ETV Bharat / state

ରାଜଧାନୀରେ ଚୋରଙ୍କ ଉତ୍ପାତ, ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ସିରିଜ୍‌ ଚୋରି

author img

By ETV Bharat Odisha Team

Published : Dec 12, 2023, 9:29 PM IST

Theft in Bhubaneswar: ରାଜଧାନୀରେ ବଢ଼ୁଛି ଚୋରଙ୍କ ଦୌରାତ୍ମ୍ୟ । ମଞ୍ଚେଶ୍ବର ଥାନା ଗାଢକଣର ସ୍ପେସ୍‌ ଟାଉନ୍‌ ଆପାର୍ଟମେଣ୍ଟରୁ ସିରିଜ୍ ଚୋରି କରିଛନ୍ତି ଦୁର୍ବୃତ୍ତ । ୪ଟି ଟିମ୍‌ ଗଠନ କରି କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ୍‌ ସ୍କ୍ବାଡ ଆରମ୍ଭ କରିଛି ତଦନ୍ତ । ଅଧିକ ପଢ଼ନ୍ତୁ

ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ସିରିଜ୍‌ ଚୋରି
ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ସିରିଜ୍‌ ଚୋରି

ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ସିରିଜ୍‌ ଚୋରି

ଭୁବନେଶ୍ବର: ଅସହ୍ୟ ହେଲାଣି ଚୋରଙ୍କ ଉତ୍ପାତ । ଆଉ ଘରେ ବାହାରେ ରଖେଇ ଦେଉ ନାହାନ୍ତି‌ ଚୋର । ଆଖି ପିଛୁଳାକେ ଘରୁ ଲୁଟି ନେଉଛନ୍ତି । କେତେବେଳେ‌ ଘରେ ପଶି ହାତ ଗୋଡ଼ ବାନ୍ଧି ଲୁଟୁଛନ୍ତି ତ କେତେବେଳେ ନିଃଶବ୍ଦରେ କଳାକନା ବୁଲାଇ ଛୁ ମାରୁଛନ୍ତି । ନିତିଦିନ ସାମ୍ନାକୁ ଆସୁଛି ଏଭଳି ଘଟଣା । ଏବେ ପୁଣି ସାମ୍ନାକୁ ଆସିଛି ଆପାର୍ଟମେଣ୍ଟରୁ ଚୋରି ଖବର । ତାହା ପୁଣି ମଞ୍ଚେଶ୍ବର ଥାନା ଗାଢକଣର ସ୍ପେସ୍‌ ଟାଉନ୍‌ ଆପାର୍ଟମେଣ୍ଟରୁ ସିରିଜ୍ ଚୋରି କରିଛନ୍ତି ଦୁର୍ବୃତ୍ତ । ସେପଟେ ପୋଲିସ କମିଶନର କହିଛନ୍ତି ୪ଟି ଟିମ୍‌ ଗଠନ କରି ସ୍ପେଶାଲ ସ୍କ୍ବାଡ ଆରମ୍ଭ କରିଛନ୍ତି ତଦନ୍ତ ।

ସୂଚନା ମୁତାବକ ଗାଢକଣରେ ଥିବା ଏହି ଆପାର୍ଟମେଣ୍ଟରେ ୫ଟି ଫ୍ଲାଟରୁ ହୋଇଛି ଚୋରି । ଚୋର ଏକକାଳୀନ ଭାବେ ୫ଟି ଫ୍ଲାଟରେ ପଶି କଳାକନା ବୁଲାଇଛନ୍ତି । ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ବା ନାଇଟ୍‌ ଗାର୍ଡ ନଥିବା ମୌକାରେ ପଶିଛନ୍ତି । କାହା ଘରୁ ସୁନା ଅଳଙ୍କାର ସହ ଟଙ୍କା ଚୋରି କରିଛନ୍ତି ତ କାହା ଘରୁ କିଛି ନପାଇ କେବଳ ଫ୍ରିଜରୁ ଜିନିଷ କାଢି ଖାଇଦେଇ ପଳାଇଛନ୍ତି । ଏହିପରି ଢଙ୍ଗରେ ଏକକାଳୀନ ୫ଟି ଫ୍ଲାଟରେ ପଶି କଳାକନା ବୁଲାଇଛନ୍ତି କିଛି ଚୋର । ଏପରିକି ଚୋରି ସମୟରେ ଘରର ଟ୍ରଙ୍କ ଠାରୁ ଆରମ୍ଭ କରି ଆଲମିରା ମଧ୍ୟ ତାଡି ଦେଇଛନ୍ତି । ସିସିଟିଭି ଲାଗିଥିଲେ ବି କୌଶଳକ୍ରମେ ଘରେ ପଶି ସଭିଙ୍କ ଘରୁ ଚୋରି କରିଛନ୍ତି । ଏପରିକି କେବଳ ଗହଣା ଓ ଟଙ୍କାକୁ ଛାଡ଼ିଦେଲେ ଚୋର ଆଉ କିଛି ଚୋରି କରିନାହାନ୍ତି । ଅର୍ଥାତ୍ କେବଳ ସୁନା ଅଳଙ୍କାର ଓ ଟଙ୍କା ଉଦ୍ଦେଶ୍ୟରେ ଏମାନେ ଚୋରି କରିଛନ୍ତି । ତାହା ପୁଣି ଆପାର୍ଟମେଣ୍ଟର ଅନେକ ଲୋକ ରହୁଥିବା ବେଳେ‌ । ଯେଉଁମାନେ ନଥିଲେ ବା ଯେଉଁ ଘର ତାଲା ପଡ଼ିଥିଲା, ସେହି ସବୁ ଘରକୁ ଟାର୍ଗେଟ କରି ଚୋରି କରିଛନ୍ତି ।

