ETV Bharat / state

Dhamnagar Bypoll Result: ବିଜେଡି ବିଜୟରେ ବ୍ରେକ, ନବୀନ ବାହିନୀର ୭ ଭୁଲ

author img

By

Published : Nov 6, 2022, 9:47 PM IST

ବିଜେଡିକୁ ବ୍ରେକ ଦେଲା ବିଜେପି । ଧାମନଗରରେ ଫେଲ ମାରିଲା ନବୀନ ମ୍ୟାଜିକ । ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ଲାଗିଲା ରୋକ। ପୁଣି ଦ୍ବିତୀୟ ଥର ପାଇଁ ଧାମନଗରରେ ଫୁଟିଛି ପଦ୍ମ । ବିଜେପିର ବିଜୟ ପରେ ବିଜେଡି ବିଜୟରେ ଲାଗିଛି ବିଗ ବ୍ରେକ । 'ଲୋକଙ୍କ ବଳ, ବିଜୁ ଜନତା ଦଳ' ନାରାକୁ ଲାଗିଲା ସୁପର ଡୁପର ଝଟକା । ଜାଣନ୍ତୁ ବିଜେଡି ପରାଜୟର ୭ ମୁଖ୍ୟ କାରଣ । ଅଧିକ ପଢନ୍ତୁ

Dhamnagar Bypoll Result: ବିଜେଡି ବିଜୟରେ ବ୍ରେକ, ନବୀନ ବାହିନୀର ୭ ଭୁଲ
Dhamnagar Bypoll Result: ବିଜେଡି ବିଜୟରେ ବ୍ରେକ, ନବୀନ ବାହିନୀର ୭ ଭୁଲ

ଭୁବନେଶ୍ବର: ନବୀନ ବ୍ରିଗେଡ଼କୁ ୪୪୦ ଭୋଲଟେଜର ସୁପର ଝଟକା ଦେଇଛନ୍ତି ଦିବଙ୍ଗତ ନେତା ବିଷ୍ଣୁଙ୍କ ନନ୍ଦନ (BJP Candidate Suryavanshi Suraj)। ଧାମନଗରରେ ବୃହତ ବ୍ୟବଧାନରେ ବିଜୟ ହାସଲ କରିଛି ବିଜେପି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାୟ ୧୦ ହଜାର ଭୋଟର ବିରାଟ ବ୍ୟବଧାନରେ ବିଜେଡିର ଅବନ୍ତୀ ଦାସଙ୍କୁ କରିଛନ୍ତି ପରାସ୍ତ । ବିଜେଡିର ଇଲେକ୍ସନ ମେକାନିଜିମକୁ ଧ୍ୱସ୍ତ କରି ବିଜୟର ସ୍ବାଦ ଚାଖି ହେବ ବୋଲି ପ୍ରମାଣ କରିଛି ଧାମନଗର ।

ସବୁ କଳ୍ପନାଜଳ୍ପନା ଓ ଅଙ୍କକଷାରେ ଲାଗିଲା ବିରାମ । ସୂର୍ଯ୍ୟବଂଶୀ ସୂରଜଙ୍କ ମୁଣ୍ଡରେ ବିଜୟ ତିଲକ ମାରିଲେ ଧାମନଗର ଭୋଟର । ଲାଗିଲା ବିଜେଡି ବିଜୟରେ ବିଗ୍‌ ବ୍ରେକ । 'ଲୋକଙ୍କ ବଳ, ବିଜୁ ଜନତା ଦଳ' ନାରାକୁ ଲାଗିଲା ସୁପରଡୁପର ଝଟକା । କାମ ଦେଲାନି ନବୀନଙ୍କ ପ୍ରତିଶ୍ରୁତି ଓ ବିକାଶର ବାର୍ତ୍ତା । ବିରୋଧୀ ପ୍ରାର୍ଥୀଙ୍କୁ ହେଜ୍ଞାନର ଫଳ ଭୋଗିଛି ଶଙ୍ଖ ବାହିନୀ । ମାଟି କାମୁଡିଲେ ବିଜେଡିରେ ବବି ବ୍ରିଗେଡ । ବୃହତ ବ୍ୟବଧାନରେ ବିଜେଡିର ଧାମନଗର ପରାଜୟ ପରେ ଦଳର ରଣନୀତିକାରଙ୍କ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ ।

