ETV Bharat / state

ତୁଟୁନି କୋଟିଆ କଳି, ଆନ୍ଧ୍ର ସ୍କୁଲରେ ଓଡିଆ ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି

author img

By

Published : Aug 12, 2021, 11:22 AM IST

ଓଡିଶା-ଆନ୍ଧ୍ର ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରେ କଥା କଟାକଟି ପରେ ଏବେ ଦେଖା ଦେଇଛି ନୂଆ ସମସ୍ୟା । କୋଟିଆ ଛାତ୍ରୀଙ୍କ ପାଇଁ ଆନ୍ଧ୍ର ସ୍କୁଲରେ ସ୍ଥାନ ସଂରକ୍ଷଣ ପାଇଁ ଦାବି । ଅଧିକ ପଢନ୍ତୁ...

ଆନ୍ଧ୍ର ସ୍କୁଲରେ କୋଟିଆ ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି
ଆନ୍ଧ୍ର ସ୍କୁଲରେ କୋଟିଆ ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି

କୋରାପୁଟ: ଦିନକୁ ଦିନ ନୂଆ ନୂଆ ଦ୍ବନ୍ଦ୍ବ ସାମ୍ନାକୁ ଆସୁଛି କୋଟିଆର । ଗତ କିଛିଦିନ ଧରି ଓଡିଶା-ଆନ୍ଧ୍ର ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରେ କଥା କଟାକଟି ଭୟଙ୍କର ରୂପ ନେବା ପରେ ବର୍ତ୍ତମାନ ଆନ୍ଧ୍ର ସ୍କୁଲରେ କୋଟିଆର ଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ପାଇଁ ଦାବିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।ଗତକାଲି(ବୁଧବାର) ତଳ ଗଞ୍ଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ବାରା ମନୋନୀତ ସରପଞ୍ଚ ଗେମେଲ ଦିବାକର ଓ ପୂର୍ବତନ ସରପଞ୍ଚ ବିଶୁ ଗେମେଲ ଆନ୍ଧ୍ର ସରକାରଙ୍କୁ ଏକ ପତ୍ର ମାଧ୍ୟମରେ ଆନ୍ଧ୍ରପ୍ରଦେଶର ବିଦ୍ୟାଳୟରେ କୋଟିଆ ଅଞ୍ଚଳର ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ପାଇଁ ଦାବି କରିଛି ।

ଆନ୍ଧ୍ର ସ୍କୁଲରେ କୋଟିଆ ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି

ସେମାନେ ତାଙ୍କ ପତ୍ରରେ ସାଲୁର ନିକଟ ପି-କୋନାବାଲାସା ଠାରେ ଥିବା ଆନ୍ଧ୍ର ସରକାରଙ୍କ ଦ୍ବାରା ପରିଚାଳିତ ବିଦ୍ୟାଳୟରେ କୋଟିଆ ଅଞ୍ଚଳର ସମସ୍ତ 21 ଟି ଗ୍ରାମର ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ପାଇଁ ଦାବି କରିଛନ୍ତି । ଚଳିତ ମାସ 16 ତାରିଖରେ ଆନ୍ଧ୍ରପ୍ରଦେଶର ସମସ୍ତ ବିଦ୍ୟାଳୟ ଖୋଲୁ ଥିବାବେଳେ ଓଡ଼ିଶାର ବିଦ୍ୟାଳୟ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ଯୋଗୁଁ ଏହି ପତ୍ରର ଗୁରୁତ୍ୱ ବୃଦ୍ଧି ପାଇଛି । କୋଟିଆର ପିଲାଙ୍କ ପାଇଁ ଥୁରିଆ ଠାରେ ଓଡିଶା ସରକାରଙ୍କ ଦ୍ବାରା ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ଏକ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲେ ହେଁ ଆନ୍ଧ୍ର ବିଦ୍ୟାଳୟରେ ପଢିଲେ ଆର୍ଥିକ ଅନୁଦାନ ମିଳିବା ସହ ଉନ୍ନତ ମାନର ଖାଦ୍ୟ ଓ ଆନୁସଙ୍ଗିକ ସୁବିଧା ମିଳୁଥିବା ଯୋଗୁଁ କୋଟିଆର ଅନେକ ପିଲା ଆନ୍ଧ୍ର ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ।

ତେଣୁ ଦିବାକର ଓ ବିଶୁ ଗେମେଲଙ୍କ ଚିଠି ଅନୁଯାୟୀ ଆନ୍ଧ୍ର ସରକାର ସ୍ଥାନ ବୃଦ୍ଧି କରିବା ସହ କୋଟିଆର ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଗଲେ ଓଡ଼ିଶାର ବିଦ୍ୟାଳୟ ଖୋଲିଲା ବେଳକୁ କୋଟିଆ ପିଲାଏ କେତେଦୂର ଆକର୍ଷିତ ହେବେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଶିଷ୍ଟ ସମୀକ୍ଷକ ସୁଧାକର ପଟ୍ଟନାୟକଙ୍କ କହିବାନୁଯାୟୀ, ଓଡ଼ିଶାର ବିଦ୍ୟାଳୟଗୁଡିକରେ ସୁବିଧା ସୁଯୋଗ ବୃଦ୍ଧି କରିପାରିଲେ କୋଟିଆର ପିଲାମାନଙ୍କୁ ଆକର୍ଷିତ କରିବା ସମ୍ଭବ ହୋଇପାରିବ । ଏଠାକାର ପିଲାମାନେ କନ୍ଧ ସମ୍ପ୍ରଦାୟର ହୋଇଥିବା ଯୋଗୁଁ ପ୍ରତ୍ୟେକ ଗାଁରେ ବିଦ୍ୟାଳୟ ଖୋଲିବା ସହ ପ୍ରତି ବିଦ୍ୟାଳୟରେ କୁଈ ଭାଷା ଭିତ୍ତିକ ଶିକ୍ଷକ ନିୟୋଜିତ କରିବାର ଆବଶ୍ୟକ ରହିଛି ବୋଲି ଆଦିବାସୀ ସମାଜର ସମ୍ପାଦକ ପଦ୍ମନାଭ ଯାନୀ ମତ ରଖିଛନ୍ତି । ସାଂସଦଙ୍କ ପୋଷ୍ୟ ପଞ୍ଚାୟତ ଭାବେ କୋଟିଆର ଉନ୍ନତି ପାଇଁ ସାଂସଦ ସଂସଦରେ ମଧ୍ୟ ପ୍ରଶ୍ନ ଉତ୍ଥାପନ କରିଥିଲେ ହେଁ ରାଜ୍ୟ ସରକାରଙ୍କ ଅଣଦେଖା ଫଳରେ ଓଡ଼ିଶାର ପିଲାଏ ଆଜିବି ଆନ୍ଧ୍ର ମୁହାଁ ହେଉଥିବା ପୂର୍ବତନ ବିଧାୟକ ନିମାଇଁ ସରକାର ଅଭିଯୋଗ କରିଛନ୍ତି ।

କୋଟିଆ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ କକ୍ଷରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାଙ୍ଗିର ବିଡ଼ିଓଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏହି ବୈଠକର ସମ୍ପୂର୍ଣ୍ଣ ବିବରଣୀ ମିଳିପାରିନାହିଁ । ତେବେ ବର୍ତ୍ତମାନ କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବୃଦ୍ଧି ପାଇଥିବା ଛକାପଞ୍ଝା ସମୟରେ ଏହି ବୈଠକ କେତେ ଫଳପ୍ରଦ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.