ETV Bharat / state

କୋରାପୁଟ ଆଦିବାସୀ ସଂଗ୍ରହାଳୟ ବୁଲି ଦେଖିଲେ ଆନ୍ଧ୍ର ଅଧିକାରୀ

author img

By

Published : Oct 27, 2022, 9:20 AM IST

ଆନ୍ଧ୍ର ପ୍ରଦେଶ ଚିନ୍ତାପଲି ମଣ୍ଡଳ ଅନ୍ତର୍ଗତ ଲାମସୀଙ୍ଗି ଠାରେ ଆଦିବାସୀ ସଂଗ୍ରହାଳୟ ସ୍ଥାପନା କରିବେ ଆନ୍ଧ୍ର ସରକାର । ତେବେ ଏହା ପୂର୍ବରୁ କୋରାପୁଟ ଆଦିବାସୀ ସଂଗ୍ରହାଳୟ ବୁଲି ଦେଖି ଜ୍ଞାନ ଆହରଣ କରିଛନ୍ତି ଆନ୍ଧ୍ର ଆଦିବାସୀ କଲ୍ୟାଣ ବିଭାଗର ସ୍ବତନ୍ତ୍ର ଟିମ । ଅଧିକ ପଢ଼ନ୍ତୁ

କୋରାପୁଟ ଆଦିବାସୀ ସଂଗ୍ରହାଳୟ ବୁଲି ଦେଖିଲେ ଆନ୍ଧ୍ର ଅଧିକାରୀ
କୋରାପୁଟ ଆଦିବାସୀ ସଂଗ୍ରହାଳୟ ବୁଲି ଦେଖିଲେ ଆନ୍ଧ୍ର ଅଧିକାରୀ

କୋରାପୁଟ: କୋରାପୁଟ ଆଦିବାସୀ ସଂଗ୍ରହାଳୟ ବୁଲି ଦେଖିଲେ ଆନ୍ଧ୍ର ଆଦିବାସୀ କଲ୍ୟାଣ ବିଭାଗର ସ୍ବତନ୍ତ୍ର ଟିମ । ଆନ୍ଧ୍ର ପ୍ରଦେଶ ଚିନ୍ତାପଲି ମଣ୍ଡଳ ଅନ୍ତର୍ଗତ ଲାମସୀଙ୍ଗି ଠାରେ ଆନ୍ଧ୍ର ସରକାର ଏକ ଆଦିବାସୀ ସଂଗ୍ରହାଳୟ ସ୍ଥାପନା କରିବାକୁ ଯୋଜନା କରିଥିବା ବେଳେ ଏହା ପୂର୍ବରୁ କୋରାପୁଟ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ଆନ୍ଧ୍ର ଅଧିକାରୀ ।