ବିଜେଡି ପରାଜୟର ୭ କାରଣ

(୧) କାମ ଦେଲାନି ମହିଳା କାର୍ଡ:-

ବିଭିନ୍ନ ନିର୍ବାଚନରେ ବିଜେଡି ଖେଳିଛି ମହିଳା କାର୍ଡ । ଅତୀତରେ ଦଳକୁ ମଧ୍ୟ ମିଳିଛି ଆଶାତୀତ ସଫଳତା । ନିର୍ବାଚନରେ ଅଗ୍ରାଧିକାର ଭିତ୍ତିରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲା ଦଳ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହି ଜରିଆରେ ବିପୁଳ ବିଜୟ ହାସଲ କରିଥିଲା ଦଳ । କିନ୍ତୁ ଧାମନଗର ଉପନିର୍ବାଚନରେ ଏହି ସଫଳତା ମିଳିନାହିଁ । କିନ୍ତୁ ବିଫଳତା ମୁଣ୍ଡେଇଛି ଦଳ । ଉପନିର୍ବାଚନ ଲାଗି ଭିସିରେ ପ୍ରଚାର ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ, ମା’ମାନେ ସଶକ୍ତ ହେଉଛନ୍ତି । ମିଶନ ଶକ୍ତି ସେମାନଙ୍କୁ ନୂଆ ପରିଚୟ ହୋଇଛି । ମା’ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି । ମା’ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି । ତେଣୁ ଜଣେ ମା’ଙ୍କୁ ମୁଁ ଆପଣଙ୍କ ବିଧାୟିକା ଭାବରେ ଦେଖିବାକୁ ଚାହେଁ, ଯାହା ଆପଣମାନେ ବି ଚାହାନ୍ତି । କିନ୍ତୁ ଧାମନଗର ଭୋଟର ମହିଳା ନୁହେଁ ଯୁବ ନେତାଙ୍କୁ ଗ୍ରହଣ କରିଛନ୍ତି ।

(୨) ଅଭିଜ୍ଞଙ୍କୁ ଅଣଦେଖା ପଡିଲା ମହଙ୍ଗା:-

ନିର୍ବାଚନ ପ୍ରକ୍ରିୟାରେ ହାତ ଗଣତି କିଛି ବରିଷ୍ଠ ନେତାଙ୍କୁ ଛାଡି ଦେଲେ, ସମ୍ପୂର୍ଣ୍ଣ ଭାବେ ଯୁବ ନେତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା ବିଜେଡି । ପ୍ରାର୍ଥୀ ଚୟନରୁ ଆରମ୍ଭ କରି ରଣନୀତି ପ୍ରସ୍ତୁତ, ନିର୍ବାଚନ ପ୍ରଚାରରେ ଅଭିଜ୍ଞ ନେତାଙ୍କ ବଦଳରେ ଅନଭିଜ୍ଞ ଯୁବ ନେତାଙ୍କୁ ଦେଖିବାକୁ ମିଳିଥିଲା । ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ କେଶରୀ ଦେବ, ଅମର ଶତପଥୀ, ଦେବୀ ମିଶ୍ର, ପ୍ରଫୁଲ ସାମଲ, ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକଙ୍କୁ ଛାଡିଦେଲେ ଆଉ କୌଣସି ଅଭିଜ୍ଞ ନେତାଙ୍କୁ ଧାମନଗର ମୈଦାନରେ ଦେଖିବାକୁ ମିଳିନଥିଲା । ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ଅଣଦେଖା ବିଜେଡି ପରାଜୟର ବଡ଼ କାରଣ ବୋଲି କୁହାଯାଉଛି ।

