ETV Bharat / state

କିନ୍ଦିରିଗୁଡ଼ାରେ ହସ ଭରିଦେଲା 'କୃତି କଫି'

author img

By

Published : Oct 22, 2021, 10:53 PM IST

କୋରାପୁଟ ଜିଲ୍ଲାରେ ଲୋକପ୍ରିୟ ହେବାରେ ଲାଗିଛି କଫି । କଫି ଚାଷ ପ୍ରତି ବଢୁଛି ଲୋକଙ୍କ ଆକର୍ଷଣ । କଫି ଗ୍ରାମାବାସୀଙ୍କୁ କରିଛି ଆତ୍ମନିର୍ଭରଶୀଳ । ଦେଖନ୍ତୁ ଏହି ରିପୋର୍ଟ...

a success story of Community development over coffee farming in Koraput
କୃତ୍ତି କଫି ମାଧ୍ୟମରେ ଆଗକୁ ବଢୁଛି କିନ୍ଦିରିଗୁଡାର କଫି ବଗିଚା, ଗ୍ରାମବାସୀ ହେଉଛନ୍ତି ଆତ୍ମନିର୍ଭରଶୀଳ

କୋରାପୁଟ: ଆଗକୁ ବଢୁଛି କୋରାପୁଟ କଫି । ଦିନକୁ ଦିନ ଜିଲ୍ଲାରେ ଲୋକପ୍ରିୟ ହେବାରେ ଲାଗିଛି କଫି। କଫି ଚାଷ ପ୍ରତି ବଢୁଛି ଗ୍ରାମବାସୀଙ୍କ ଆକର୍ଷଣ । କଫି ଗ୍ରାମାବାସୀଙ୍କୁ କରିଛି ଆତ୍ମନିର୍ଭରଶୀଳ । ଖାଲି ସେତିକି ନୁହେଁ, ଗାଁରେ ଅତିଥିଙ୍କୁ ପ୍ରଦାନ କରୁଛନ୍ତି କଫି । କଫି ବିନରୁ ପ୍ରସ୍ତୁତ ଗୁଣ୍ଡକୁ ବ୍ୟବହାର କରି ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ଏବଂ ଅତିଥିଙ୍କୁ ପରଷୁଛନ୍ତି । ଆମେ କହୁଛୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପଞ୍ଚଡା ପଞ୍ଚାୟତର କିନ୍ଦିରୀଗୁଡ଼ାର କଥା ।

କୃତ୍ତି କଫି ମାଧ୍ୟମରେ ଆଗକୁ ବଢୁଛି କିନ୍ଦିରିଗୁଡାର କଫି ବଗିଚା, ଗ୍ରାମବାସୀ ହେଉଛନ୍ତି ଆତ୍ମନିର୍ଭରଶୀଳ

ଅନେକ ବର୍ଷ ପୂର୍ବେ କୋରାପୁଟ ଜିଲ୍ଲା ପ୍ରଶାସନ ଓ କଫି ବୋର୍ଡ ର ଉଦ୍ୟମରେ କୋରାପୁଟ ଓ ଲଷ୍ମୀପୁର ମଧ୍ୟରେ ଥିବା କିନ୍ଦିରିଗୁଡା ରେ ଗ୍ରାମବାସୀଙ୍କ ସମୂହ ମାଲିକାନାରେ କଫି ଚାଷର ମୂଳଦୁଆ ପଡିଥିଲା । ଗାଁ ର 40ଟି ପରିବାରକୁ ଏକ ଏକ ଏକରର କଫି ଗଛ ପଟ୍ଟା ପ୍ରଦାନ କରାଯାଇ ଗାଁର ଶେଷ ମୁଣ୍ଡରେ ଥିବା ପାହାଡିଆ ଜମିକୁ କଫି ବଗିଚାର ରୂପ ଦିଆଯାଇଥିଲା । ବହୁ ଉତ୍ସାହ ର ସହ ଆରମ୍ଭ ହୋଇଥିବା ଏହି ପ୍ରୟାସଟି କିନ୍ତୁ ଆବଶ୍ୟକ ପରିମାଣର ପ୍ରୋତ୍ସାହନ ଅଭାବରୁ ମଳିନ ପଡିଯାଇଥିଲା । ଗଛରେ ମଧ୍ୟ ପୋକ ଲାଗି ବଗିଚା ନଷ୍ଟ ପ୍ରାୟ ହୋଇଯାଇଥିଲା । ହତାଶାର କଳାମେଘ ଗ୍ରାମବାସୀଙ୍କୁ ହତୋତ୍ସାହିତ କରିଆସୁଥିବା ବେଳେ ବିଜୁଳି ଚମକିବା ଭଳି କୋରାପୁଟର ଉଦୀୟମାନ ଯୁବକଙ୍କ ଅନନ୍ୟ ପ୍ରୟାସ ସେମାନଙ୍କ ମଧ୍ୟରେ ଆଶା ଓ ଭରସା ବୃଦ୍ଧି କରିଥିଲା ।

