ETV Bharat / state

ପୁଅ ପାଇଁ ମା’ ଆଖିରେ ଲୁହ, ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ତପନ

author img

By

Published : Nov 1, 2021, 4:34 PM IST

ରୋଗ ଶଯ୍ୟାରେ ରୋଜଗାରିଆ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପୁଅର ଚିକିତ୍ସା ପାଇଁ ମା' ରମାମଣୀଙ୍କ ଆକୁଳ ନିବେଦନ । ଅଧିକ ପଢନ୍ତୁ....

ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ତପନ, ପୁଅର ଚିକିତ୍ସା ପାଇଁ ମା'ର ଆକୁଳ ନିବେଦନ
ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ତପନ, ପୁଅର ଚିକିତ୍ସା ପାଇଁ ମା'ର ଆକୁଳ ନିବେଦନ

ଖୋର୍ଦ୍ଧା: ଦୁଃଖରେ ଦିନ କାଟୁଛନ୍ତି ଖୋର୍ଦ୍ଧା ଜିଲ୍ଲା ଡିଙ୍ଗର ଗ୍ରାମର ରମାମଣୀ ମହାରଣା । ପରିବାର କହିଲେ ସେ ଆଉ ତାଙ୍କ ୨୭ ବର୍ଷର ପୁଅ ତପନ ମହାରଣା । ହେଲେ ତାଙ୍କ ଦୁଃଖ କହିଲେ ନସରେ । ୩ ବର୍ଷ ତଳେ ରମାମଣୀ ସ୍ବାମୀଙ୍କୁ ହରାଇବା ପରେ ଭାବିଥିଲେ ପୁଅର ମୁହଁ ଦେଖି ବାକି ଜୀବନ କାଟି ଦେବେ, ହେଲେ ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା ।

ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ତପନ, ପୁଅର ଚିକିତ୍ସା ପାଇଁ ମା'ର ଆକୁଳ ନିବେଦନ

ପୁଅ ତପନ ଜନ୍ମରୁ ଭିନ୍ନକ୍ଷମ ଥିବା ବେଳେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ୪ ମାସ ତଳେ ପୁଅ ତପନ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଉପରକୁ, ଯେମିତି ମାଡିଆସିଲା ଦୁଃଖର କଳାବାଦଲ । ନିଜର ୨ଟି ଯାକ କିଡନୀ ହରାଇ ଏବେ ରୋଗ ଶଯ୍ୟାରେ କଷ୍ଟ ପାଉଛନ୍ତି ତପନ । ହେଲେ ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ ।

ରମାମଣୀ ଓ ତାଙ୍କ ପୁଅ ଭଙ୍ଗା ଦଦରା ଘରେ ରହୁଥିବା ବେଳେ ସରକାରୀ ସହାୟତା କହିଲେ କେବଳ ଚାଉଳ ମୁଠାଏ । ଆଉ ତାହା ସମୁଦ୍ରକୁ ଶଙ୍ଖେ । ଏହି ପରିସ୍ଥିତିରେ ପୁଅର ଚିକିତ୍ସା ଆଗକୁ କିପରି କରିବେ ସେନେଇ ଚିନ୍ତାରେ ପଡିଛନ୍ତି ମା ରମାମଣୀ । ତପନଙ୍କର ଏବେ ସପ୍ତାହକୁ ଦୁଇଥର ଡାଇଲେସିସ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହେଉଛି । କିନ୍ତୁ ପରିସ୍ଥିତି ଏପରି ଯେ ଭୁବନେଶ୍ୱର ଯିବାପାଇଁ ତାଙ୍କ ପାଖେରେ ଅର୍ଥନାହିଁ । ପୁଅର ଚିକିତ୍ସା ପାଇଁ ଯାହା ଥିଲା ସବୁ ବିକିଭାଙ୍ଗି ଏବେ ପର ପାଖେ ହାତ ପତାଉଛନ୍ତି ମା’ । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ଏହି ଦୁଃଖି ପରିବାର ପାଖରେ ଟଙ୍କା ଆସିବା ବା କେଉଁଠୁ । ତେବେ ପୁଅକୁ ଚିକିତ୍ସା କରିବା ପାଇଁ ଏବେ ସରକାରଙ୍କ ନିକଟରେ ଆକୁଳ ନିଦନ କରିଛନ୍ତି ମା’ ରମାମଣୀ ।

ସେହିପରି ତପନଙ୍କ ଏଭଳି ପରିସ୍ଥିତି ସମ୍ପର୍କରେ ସରକାରୀ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡିଛନ୍ତି ଗ୍ରାମବାସୀ । ସେପଟେ ସ୍ଥାନୀୟ ବିଧାୟକ ମଧ୍ୟ ତପନଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ କ୍ୟାମେରା ସମ୍ନାରେ ପ୍ରତିଶ୍ରୁତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.