ETV Bharat / state

ବିଜେଡିରୁ ଅଫର ମିଳିଲେ ନିଶ୍ଚୟ ଗ୍ରହଣ କରିବି: ଶୋଭନ କର

author img

By

Published : Apr 2, 2023, 7:53 AM IST

ଶୋଭନ କହିଛନ୍ତି ଯେ, ରାଜନୀତିରେ ଯୋଗଦେବା ପାଇଁ ଇଚ୍ଛା ରହିଛି । ସୁଯୋଗ ମିଳିଲେ ନିଶ୍ଚୟ ରାଜନୀତିରେ ଯୋଗ ଦେବି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି ସେ । ଯଦି ବିଜେଡିରୁ ଅଫର ମିଳେ ତେବେ ନିଶ୍ଚୟ ଗ୍ରହଣ କରିବି ବୋଲି କହିଛନ୍ତି । ଅଧିକ ପଢନ୍ତୁ

ବିଜେଡିରୁ ଅଫର ମିଳିଲେ ନିଶ୍ଚୟ ଗ୍ରହଣ କରିବି : ଶୋଭନ କର
ବିଜେଡିରୁ ଅଫର ମିଳିଲେ ନିଶ୍ଚୟ ଗ୍ରହଣ କରିବି : ଶୋଭନ କର

ବିଜେଡିରୁ ଅଫର ମିଳିଲେ ନିଶ୍ଚୟ ଗ୍ରହଣ କରିବି : ଶୋଭନ କର

ଭୁବନେଶ୍ବର: ରାଜନୀତି ମଇଦାନରେ ସୁଯୋଗ ଅପେକ୍ଷାରେ ଅଛନ୍ତି ଆଉ ଜଣେ ସୁଦକ୍ଷ ରାଜନେତାଙ୍କ ପୁଅ । ରାଜନୀତିରେ ଶକ୍ତି ପରୀକ୍ଷା କରିବା ପାଇଁ ସରକାରୀ ଚାକିରି ଛାଡିଛନ୍ତି ସ୍ବର୍ଗତ ଶରତ କରଙ୍କ ପୁଅ ଶୋଭନ କର । ବାପାଙ୍କ କର୍ମକ୍ଷେତ୍ର କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ମାହାଙ୍ଗାକୁ ନିଜର କର୍ମକ୍ଷେତ୍ର ଭାବେ ବାଛିଛନ୍ତି ଶୋଭନ । ହେଲେ ସେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରି ନିଜର ଲୋକସମ୍ପର୍କ ସୁଦୃଢ କରିବା ଲାଗି ଚେଷ୍ଟା କରୁଛନ୍ତି ।