କୋରାପୁଟ ଆଦିବାସୀ ସଂଗ୍ରହାଳୟ ବୁଲି ଦେଖିଲେ ଆନ୍ଧ୍ର ଅଧିକାରୀ

ଆନ୍ଧ୍ର ପ୍ରଦେଶର ଚିନ୍ତାପଲି ମଣ୍ଡଳ ଅନ୍ତର୍ଗତ ଲାମସୀଙ୍ଗି ଠାରେ ଆନ୍ଧ୍ର ସରକାର ୩୫ କୋଟି ଟଙ୍କା ବ୍ୟୟରେ ଏକ ଆଦିବାସୀ ସଂଗ୍ରହାଳୟ ସ୍ଥାପନା କରିବାକୁ ଯୋଜନା କରିଛନ୍ତି । ତେବେ ଏକ ଆଦିବାସୀ ସଂଗ୍ରହାଳୟ କିପରି ହେବା ଆବଶ୍ୟକ ସେ ସମ୍ପର୍କରେ ଜାଣିବା ପାଇଁ ଆନ୍ଧ୍ର ଆଦିବାସୀ କଲ୍ୟାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ଶ୍ରୀନିବାସଙ୍କ ନେତୃତ୍ବରେ ଦୁଇଜଣ ପ୍ରଫେସର ଓ ଦୁଇଜଣ କ୍ୟୁରେଟରଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଗବେଷକ ଦଳ ବୁଧବାର କୋରାପୁଟ ସ୍ଥିତ ଆଦିବାସୀ ସଂଗ୍ରହାଳୟ ବୁଲି ଦେଖିଥିଲେ । ଶହେ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଐତିହ୍ୟ ଭବନରେ ସ୍ଥାପିତ ଏହି ସଂଗ୍ରହାଳୟ ଓ ଏଥିରେ ସଂରକ୍ଷିତ ହୋଇଥିବା ଆଦିବାସୀ ଜୀବନର ପ୍ରତିଚ୍ଛବିକୁ ଦେଖି ଆନ୍ଧ୍ର ବିଶେଷଜ୍ଞ ଦଳ ଅନେକ କିଛି ଶିକ୍ଷା ଗ୍ରହଣ କରିଥିବା ଶ୍ରୀନିବାସ ସୂଚନା ଦେଇଛନ୍ତି ।

୧୯୯୨ ମସିହାରେ କୋରାପୁଟ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଥିଲା । ଆମର ପ୍ରାଚୀନ ଜୀବନଧାରାର ସ୍ମୃତିକୁ ସାଇତି ରଖିବା ସହ ପ୍ରଦର୍ଶିତ କରିବାରେ ଏହି ସଂଗ୍ରହାଳୟ ସଫଳ ହୋଇଛି ବୋଲି ସଂଗ୍ରହାଳୟର ନିର୍ଦେଶକ ଜଗବନ୍ଧୁ ସାମଲ ମତ ଦେଇଛନ୍ତି । ଏପର୍ଯ୍ୟନ୍ତ ହୋଇଯାଇଥିବା କାର୍ଯ୍ୟର ଗୁଣାତ୍ମକ ମାନବୃଦ୍ଧି କରି ଗବେଷଣା ଓ ସଂସ୍କୃତି ସଂରକ୍ଷଣ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ସେ ସୂଚନା ଦେଇଛନ୍ତି । ବିନା କୌଣସି ସରକାରୀ ସହାୟତାରେ ଏହି ଅନୁଷ୍ଠାନଟି ଦୀର୍ଘବର୍ଷ ଧରି ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ସମଗ୍ର କୋରାପୁଟ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ଜନଜାତି ସମ୍ପର୍କରେ ସମ୍ୟକ ଧାରଣା ଦେଉଥିବା ଏହି ସଂଗ୍ରହାଳୟକୁ ଚାଲୁ ରଖିବା ପରିଚାଳକଙ୍କ ପାଇଁ ଏକ ଗୁରୁ ଦାୟିତ୍ବ ପାଲଟିଛି । ମାଲକାନଗିରି ଜିଲ୍ଲାର ବଣ୍ଡା ଓ କୋୟା ଠାରୁ ଆରମ୍ଭ କରି ନବରଙ୍ଗପୁରର ଗୋଣ୍ଡ, କୋରାପୁଟ ଜିଲ୍ଲାର ପରଜା, କନ୍ଧ, ଭତରା, ଦୁରୁଆ, ଗାଦବା ତଥା ରାୟଗଡା ଜିଲ୍ଲାର ସଉରା ଜନଜାତିର ଜୀବନ ଧାରା, ଚାଲି ଚଳଣି, ନାଚଗୀତ, ବସ୍ତ୍ର, ଅସ୍ତ୍ର, ଗହଣା ପ୍ରଭୃତି ସମ୍ପର୍କରେ ତଥ୍ୟ ପ୍ରଦାନ କରି ଏହା ଅନନ୍ୟ ହୋଇପାରିଛି ବୋଲି ସଂଗ୍ରହାଳୟର ନିର୍ଦେଶକ ଜଗବନ୍ଧୁ ସାମଲ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.