ETV Bharat / state

ବେଙ୍ଗାଲୁରୁରୁ ଆସିଛନ୍ତି ବିଶେଷଜ୍ଞ, ବଢିବ କୋରାପୁଟ କଫିର ମାନ

author img

By ETV Bharat Odisha Team

Published : Dec 23, 2023, 1:44 PM IST

Koraput coffee: କଫିର ଗୁଣାବତା ବୃଦ୍ଧି ପାଇଁ କୋରାପୁଟ ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ କଫି ଗବେଷଣା କେନ୍ଦ୍ରର ବିଶେଷଜ୍ଞ । ପୁଣି ବିଶ୍ବସ୍ତରରେ ଖ୍ୟାତି ଅର୍ଜନ କରିବ କୋରାପୁଟ କଫି । ଅଧିକ ପଢନ୍ତୁ

କୋରାପୁଟ କଫି
Central Coffee Research Centre Expert visit Koraput

Koraput coffee

କୋରାପୁଟ: କୋରାପୁଟ ଗସ୍ତରେ ଆସିଛନ୍ତି ବେଙ୍ଗାଲୁରୁ ସ୍ଥିତ ବେରିକୋ କମ୍ପାନୀ ତଥା କେନ୍ଦ୍ରୀୟ କଫି ଗବେଷଣା କେନ୍ଦ୍ରର ବିଶେଷଜ୍ଞ ନିରୂପମ ରଞ୍ଜନ । କୋରାପୁଟ ବଗିଚାରେ ଉତ୍ପାଦିତ ହେଉଥିବା କଫିର ମାନ ବୃଦ୍ଧି ପାଇଁ ସେ ଜିଲ୍ଲା ଗସ୍ତରେ ଆସିଛନ୍ତି । କିଛିଦିନ ପୂର୍ବେ ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତିୟ କଫି ସମ୍ମିଳନୀରେ କୋରାପୁଟ ଜିଲ୍ଲାର ତିନୋଟି ବଗିଚାର କଫି ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲା । ରାଜୁପୁଟ ସ୍ଥିତ ସପ୍ତଗିରି କଫି ଉଦ୍ୟାନର କଫି, କିନ୍ଦିରିଗୁଡାରେ କୃତି କଫିର ପ୍ରୋତ୍ସାହନରେ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କଫି ଓ ପଞ୍ଚଡାସ୍ଥିତ ଦାସ କଫି ବଗିଚାର କଫିକୁ ଚଳିତ ବର୍ଷ ପାଇଁ ସମ୍ମାନଜନକ 'ଫ୍ଲେବର ଅଫ ଇଣ୍ଡିଆ, ଦି ଫାଇନ କପ' ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ତରଫରୁ ‘କୋରାପୁଟ କଫି’ ବ୍ରାଣ୍ଡକୁ ପ୍ରସାର କରାଯାଉଥିବା ବେଳେ ଜିଲ୍ଲାରେ ବେସରକାରୀ ସ୍ତରରେ ନିଜ ନିଜ କଫି ବଗିଚାର ବ୍ରାଣ୍ଡ ପ୍ରସ୍ତୁତ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ଚାଷୀ । ଭାରତ ବର୍ଷରେ ଗତ 200 ବର୍ଷ ଧରି କଫି ଚାଷ ଆରମ୍ଭ ହୋଇଥିଲେ ହେଁ ଓଡ଼ିଶା ମାଟିରେ ବିଶେଷ କରି କୋରାପୁଟ ଜିଲ୍ଲାରେ ଗତ 35 ବର୍ଷ ଧରି କଫିର ବ୍ୟବସାୟୀକରଣ କରାଯାଇଛି । ଯାହା କଫି ବଜାରରେ ଏକ ନୂତନ ପରିଚୟ ପାଇଛି । କଫି ବଗିଚାରୁ ବାହାରୁଥିବା କଫି ଦାନାକୁ ଅନ୍ୟକୁ ବିକ୍ରି କରିଦେବା ଭଳି ସ୍ଥିତିରୁ ବାହାରି କୋରାପୁଟ କଫି ଉଦ୍ୟୋଗୀ କଫି ଦାନାରୁ ଗୁଣ୍ଡ ପ୍ରସ୍ତୁତ କରି ଜାତୀୟ ତଥା ଆନ୍ତର୍ଜାତିୟ ବଜାରରେ ଖ୍ୟାତି ଅର୍ଜନ କରିପାରିଛନ୍ତି । କୋରାପୁଟ ମାଟିର ଉର୍ବରତା, ଅନୁକୂଳ ପାଣିପାଗାର ପ୍ରଭାବ ଯୋଗୁଁ ଏଟାରୁ ଉତ୍ପାଦିତ କଫି ବିଶ୍ବ ଦରବାରରେ ଆଦୃତ ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ-ମହକୁଛି କୋରାପୁଟ କଫି, ତିନୋଟି ବଗିଚାର କଫିକୁ ମିଳିଲା ଉତ୍ତମ ଫ୍ଲେବର ସମ୍ମାନ

