ETV Bharat / state

ନବୀନଙ୍କ ଦୟାରେ ଜୟନାରାୟଣ ବିରୋଧି ଦଳ ନେତା ହୋଇନାହାନ୍ତି କହିଲେ ଧର୍ମେନ୍ଦ୍ର, ଅପରାଜିତା ରଖିଲେ ଭିନ୍ନ ମତ

author img

By

Published : Feb 16, 2023, 5:41 PM IST

Updated : Feb 16, 2023, 6:03 PM IST

ମହିଳା ପୋଲିସ ଅଧିକାରୀଙ୍କୁ ହାତ ଉଠାଇଥିବା ଅଭିଯୋଗରେ ବିରୋଧି ଦଳ ନେତାଙ୍କ ଇସ୍ତଫା ଦାବି କରିଛି ବିଜେଡି । ଧର୍ମେନ୍ଦ୍ର କହିଲେ ନବୀନଙ୍କ ଦୟାରେ ସେ ହୋଇ ନାହାନ୍ତି ବୋରିଧି ଦଳ ନେତା । ଅପରାଜିତା କହିଲେ ପୋଲିସ ମହିଳା ହୁଅନ୍ତୁ କି ପୁରୁଷ, ଡ୍ୟୁଟିରେ ଥିବା ସମୟରେ ସମ୍ମାନ ଦେବା ଉଚିତ । ଅଧିକ ପଢ଼ନ୍ତୁ

ଜୟନାରାୟଣ ଓ ମହିଳା ପୋଲିସ ହାତାହାତି ଘଟଣାରେ ଧର୍ମେନ୍ଦ୍ର ଓ ଅପରାଜିତାଙ୍କର ପ୍ରତିକ୍ରିୟା
ଜୟନାରାୟଣ ଓ ମହିଳା ପୋଲିସ ହାତାହାତି ଘଟଣାରେ ଧର୍ମେନ୍ଦ୍ର ଓ ଅପରାଜିତାଙ୍କର ପ୍ରତିକ୍ରିୟା

ଜୟନାରାୟଣ ଓ ମହିଳା ପୋଲିସ ହାତାହାତି ଘଟଣାରେ ଧର୍ମେନ୍ଦ୍ର ଓ ଅପରାଜିତାଙ୍କର ପ୍ରତିକ୍ରିୟା

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ଗୋଟିଏ ପଟେ ବିରୋଧି ଦଳ ନେତାଙ୍କ ଇସ୍ତଫା ଦାବିରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଧାରଣା ଦେଇଛି ବିଜେପି । ନବୀନଙ୍କ ଦୟାରେ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୋଇନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା ବେଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କିନ୍ତୁ ଭିନ୍ନ ମତ ରଖିଛନ୍ତି । ସେ କହିଛନ୍ତି, ଭାବାବେଗରେ ଆସି ଏପରି କରିଦେଇଛନ୍ତି ବିରୋଧି ଦଳ ନେତା । ପୋଲିସକୁ ସମ୍ମାନ ଦେବା ଉଚିତ ବୋଲି ଅପରାଜିତା ମତ ରଖିଛନ୍ତି ।

ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ସରକାରୀ ଦଳ ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏସବୁ ପ୍ରୟୋଜିତ କାମ କରୁଛନ୍ତି । ନବୀନଙ୍କ ଦୟାରେ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୋଇନାହାନ୍ତି । ନୈତିକତା କଥା ଯାହା କହୁଛନ୍ତି, ବିଜେଡିର ଅଧାରୁ ଅଧିକ ମନ୍ତ୍ରୀ ପ୍ରତ୍ୟକ୍ଷ ହତ୍ୟାକାରୀ । ସେମାନେ ବିଭିନ୍ନ କେଳେଙ୍କାରୀରେ ଅଭିଯୁକ୍ତ ହୋଇ ବି ଅଛନ୍ତି । ଚାଲୁଣି କହୁଛି ଛୁଞ୍ଚିକୁ । ରାଜନୀତିରେ ହିଂସା ଓ ଉତ୍ତେଜନାର ସ୍ଥାନ ନାହିଁ । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ASI ଗୁଳି ମାରିଲା । ସରକାର କହୁଛନ୍ତି ଆମେ ଗୋପାଳକୁ ଧରିଦେଲୁ । ଗୋପାଳ ଲୁଚିଥିଲା କେଉଁଠି ? ରାଜ୍ୟରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡିବାରେ ଲାଗିଛି । ନବ ଦାସ ହତ୍ୟା ଘଟଣାର ତଦନ୍ତରେ ଜୟନାରାୟଣ ମିଶ୍ର କହିଲେ ମୁଁ ଓଡ଼ିଶା ପୋଲିସକୁ ବିଶ୍ବାସ କରୁନାହିଁ । ୩ଟି ବଡ ବଡ ପୋଲିସ ଅନୁଷ୍ଠାନକୁ ଲଗାଇ କୁହାଗଲା ଜୟନାରାୟଣ ମିଶ୍ର କ୍ଷମା ମାଗନ୍ତୁ । ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ ପୋଲିସ ଲାଞ୍ଚ ନେଉଛି, ବିଜେଡିର ବରିଷ୍ଠ ନେତା କହିଲେ ପୋଲିସ ଆମ ଫୋନ୍ ଉଠାଇବା ପାଇଁ ଅଛି, ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ମତେ ଗୋପାଳ ଦାସମାନଙ୍କ ଠାରୁ ଡର ମାଡ଼ିଲାଣି, ସେମାନଙ୍କୁ ତ କେହି କିଛି କହିଲେନି, କିନ୍ତୁ ଜୟନାରାୟଣ ମିଶ୍ରଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବଚସ୍କରମାନେ ଅସହିଷ୍ଣୁ ହୋଇ ଏଭଳି କରୁଛନ୍ତି । ଗଣତନ୍ତ୍ରରେ ଏହା ବେଶିଦିନ ଚାଲେନାହିଁ ।" ହିଂସାର ସ୍ଥାନ ଉଭୟ ପଟରୁ ଉଚିତ୍ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେପଟେ ଆଜି ବିଜେପି ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵରେ ବହୁ ବିଧାୟକ, ସାଂସଦ ଏବଂ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଯୋଗ ଦେଇଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗାଦିରୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି ବିଜେପି ନେତା । ତେବେ ଏହାରି ମଧ୍ୟରେ ରାଜ୍ୟ ବିଜେପିର ଫାଟ ଦେଖିବାକୁ ମିଳିଛି । ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିଜେପି ନେତାମାନେ କହୁଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ୍ ହାତ ଉଠାଉଛି । ହେଲେ ଆଉ ଗୋଟିଏ ପଟେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ଭାବାବେଗରେ ଏଭଳି କରିଦେଇଥିବେ ବିରୋଧୀଦଳ ନେତା । କିନ୍ତୁ ଏପରି କରିବାର ନଥିଲା । କିନ୍ତୁ ତାଙ୍କ ମାନସିକ ଅବସ୍ଥା ବୁଝିବାକୁ ହେବ । ଏବେ ଯେଉଁଭଳି ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଛି, ସେ ଭାବାବେଗରେ କହିଦେଇଥିବେ । କିନ୍ତୁ ତାଙ୍କ ମାନସିକ ଅବସ୍ଥା ରାଜ୍ୟ ସରକାରଙ୍କୁ ବୁଝିବାକୁ ହେବ । ପୋଲିସ କର୍ମୀ ମହିଳା ହୁଅନ୍ତୁ କି ପୁରୁଷ । ଡ୍ୟୁଟିରେ ଥିବା ସମୟରେ ସେମାନଙ୍କୁ ସମ୍ମାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ ।" ତେବେ ବିରୋଧି ଦଳର ଏହି ଫାଟକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 16, 2023, 6:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.