ETV Bharat / state

ଜୟନାରାୟଣ ମିଶ୍ରଙ୍କ ବାସଭବନ ଘେରିଲେ ମହିଳା ସଂଗଠନ, କାହିଁକି ଘେରାଉ କରିଛନ୍ତି ଜାଣିନାହାନ୍ତି କାରଣ

author img

By

Published : Feb 19, 2023, 5:07 PM IST

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ଘଟଣାକୁ ନେଇ ବଢ଼ୁଛି ଜୟଙ୍କ ବିବାଦ । ରବିବାର ଜୟନାରାୟଣଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ମହିଳା ସଂଗଠନ । ଅଧିକ ପଢ଼ନ୍ତୁ

ଜୟଙ୍କ ବାସଭବନ ଘେରିଲା ମହିଳା ସଂଗଠନ
ଜୟଙ୍କ ବାସଭବନ ଘେରିଲା ମହିଳା ସଂଗଠନ

ଜୟଙ୍କ ବାସଭବନ ଘେରିଲା ମହିଳା ସଂଗଠନ

ଭୁବନେଶ୍ବର: ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ହେବା ଘଟଣାରେ ବଢ଼ୁଛି ବିବାଦ । ପ୍ରଥମେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇ ଜୟନାରାୟଣଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବିରୋଧି ଦଳ ନେତା ପଦରୁ ତାଙ୍କ ଇସ୍ତଫା ଦାବି କରାଯାଇଥିଲା । ଏହାପରେ ପ୍ରତ୍ୟେକ ଦିନ ବିଭିନ୍ନ ସଂଗଠନ ପକ୍ଷରୁ ଜୟନାରାୟଣଙ୍କ ସରକାରୀ ବାସଭବନ ଆଗରେ ଆନ୍ଦୋଳନ କରାଯାଉଛି । ରବିବାର ମଧ୍ୟ ଏକ ମହିଳା ସଂଗଠନ ପକ୍ଷରୁ ବିରୋଧି ଦଳ ନେତାଙ୍କ ବାସଭବନ ଘେରାଉ କରାଯାଇଥିଲା ।

ପ୍ରକାଶ ଥାଉକି, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ପଛରେ ବିରୋଧି ବିଜେପି ବାରମ୍ବାର ଶାସକ ଦଳର ନେତଙ୍କ ଷଡ଼ଯନ୍ତ୍ର ରହିଥିବା ଦାବି କରୁଛି । ଏହା ସହିତ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିଜେପି । ଏନେଇ ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରିଥିଲା ଦଳ । ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ମଧ୍ୟ ବିଜେପି ବିଧାୟକ ତଥା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ଆନ୍ଦୋଳନ କରାଯାଇଥିଲା । ଏହି ସମୟରେ ଜଣେ ମହିଳା ପୋଲିସ ଅଧିକାରୀ ଓ ଜୟନାରାୟଣ ହାତାହାତି ହୋଇଥିଲେ । ଯାହାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।

ଏଭଳି ଘଟଣା ପରେ ଜୟନାରାୟଣଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରତିଦିନ ବିରୋଧି ଦଳ ନେତାଙ୍କ ସରକାରୀ ବାସଭବନ ଘେରୁଛନ୍ତି ବିଭିନ୍ନ ସଂଗଠନ । ରବିବାର ଏକ ମହିଳା ସଂଗଠନ ପକ୍ଷରୁ ଜୟନାରାୟଣଙ୍କ ବାସଭବନ ଘେରାଓ କରାଯିବା ସହ ମହିଳା ହିଂସା ବିରୋଧରେ ନାରାବାଜି କରାଯାଇଥିଲା । ବିରୋଧ ପ୍ରଦର୍ଶନ ସମୟରେ ମହିଳା ସଂଗଠନ ସଦସ୍ୟମାନଙ୍କୁ ପୋଲିସ ଅଟକାଇଥିଲା । ଜଣେ ମହିଳା ପୋଲିସଙ୍କୁ ଅପମାନିତ କରିଥିବାରୁ ଜୟନାରାୟଣ ମିଶ୍ର କ୍ଷମା ମାଗନ୍ତୁ ବୋଲି ସଙ୍ଗଠନର ସଦସ୍ୟ ଦାବି କରିଥିଲେ ।

ତେବେ ସେଠାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଯେଉଁ ମହିଳା ବିକ୍ଷୋଭକାରୀ ଆସିଥିଲେ, ସେମାନେ ନିଜେ ମଧ୍ୟ ଆନ୍ଦୋଳନର ସଠିକ ଉଦ୍ଦେଶ୍ୟ ଜାଣିନଥିଲେ । ସେହିପରି ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟ୍ସ ଭଏସ (All Odisha Student's Voice) ସଂଗଠନ ମଧ୍ୟ ଜୟନାରାୟଣଙ୍କ ବିରୋଧରେ ଆନ୍ଦୋଳନ କରିଛି । ବିଜେପି ପକ୍ଷରୁ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ ଆଣି ସାରା ରାଜ୍ୟରେ ଆନ୍ଦୋଳନ କରାଯାଉଥିବା ବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରୁ ଲୋକଙ୍କ ନଜର ହଟାଇବା ପାଇଁ ଏହା ବିଜେଡିର ଚାଲ୍‌ ବୋଲି ବିଜେପି ଅଭିଯୋଗ କରିଛି । ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିରୁ ନଜର ଏଡ଼ାଇବା ପାଇଁ ଜୟଙ୍କୁ ବିଜେଡି ମୋହରା କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.