(୩) ନବୀନଙ୍କ 'ମୋ ଦାୟିତ୍ୱ' ଫର୍ମୁଲା ମାରିଲା ଫେଲ:-

ବିଗତ ସମସ୍ତ ଉପନିର୍ବାଚନ ପ୍ରଚାର ସମୟରେ ନିର୍ବାଚନ ମଣ୍ଡଳୀର ବିକାଶ 'ମୋ ଦାୟିତ୍ୱ' ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥାନ୍ତି । ଏହାକୁ ନେଇ ବିଜେଡିର ପ୍ରଚାର ଆଗକୁ ବଢେ । ବିଜେପୁର, ତିର୍ତ୍ତୋଲ, ବାଲେଶ୍ଵର ସଦର, ପିପିଲି, ବ୍ରଜରାଜନଗରରେ ଏହି ବାର୍ତ୍ତା ଦେଇଛନ୍ତି ନବୀନ । ସମାନ ଢଙ୍ଗରେ ଧାମନଗରରେ ସମାନ ବାର୍ତ୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଧାମନଗରର ବିକାଶ କାର୍ଯ୍ୟ ସେ ନିଜେ ଦେଖିବେ ଏବଂ ଆଗାମୀ ୧୮ ମାସ ଭିତରେ ଧାମନଗରରେ ୫ ବର୍ଷର କାର୍ଯ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୃଢ଼ତା ଓ ପ୍ରତିବଦ୍ଧତାର ସହ କହିଥିଲେ । ଯାହାକୁ ସମ୍ପୂର୍ଣ୍ଣ ଭାବେ ନାକଚ କରିଦେଇଛନ୍ତି ଧାମନଗର ଭୋଟର । ନିର୍ବାଚନ ମଣ୍ଡଳୀର ବିକାଶ 'ମୋ ଦାୟିତ୍ୱ' ବାର୍ତ୍ତା ଯେ ଆଉ କାମ ଦେବନି ତାହା ଧାମନଗରରୁ ପ୍ରମାଣିତ ହୋଇଛି ।

(4) କାମ ଦେଲାନି ମିଶନ ଶକ୍ତି ମେସିନ:-

କୌଣସି ଏକ ନିର୍ବାଚନ ବିଜୟ ଲାଗି ମହିଳା ଭୋଟରଙ୍କ ସମର୍ଥନ ବଡ଼ ଫ୍ୟାକ୍ଟର । ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଜେଡି ଶାସିତ ଓଡ଼ିଶା ସରକାର ମହିଳାଙ୍କୁ ନେଇ ଅନେକ ଯୋଜନା କରିଛନ୍ତି । ବିଜେଡି ଶକ୍ତି, ମିଶନ ଶକ୍ତି ଅତୀତରେ ବିଜେଡିକୁ ଅନେକ ସଫଳତା ଆଣି ଦେଇଛି ବୋଲି ରାଜନୈତିକ ସମୀକ୍ଷକ ଆକଳନ କରନ୍ତି । ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଅନେକ ମହିଳାଙ୍କୁ ସିଧାସଳଖ ପ୍ରାର୍ଥୀ କରି ସଫଳତା ପାଇଛି ବିଜେଡି । ଆସ୍କାରୁ ଲୋକସଭା ସାଂସଦ ପ୍ରମିଳା ବିଷୋୟୀ ଅନେକରୁ ଗୋଟେ ଉଦାହରଣ । ଏହି ସଫଳତା ହୋହରାଇବା ଆଶାରେ ଧାମନଗରରେ ସ୍ୱୟଂ ସହାୟକ ଗୋଷ୍ଠୀର ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ମହିଳାଙ୍କୁ ଗୁରୁତ୍ୱ ବାର୍ତ୍ତାରୁ ପ୍ରାର୍ଥୀର ବ୍ୟକ୍ତିତ୍ୱ ଗୁରୁତ୍ୱ ରଖେ ବୋଲି ପ୍ରମାଣିତ ହୋଇଛି । ଅନ୍ୟପଟେ ଏହି ମିଶନ ଶକ୍ତି ମହିଳାଙ୍କ ଜରିଆରେ ଭୋଟରଙ୍କୁ ବିଜେଡି ପ୍ରଭାବିତ କରେ ବୋଲି ବିରୋଧୀ ଅଭିଯୋଗ ମଧ୍ୟ ରହିଛି ।

(5) କାଳ ହେଲା ଅତ୍ୟଧିକ ଆତ୍ମବିଶ୍ବାସ ଓ ପରୀକ୍ଷା ନିରୀକ୍ଷା:-

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ସଦୃଶ ଥିଲା ଥିବା ଧାମନଗର ଉପନିର୍ବାଚନ । ନିର୍ବାଚନରେ ମାଟି କାମୁଡିଛି ବିଜୁ ଜନତା ଦଳ । ବିଜେଡିର ସବୁ ରଣନୀତିକୁ ଫେଲ କରିଛି ବିଜେପି । ବିଜେଡିର ଏହି ବଡ଼ ବିଫଳତା ଲାଗି ଅତ୍ୟଧିକ ଆତ୍ମବିଶ୍ବାସ ଓ ପରୀକ୍ଷା ନିରୀକ୍ଷା କାଳ ହୋଇଛି । ଗତ ନିର୍ବାଚନରେ ସଫଳତାରେ ଅତ୍ୟଧିକ ଆତ୍ମବିଶ୍ବାସୀ ହୋଇପଡିଥିଲା ବିଜେଡି । ତେଣୁ ଧାମନଗର ପରି ସମ୍ବେଦନଶୀଳ ସିଟରେ ପରୀକ୍ଷା ନିରୀକ୍ଷା କରିଥିଲା ବିଜେଡି । ଯାହା ବିଜେଡି ଲାଗି କାଳ ହୋଇଛି । ରାଜେନ୍ଦ୍ର ଦାସଙ୍କ ବଦଳରେ ଅବନ୍ତି ଦାସଙ୍କୁ ପ୍ରାର୍ଥୀ କରିବା ଦଳ ଲାଗି ବୁମେରାଙ୍ଗ ହୋଇଛି । ଏହାକୁ ଦଳୀୟ ବରିଷ୍ଠ ନେତା ସ୍ୱୀକାର କରିଥିଲେ ବି କାର୍ଯ୍ୟାନୁଷ୍ଠାନ ଭୟରେ ହାଇକମାଣ୍ଡ ଆଗରେ ମୁହଁ ଖୋଲିବାକୁ ସାହସ କରିନଥିଲେ ।