ସେପଟେ ଖବର‌ ମିଳିବା ପରେ କମିଶନରେଟ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଡଗ୍‌ ସ୍କ୍ବାଡ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି । ଏପରିକି ଚୋର ଛାଡ଼ିଥିବା ପ୍ରମାଣ ବା ସେମାନଙ୍କର ଚୋରିର କୌଶଳ ଆଦି ସଂଗ୍ରହ କରାଯାଇଛି । ସେମାନେ‌ ବ୍ୟବହାର କରୁଥିବା ମାରଣାସ୍ତ୍ର ବା ଅସ୍ତ୍ରଶସ୍ତ୍ରର କିଛି ପ୍ରମାଣ ବା ଫିଙ୍ଗରପ୍ରିଣ୍ଟ ଏବଂ ସନ୍ଧାନୀ କୁକୁର ଜରିଆରେ ‌କେଉଁପଟେ ଆତଯାତ କରିଛନ୍ତି ସେ ସବୁକୁ ନେଇ ତନାଘନା କରାଯାଇଛି । ଏନେଇ ଚୋରି ହୋଇଥିବା ସାମଗ୍ରୀ ବା ଟଙ୍କା ଅଳଙ୍କାର ରିପୋର୍ଟ ସଠିକ ମିଳିନଥିଲେ ମଧ୍ୟ ଆନୁମାନିକ ଭାବେ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ପରିମାଣର ଟଙ୍କା ଓ ଅଳଙ୍କାର ଚୋରି ହୋଇଛି ବୋଲି କୁହାଯାଉଛି । ତେବେ କେବଳ ତାଲା ପଡ଼ିଥିବା ଘରୁ ଚୋରି ହୋଇଥିବାରୁ କେହି ଆଖପାଖର ଚୋର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି । ଏହି ସିରିଜ୍‌ ଚୋରିରେ ଏକାଧିକ ଚୋର ସାମିଲ ଥିବା ସ୍ପଷ୍ଟ ଜଣାପଡ଼ୁଛି । ଆପାର୍ଟମେଣ୍ଟରେ ରହୁଥିବା ଲୋକେ ନିଜ ନିଜର ଘରେ ଭିତରୁ ତାଲା ଦେଇ ରହୁଥିବାରୁ ଅନ୍ୟ ଘରେ କଣ ହେଉଛି କେହି ଜାଣି ପାରୁନାହାନ୍ତି । ଏପରିକି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ନଥିବାବେଳେ କେହି ସିସିଟିଭି ଆଇପି ଆଡ୍ରେସ ମଧ୍ୟ ପୋଲିସକୁ ଦେଉନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମୋବାଇଲ ଶୋ' ରୁମରୁ ଲୁଟ: ୨୫ ଲକ୍ଷରୁ ଅଧିକ ଟଙ୍କାର ଫୋନ ଚୋରି ଅଭିଯୋଗ

ଏହା କେବଳ ଗୋଟିଏ ଘଟଣା ନୁହେଁ, ଗତକାଲି ମଧ୍ୟ ମଞ୍ଚେଶ୍ବର ଅଞ୍ଚଳରୁ ଚୋରି ହୋଇଥିଲା । ପୂର୍ବରୁ ଇନଫୋସିଟି ଅଞ୍ଚଳରୁ ମଧ୍ୟ ଆପାର୍ଟମେଣ୍ଟରୁ ଚୋରି ସହିତ ଭରତପୁର ଅଞ୍ଚଳରୁ ମଧ୍ୟ ଚୋରି ହୋଇଛି । ଲିଙ୍ଗରାଜ ବଡ଼ଗଡ଼ ସହ ଲକ୍ଷ୍ମିସାଗର ଭଳି ସମସ୍ତ ଥାନା ଅଞ୍ଚଳରୁ ମଧ୍ୟ ଲଗାତାର ଭାବେ ଚୋରି ହେଉଛି । ଯାହାକୁ ନେଇ ପୋଲିସର ଟେନସନ୍‌ ବଢିଛି । ଏନେଇ ପୋଲିସ କମିଶନର କହିଛନ୍ତି, "ସିଙ୍ଗଲ ହାଉସଠାରୁ ଆପାର୍ଟମେଣ୍ଟରେ ଚୋରି ବଢିଛି । ହେଲେ ଅଧିକାଂଶ ସ୍ଥାନରେ ସିସିଟିଭି ଆଇପି ଆଡ୍ରେସ୍‌ ଦେଉନାହାନ୍ତି, ବା ସୁରକ୍ଷାକର୍ମୀ ମଧ୍ୟ ରଖୁନାହାନ୍ତି । ଏନେଇ ଆମର ତଦନ୍ତ ହେଉଛି । ଅନେକ କେସ୍‌ରେ ମଧ୍ୟ ଡିଟେକ୍ସନ କରିଛୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.