ହଂକଂରେ ଡାକ୍ତର ଭାବେ କାର୍ଯ୍ୟରତ କୋରାପୁଟ ଯୁବକ କାମାକ୍ଷା ପ୍ରସାଦ ଦାସ ନିଜ ବନ୍ଧୁବର୍ଗଙ୍କ ସହ ମିଶି ଆରମ୍ଭ କରିଥିବା 'କୃତି କଫି' ମାଧ୍ୟମରେ କିନ୍ଦିରିଗୁଡ଼ାର କଫି କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଆଗେଇଆସିଛନ୍ତି । ଉନ୍ନତମାନର କଫି ଚାଷ କରିବା , ତାର ରକ୍ଷଣାବେକ୍ଷଣ କରିବା ସହ ଉଚିତ ମୂଲ୍ୟରେ ବିକ୍ରି କରିବା ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସହ କୃତି କଫି ସହଯୋଗ କରିବା ଫଳରେ ଆଜି ଗ୍ରାମବାସୀଙ୍କ ମୁଖରେ ହସ ପୁଣିଥରେ ଫୁଟିଉଠିଛି । 'କୃତି କଫି' ଗ୍ରାମବାସୀଙ୍କୁ କଫି ବଗିଚାରେ ବ୍ୟବସାୟର ସହଯୋଗ କରିବା ସହ ସେମାନଙ୍କ ପରିବାର ରେ ଶିକ୍ଷା , ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କୁ ସୁଧାରିବା ପାଇଁ ସହଯୋଗର ହାତ ବଢ଼ାଇବା ଫଳରେ ଗାଁ ରେ ଉଚ୍ଚଶିକ୍ଷିତ ଯୁବକ ନୂତନ ଆଲୋକ ଦେଖାଦେଇଛି।

ନିଜ ବଗିଚାରୁ ବଜାର ପର୍ଯ୍ୟନ୍ତ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିଥିବା ଯୋଗୁଁ ଗ୍ରାମବାସୀ ମଧ୍ୟ ଆନନ୍ଦର ସହ କଫି ଚାଷକୁ ଆପଣାଇ ନେବା ସହ କୃତୀ କଫି ର ବନ୍ଧୁ ଉଦ୍ୟୋଗୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ତେବେ ବର୍ତମାନ କୋରାପୁଟ ଜିଲ୍ଲାରେ ସରକାରଙ୍କ ଉଦ୍ୟମରେ ଆଦିବାସୀ ଚାଷୀ କଫି ଚାଷ କରୁଥିବା ବେଳେ କୃତି କଫି ଭଳି ଦେଶର ଅନ୍ୟାନ୍ୟ ବ୍ୟବସାୟିକ ସଂଗଠନ ଗୁଡ଼ିକ କିପରି କୋରାପୁଟ ପ୍ରତି ଆକୃଷ୍ଟ ହେବେ ସେଦିଗରେ ସରକାର ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.