ଏନେଇ କଫି ବିଶେଷଜ୍ଞ ନିରୂପମ ରଞ୍ଜନ କହିଛନ୍ତି, ‘‘କୋରାପୁଟ କଫିର ଗୁଣବତାକୁ ଆମେ ବୃଦ୍ଧି କରିବାକୁ ଚାହୁଁଛୁ । କଫି କିପରି ଉତ୍ପାଦନ ହେଉଛି, ଉତ୍ପାଦନ ପରେ ଏହାର ଗୁଣବତା ଯାଞ୍ଚ କରିବା ଉପରେ ଆମେ କାମ କରିଛୁ । ଏହି ସବୁ ଅଭିଜ୍ଞତା ଆମେ କୋରାପୁଟ ସହ ବାଣ୍ଟିବାକୁ ଚାହୁଁଛୁ । ଯେଉଁ କଫିକୁ ଆମେ ଏଠାରେ ଉତ୍ପାଦନ କରିବାକୁ ଚାହୁଁଛୁ ତାହା ବିଶ୍ବସ୍ତରରେ ଖ୍ୟାତି ଅର୍ଜନ କରୁ ବୋଲି ଆମେ ଚାହୁଁଛୁ । 2020 ମସିହାରୁ ଆମେ କୋରାପୁଟ ସହ ଜଡିତ । ଏହାରି ମଧ୍ୟରେ କଫି ଉତ୍ପାଦନରେ ବୃଦ୍ଧି ହୋଇଛି । ’

ଏନେଇ ଜଣେ କଫି ଉଦ୍ୟୋଗୀ କହିଛନ୍ତି, ‘‘ମୁଁ ଓ ମୋର ଭାଇ ଓଡିଶୀ କଫି କମ୍ପାନୀ ଆରମ୍ଭ କରିଛୁ । ବେଙ୍ଗାଲୁରୁରୁ ଆସିଥିବା ବେରିକୋ ଟିମ ସହ ଆମେ ମିଶି କଫିନ ମାନବୃଦ୍ଧି ପାଇଁ କାମ କରୁଛୁ । ବେରିକୋ ଟିମ କଫିର ମାନକୁ ନେଇ ଆମକୁ ଗାଇଡାନ୍ସ ଦେଉଛନ୍ତି ।’’ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶେଷଜ୍ଞ ନିରୂପମ ରଞ୍ଜନଙ୍କ ବୈଷୟିକ ଜ୍ଞାନ ସାଙ୍ଗକୁ କଫି ଉଦ୍ୟୋଗୀ ସନ୍ତୋଷ ଓ ପାର୍ଥଙ୍କ ଦ୍ୱାରା କଫିର ମାନ ବୃଦ୍ଧି କରିବା ପାଇଁ ଆରମ୍ଭ କରାଯାଇଥିବା ଓଡିଶୀ କଫି ସଂସ୍ଥା ଆନୁଷ୍ଠାନିକ ଭାବେ କଫି ଉତ୍ପାଦନ କାରୀଙ୍କ ଦକ୍ଷତା ବୃଦ୍ଧି କରିବାରେ ସମର୍ଥ ହେବ ବୋଲି ବ୍ରାଉନ ଭେଲିର ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.