(6) ବିରୋଧୀଙ୍କୁ ହେଜ୍ଞାନ ଆଣିଲା ବିପର୍ଯ୍ୟୟ

ଦୀର୍ଘ ସଫଳତାକୁ ନେଇ ବିରୋଧୀ ଦଳ ଓ ସେମାନେ ଉଠାଉଥିବା ପ୍ରସଙ୍ଗକୁ ହେଜ୍ଞାନ କରିଚାଲିଥିଲା ବିଜେଡି । ୨୦୧୯ରେ ବାଲେଶ୍ଵର ସଦର ଆସନ ବିଜେପିର ଥିଲେ ବି ଉପ ନିର୍ବାଚନରେ ଛଡ଼ାଇ ଆଣିଥିଲା ବିଜେଡି । ବିରୋଧୀ ଦଳର ଗଡ଼କୁ ଦଖଲ ବିଜେଡିର ବଳ ବୋଲି ଭାବିନେଇଥିଲେ ବିଜେଡି ନେତା । ତେଣୁ ଧାମନଗରରେ ମଧ୍ୟ ବିଜେପି ଆସନକୁ ଛଡାଇ ଆଣିବା ସହଜ ହେବ ବୋଲି ଆଶା କରିଥିଲା ବିଜେଡି । ତେବେ ଏଠାରେ ଚିତପଟାଙ୍ଗ ମାରିଛି ବିଜେଡି । ଧର୍ମେନ୍ଦ୍ର ପ୍ରଧାନ ଆତ୍ମହତ୍ୟା ଘଟଣା ହେଉ ଅବା ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲରେ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗ କିମ୍ବା ଅଞ୍ଚଳର ବିକାଶ ନହୋଇଥିବା ବାର୍ତ୍ତାକୁ ଭୋଟରଙ୍କୁ ବୁଝାଇବାରେ ସଫଳ ହୋଇଛି ବିଜେପି ।

(୭) ବିଫଳ ହେଲେ ଯାଜପୁର ନେତା:-

ଆଞ୍ଚଳିକବାଦକୁ ଗୁରୁତ୍ୱ ଦେଇ ଧାମନଗର ନିର୍ବାଚନ ପ୍ରକ୍ରିୟାରେ ପାଖ ଜିଲ୍ଲା ଯାଜପୁର ନେତାଙ୍କୁ ଦାୟିତ୍ୱ ଦେଇଥିଲା ବିଜେଡି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା ବିଜେଡି । ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । କେଇଜଣ ଅନ୍ୟ ଜିଲ୍ଲାର ନେତା ଥିଲେ ବି ସମ୍ପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇଥିଲେ ଯାଜପୁର ନେତା । ଦୁଇ ପ୍ରଣବଙ୍କ ଛଡା ଯାଜପୁରର ପ୍ରମିଳା ମଲ୍ଲିକ, ପ୍ରୀତି ରଞ୍ଜନ ଘଡେଇ, ଅମର ଶତପଥୀ, ଅଶୋକ ବଳ, ଶର୍ମିଷ୍ଠା ସେଠୀ, ସୁଲତା ଦେଓ, ଆକାଶ ଦାସନାୟକଙ୍କ ପରି ଡର୍ଜନେ ଯାଜପୁର ଜିଲ୍ଲାର ନେତା ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା ବିଜେଡି । ତେବେ ଯାଜପୁର ନେତାଙ୍କ ନେତୃତ୍ୱକୁ ଗ୍ରହଣ କରିନାହାଁନ୍ତି ଭଦ୍ରକର ଧାମନଗର ଭୋଟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.