ଶୋଭନ କହିଛନ୍ତି ଯେ, ରାଜନୀତିରେ ଯୋଗ ଦେବା ପାଇଁ ଇଚ୍ଛା ରହିଛି । ସୁଯୋଗ ମିଳିଲେ ନିଶ୍ଚୟ ରାଜନୀତିରେ ଯୋଗ ଦେବି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି ସେ । ଯଦି ବିଜେଡିରୁ ଅଫର ମିଳେ ତେବେ ନିଶ୍ଚୟ ଗ୍ରହଣ କରିବି ବୋଲି କହିଛନ୍ତି । ଓଡିଶା ଓ ଓଡିଶାବାସୀଙ୍କ ପାଇଁ କିଛି କାମ କରିବାକୁ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି ଛାଡ଼ିଛି । ଓଡ଼ିଶା ପାଇଁ ଭଲ କାମ କରିବାକୁ ସମସ୍ତେ ଯୋଗ୍ୟ । ରାଜନେତା, ସମାଜସେବୀ, ଅଫିସର ସମସ୍ତେ ଯୋଗ୍ୟ । ଯେହେତୁ ମୁଁ ଏକ ରାଜନୈତିକ ପରିବାରରୁ ଆସିଛି ଏବଂ ବାପାଙ୍କ ଅବଦାନ ବାବଦରେ ସମସ୍ତେ ଜାଣିଛନ୍ତି । ରାଜନୀତିରେ ମୋର ଇଚ୍ଛା ନାହିଁ ବୋଲି କହିବି ନାହିଁ । ଇଚ୍ଛା ଅଛି କିନ୍ତୁ ଆଗକୁ କଣ ହେବ ଜଣାନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଜେ ନିର୍ବାଚନରେ ଛିଡ଼ା ହେବି ବୋଲି ଘୋଷଣା କରିବି ନାହିଁ । ମୁଁ ନିର୍ବାଚନ ଲଢିବି କି ନେତା ହେବି, ତାହା ମାହାଙ୍ଗା ବାସୀ ନିଷ୍ପତ୍ତି କରିବେ‌ । ମାହାଙ୍ଗା ଲୋକ ବହୁତ ସ୍ନେହ ଆଦର ଦେଇଛନ୍ତି । ବାପାଙ୍କୁ ଯେଉଁ ମାନେ ଭଲ ପାଉଥିଲେ ସେମାନେ ମୋତେ ଆପଣେଇ ନେଇଛନ୍ତି । ମୁଁ ମାହାଙ୍ଗାର ଜନସାଧାରଣଙ୍କ ସହ ଅଛି । ରାଜନୀତିରେ କଣ ହେବ ଆଗକୁ ଦେଖିବା । ମୁଁ ଚାହିଁଲେ ନୁହେଁ, ମାହାଙ୍ଗାବାସୀ ଚାହିଁଲେ ହିଁ ମୁଁ ନିର୍ବାଚନ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିବି । ରାଜନୀତିରେ ଭଲ ଓ ଶିକ୍ଷିତ ଲୋକ ଆସିବା ଦରକାର । ସମାଜର ଯଦି କିଏ କଲ୍ୟାଣ କରିପାରିବ, ରାଜନୈତିକ ନେତା ମାନେ କରିପାରିବେ ‌। ଲୋକ ମୋତେ କହୁଛନ୍ତି, ଯଦି ସୁଯୋଗ ମିଳିବ ନିଶ୍ଚିତ ଲଢିବି ।

ବାପା ବିଜୁ ଜନତା ଦଳରେ ଥିଲେ । ବିଜୁ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ବିଜୁ ବାବୁଙ୍କ ସହ ସେ କାର୍ଯ୍ୟ କରିଛନ୍ତି । ନବୀନ ବାବୁଙ୍କ ସହ ମଧ୍ୟ କାମ କରିଛନ୍ତି । ତେଣୁ ଲୋକ ଭାବୁଛନ୍ତି ଆମେ ବିଜୁ ଜନତା ଦଳରେ ରହି କାମ କରିବୁ । ମୁଁ ବର୍ତ୍ତମାନ କୌଣସି ଦଳରେ ନାହିଁ । ସ୍ବାଧୀନ ଭାବରେ ମାହାଙ୍ଗାରେ ବୁଲାବୁଲି କରୁଛି । ଯଦି ସୁଯୋଗ ମିଳିବ ବିଜେଡି ହେଉ କି ଅନ୍ୟ କେଉଁ ଦଳ ମୁଁ ବିଚାର କରିବି । ସମସ୍ତେ ମୋତେ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ବୋଲି ଭାବୁଛନ୍ତି । କିନ୍ତୁ ଏବେ ସେ ବିଷୟରେ କିଛି ମତାମତ ଦେବିନାହିଁ ।

ଯଦି ବିଜେଡିରୁ ଅଫର ଆସେ ନିଶ୍ଚିତ ଭାବରେ ଗ୍ରହଣ କରିବି । ନବୀନ ପଟ୍ଟନାୟକ ୨୩ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ । ବହୁତ ଜନକଲ୍ୟାଣ କାମ କରୁଛନ୍ତି । ମୁଁ ନିଶ୍ଚିତ ଭାବରେ ତାଙ୍କ ସହିତ ଯୋଗଦାନ ଦେବି । ନବୀନ ବାବୁଙ୍କ ଆଦର୍ଶ ଭଲଲାଗେ । ରାଜନୀତିରେ ଏମିତି ବ୍ୟକ୍ତିତ୍ଵ ପାଇବା ବିରଳ । ଆମେ ତାଙ୍କୁ ଆଦର, ସମ୍ମାନ କରୁ । ଭୁବନେଶ୍ୱରରେ ନିର୍ଭିକ ଉତ୍କଳ ଦିବସ ସଂସ୍କରଣ ଉନ୍ମୋଚନ ଅବସରରେ ଏହା କହିଛନ୍ତି ଶୋଭନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.