ETV Bharat / state

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼, ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆସିଛନ୍ତି ୬ କେନ୍ଦ୍ରମନ୍ତ୍ରୀ

author img

By

Published : Feb 17, 2023, 8:52 PM IST

୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି । ବର୍ତ୍ତମାନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୬ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ରହିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତେ ଓଡ଼ିଶା ଆସିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆସିଛନ୍ତି ୬ କେନ୍ଦ୍ରମନ୍ତ୍ରୀ
ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆସିଛନ୍ତି ୬ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ୨୦୨୪ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ଏନେଇ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ବର୍ତ୍ତମାନ ୬ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ରହିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୬ ଜଣ କେନ୍ଦ୍ରମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏବେ ଓଡ଼ିଶାରେ ଡେରା ପକାଇଛନ୍ତି ।

ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ବିଭିନ୍ନ କ୍ଷେତ୍ରରୁ ନାମିଦାମୀ ବ୍ୟକ୍ତିଙ୍କୁ ଦଳରେ ସାମିଲ କରାଇ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆନ୍ଦୋଳନ କରୁଛି ସେହିଭଳି ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିଛି ବିଜେପି । ଏହାରି ମଧ୍ୟରେ ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀ ମାନଙ୍କର ଘନ ଘନ ଗସ୍ତ ଜାରି ରହିଛି । ବର୍ତ୍ତମାନ ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁ, ପଙ୍କଜ ଚୌଧୁରୀ, ଦର୍ଶନା ଜର୍‌ଦୋଶ ଓ କପିଲ ମୋରେଶ୍ବର ପାଟିଲ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଡେରା ପକାଇଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା ରାଜସ୍ବ ବିଭାଗ ମନ୍ତ୍ରୀ ପଙ୍କଜ ଚୌଧୁରୀ ଶୁକ୍ରବାର ଭୁବନେଶ୍ବରରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ବଜେଟ ପରବର୍ତ୍ତୀ ଆଲୋଚନାରେ ସାମିଲ ହୋଇଥିଲେ । ଉଭୟ ମଧ୍ୟ ବଜେଟ ନେଇ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ଏହାପରେ ଅପରାହ୍ନରେ ଭୁବନେଶ୍ବର IIT ଗସ୍ତରେ ଯାଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସେହିଭଳି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏବଂ କପିଲ ମୋରେଶ୍ବର ପାଟିଲ ମଧ୍ୟ ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଲୋକାଲାଇଜେସନ୍ ଦ୍ବାରା ଗ୍ରାମ ପଞ୍ଚାୟତର ସ୍ଥାୟୀ ବିକାଶ ଲକ୍ଷ୍ୟରେ ଏକ ଜାତୀୟ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ ଏହି ୩ କେନ୍ଦ୍ରମନ୍ତ୍ରୀ । ସେପଟେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍‌ଦୋଶ ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ପାଇଁ ଜଗତସିଂହପୁର ଗସ୍ତ କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.