ETV Bharat / state

ପୁଷ୍ଟି ସାଧନା କ୍ଷେତ୍ରରେ ଦେଶରେ ଓଡିଶା ଆଗୁଆ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

author img

By ETV Bharat Odisha Team

Published : Oct 1, 2023, 7:10 AM IST

ଭୁବନେଶ୍ବର ଗୃହ ଅର୍ଥନୀତି ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଛି ପୋଷଣ ମାସ ସମାପ୍ତି ଉତ୍ସବ । ପୋଷଣ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଆଜି ଅଗ୍ରଣୀ କହିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ପୋଷଣ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଆଜି ଅଗ୍ରଣୀ । ପୁଷ୍ଟି ସାଧନକୁ ଗୁରୁତ୍ବ ଦେଇ ପ୍ରତି ବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ମହିଳା ଓ ଶିଶୁ ବିକାଶ ତରଫରୁ ଏହି ପୋଷଣ ମାସକୁ ଅତି ଯତ୍ନ ସହକାରେ ପାଳନ କରାଯାଇଛି । ଭୁବନେଶ୍ବର ଗୃହ ଅର୍ଥନୀତି ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଛି ପୋଷଣ ମାସ ସମାପ୍ତି ଉତ୍ସବ । ଉତ୍ସବରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଓ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି , "ପୋଷଣ ସ୍ଥିତିକୁ ଦୃଢ଼ କରିବା ପାଇଁ ଆମ ରାଜ୍ୟରେ ତଥା ସମଗ୍ର ଦେଶରେ ପ୍ରଥମ କରି ଅତି ଗୁରୁତ୍ୱପୂର୍ଣ୍ଣ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଓ ‘ପଡା ପୁଷ୍ଟି କାର୍ଯ୍ୟକ୍ରମ’କୁ ଆରମ୍ଭ କରାଯାଇଛି । ଏହା ବ୍ୟତୀତ ଅଙ୍ଗନବାଡ଼ିର ସଫଳ ରୂପାନ୍ତରୀକରଣ ଓ ପ୍ରତ୍ୟେକ ମାସରେ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ କରାଯାଇ ଜନସଚେତନତା ସୃଷ୍ଟି କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ପ୍ରଥମ କରି ପୋଷଣ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ପୁଷ୍ଟିସାଧନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରିଛି ।"

ଏହା ବି ପଢନ୍ତୁ- ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

ପୋଷଣର ଉନ୍ନତିରେ ହିଁ ସମଗ୍ର ରାଜ୍ୟର ଉନ୍ନତି ସାଧିତ ହେଇପାରିବ ବୋଲି ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ମତବ୍ୟକ୍ତ କରିଛନ୍ତି । ୫ଟି ମନ୍ତ୍ରକୁ ଆଧାର କରି ହିତାଧିକାରୀମାନେ ପୋଷଣ ଖାଦ୍ୟ ଓ ମମତା ଯୋଜନା ଲାଭ ସହଜରେ ପାଇପାରୁଛନ୍ତି । ପଡ଼ା ପୁଷ୍ଟି କାର୍ଯକ୍ରମରେ ସମଗ୍ର ରାଜ୍ୟର ପାଖାପାଖି ଦୁଇ ହଜାର ଅଗମ୍ୟ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି । ମୋ ଛତୁଆ ଓ ଅଣ୍ଡା ଭଳି ୩୨ ଲକ୍ଷରୁ ଅଧିକ କାର୍ଯକ୍ରମକୁ ତ୍ୱରାନିତ କରାଯାଉଛି । ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲାସ୍ତରୀୟ ସମାଜ କଲ୍ୟାଣ ଅଧିକାରୀଗଣ ନିଜ ନିଜ ଜିଲ୍ଲାରେ ପୁଷ୍ଟିଭିତ୍ତିକ ଉତ୍ତମ ଅଭ୍ୟାସ ବାବଦରେ ଆଲୋଚନା କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା ଓ ପଡ଼ା ପୁଷ୍ଟି କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ଦର୍ଶାଇ ଏକ ଭିଡିଓ ମଧ୍ୟ ପ୍ରଦର୍ଶନ କରାଯାଇଛି ।

ଉତ୍ସବରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ଦୀନବନ୍ଧୁ ପଣ୍ଡା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ଡାକ୍ତର ମୋନାଲିସା ଲେଙ୍କା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ସ୍ବାଇଁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଗିରିଶ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ । ଏହାଛଡ଼ା ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଗୀତରାଣୀ ପଟ୍ଟନାୟକ, ନିତ୍ୟାନନ୍ଦ ବାରିକ, ସମ୍ବିତ ନାୟକ ଓ ରାଜ୍ୟ ପୋଷଣ ପରମର୍ଶଦାତା ଦୀପାଳୀ ଦାଶ ମଧ୍ୟ ଉପସ୍ଥିତ ଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଏନ. ସି ଜ୍ୟୋତିରଞ୍ଜନ ନାୟକ ସ୍ବାଗତ ଭାଷଣ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.