟ କହିଛନ୍ତି, ‘‘ବିଶ୍ବର ବିଭିନ୍ନ ସ୍ଥାନର କଫି ପ୍ରେମୀ କୋରାପୁଟ କଫିର ସ୍ୱାଦ ନେଉଥିବା ବେଳେ କୋରାପୁଟର କଫି ବଗିଚା ଗୁଡିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ସେ ଛୋଟାଗୁଡାର ବ୍ରାଉନ ଭେଲି କଫି ବଗିଚା ହେଉ ବା ରାଜୁଗୁଡ଼ାର ସପ୍ତଗୀରି କଫି । ପର୍ଯ୍ୟଟକ କଫି ଉଦ୍ୟାନର ମହକ ସାଙ୍ଗକୁ ଶାନ୍ତ ଶୀତଳ ପରିବେଶ ପାଇ ବେଶ ଉଲ୍ଲସିତ ହୋଇଉଠନ୍ତି । ଅନ୍ୟାନ୍ୟ କଫି ବଗିଚାରେ ଯୁବ ପିଢ଼ିଙ୍କ ଦ୍ୱାରା ନୂତନ କଫି ବଗିଚା ସୃଷ୍ଟି କରାଗଲେ କଫି ସହ ପର୍ଯ୍ୟଟନ ବୃଦ୍ଧିରେ ସହାୟକ ହେବ । ଏହି ଯୁବ କଫି ଚାଷୀ ସରକାରୀ ସହଯୋଗ ପାଇବା ପାଇଁ କଫି ବୋର୍ଡ ସହ ପଞ୍ଜିକରଣ କରାଇବା ଦିଗରେ ମଧ୍ଯ କାର୍ଯ୍ୟ ଜାରି ରହିଛି ।’’

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.