ETV Bharat / state

ରୁକୁଣା ରଥଯାତ୍ରା ପ୍ରସ୍ତୁତି ବୈଠକ, ମନ୍ଦିର ନିକଟରେ ବିକ୍ରି ହେବନି ଆମିଷ

author img

By

Published : Mar 25, 2023, 10:27 PM IST

ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ନେଇ ସମନ୍ବୟ ବୈଠକ । ସୁରୁଖୁରୁରେ ରଥଟଣା ପାଇଁ ବୈଠକରେ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

preparation meeting of rukuna rathyatra
ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରସ୍ତୁତି ବୈଠକ

ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ରୁକୁଣା ରଥଯାତ୍ରା ପାଇଁ ବିକ୍ରି ହେବନି ଆମିଷ । ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ପାଇଁ ମାଉସୀ ମାଆ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ଥିବା ଆମିଷ ଦୋକାନ ଉପରେ କଟକଣା ଲଗାଯିବା ନେଇ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ଏହି ବୈଠକରେ ରଥଯାତ୍ରାରେ ସମସ୍ତ ସହଯୋଗ କରିବା ନେଇ ନିଯୋଗ ସେବାୟତ ସହମତି ପ୍ରକାଶ କରିଛନ୍ତି । ଚଳିତ ଥର ବିଳମ୍ବ ନକରି ନିର୍ଦ୍ଧାରିତ ସମୟ ୩ଟା ୩୦ ସମୟରେ ରଥଟଣା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ପାଇଁ ଭୁବନେଶ୍ବର ଡିସିପି, ଟ୍ରାଫିକ ଡିସିପି ସହ ବିଭିନ୍ନ ଓ୍ବାର୍ଡର କର୍ପୋରେଟରଙ୍କ ସହ ବିଦ୍ୟୁତ ବିଭାଗ, ବିଧାୟକ, ବିଏମସି ଓ ରାସ୍ତା ନିର୍ମାଣ ଆଦି ବିଭାଗର କର୍ମଚାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ରୁକୁଣା ରଥଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିର ଠାରୁ ମାଉସୀ ମାଆ ମନ୍ଦିର ନିକଟରେ ଥିବା ସମସ୍ତ ଆମିଷ ଦୋକାନ ଏବଂ ଫାଷ୍ଟଫୁଡ ଦୋକାନକୁ ବନ୍ଦ କରାଯିବ । କଟକଣା ନମାନିଲେ ବିଏମସି ପକ୍ଷରୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରଥଯାତ୍ରା ନେଇ ବସିଥିବା ପୋଲିସ ସମନ୍ବୟ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଛି । ସୁରୁଖୁରୁରେ ଯାତ୍ରା ହେବା ନେଇ ବିଭିନ୍ନ ଦିଗରେ ଆଲୋଚନା କରାଯାଇଛି । ତେବେ ଯେଭଳି ଗତବର୍ଷ ପରି ସମସ୍ୟା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଛି । ଚଳିତ ବର୍ଷ ନୂତନ ଭାବେ ରଥ ରହଣି ପାଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ଷ୍ଟେଜ ପ୍ରସ୍ତୁତି ହେବ । ଫଳରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବେ ।

ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ମନ୍ଦିରକୁ ସୁସଜ୍ଜିତ କରାଯିବ । ମନ୍ଦିର ଠାରୁ ମାଉସି ମାଆ ଛକ ପର୍ଯ୍ୟନ୍ତ ଲାଇଟର ବ୍ୟବସ୍ଥା କରାଯିବ । ସ୍ବତନ୍ତ୍ର ଟ୍ରକରେ ଷ୍ଟାଣ୍ଡିଂ ଲାଇଟ୍ ବ୍ୟବସ୍ଥା ରହିବ । ତେବେ କିଛି ବରିଷ୍ଠଙ୍କ ଅନୁରୋଧ କ୍ରମେ ଚଳିତ ଥର ଅତିଥି ମାନଙ୍କୁ ପୁଷ୍ପମାଳରେ ସମ୍ବର୍ଦ୍ଧିତ କରାଯିବ ବୋଲି ଭୁବନେଶ୍ବର ମେୟର ସୂଚନା ଦେଇଛନ୍ତି । ଅନ୍ୟପଟେ ରଥଯାତ୍ରା ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ରଥରେ ବସୁଥିବା ଅଣ ସେବାୟତଙ୍କ ଉପରେ ନଜର ରଖାଯିବା ସହ ଆଇଡି କାର୍ଡର ବ୍ୟବସ୍ଥା କରାଯିବ । ସେବାୟତ ଚିହ୍ନଟ ଓ ଆଇଡି କାର୍ଡ ବଣ୍ଟନ ପାଇଁ ମନ୍ଦିର କାର୍ଯ୍ୟାଳୟକୁ ଦାୟିତ୍ବ ଦିଆଯାଇଛି ।

ରଥ ଟଣା ବେଳେ ସୁରୁଖୁରେ ବ୍ରେକ ଲାଗିବା ପାଇଁ ରଥର ଚାରିପାଖରେ ଏକ କର୍ଡନ ରହିବ । ରଥ ଯେପରି ସୁରୁଖୁରୁରେ ଗଡିବ ସେନେଇ ଆର ଆଣ୍ଡ ବିର ସହମତିରେ ରାସ୍ତା କାମ ତ୍ବରାନ୍ବିତ କରାଯିବ । ବିଦ୍ୟୁତ ବିଭାଗ ପକ୍ଷରୁ ତାର ମରାମତି ନେଇ କୌଣସି ସମସ୍ୟା ଦେଖା ନଯାଏ, ତା'ଉପରେ ଫୋକସ କରାଯିବ । ଖରାକୁ ଦୃଷ୍ଟିରେ ରଖିପାଣି ସିଞ୍ଚନ ଓ ଡିଷ୍ଟ୍ରିବ୍ୟୁସନ ମଧ୍ୟ କରାଯିବ । ସାମାଜିକ ଅନୁଷ୍ଠାନର ସହଯୋଗରେ ଭକ୍ତଙ୍କ ସେବାକୁ ପ୍ରାଧାନ୍ୟ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ଏନେଇ ପୋଲିସ କମିସନର କହିଛନ୍ତି, "ଆଇନଶୃଙ୍ଖଳା ପାଇଁ ପୋଲିସ ସବୁ ପ୍ରକାର‌ ବ୍ୟବସ୍ଥା କରିବ । ଲୋକେ କିପରି ସୁରୁଖୁରୁରେ ଯାଇ ଓ ଠାକୁର ଦର୍ଶନ କରିବେ ସେଥିପ୍ରତି ଧ୍ୟାନ ଦିଆଯିବ।" ତେବେ ନିର୍ଦ୍ଧାରିତ ସମୟ ୩ଟା ୩୦ରେ ରଥ ଟଣା ଆରମ୍ଭ ସହ ଦିନକ ମଧ୍ୟରେ ଏକା ଥରକେ ମାଉସୀ ମାଆ ଛକରେ ରଥ ପହଞ୍ଚାଇବା ପାଇଁ ଚେଷ୍ଟା କରାଯିବ ବୋଲି ସହମତି ଦେଇଛନ୍ତି ସମସ୍ତ ନିଯୋଗ । ଅନୁଷ୍ଠିତ ବୈଠକରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ପୋଲିସ କମିସନର, ଡିସିପି ଭୁବନେଶ୍ୱର, ବିଧାୟକ ସୁର ରାଉତରାୟଙ୍କ ସମେତ ସବୁ ନିଯୋଗ ଓ ଅନ୍ୟ ମନ୍ଦିର ପ୍ରଶାସନ, ବିଦ୍ୟୁତ ଓ ଆର ଆଣ୍ଡ ବି ସହ ସହଯୋଗ କରୁଥିବା ସମସ୍ତ ସରକାରୀ ଅନୁଷ୍ଠାନର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ‌ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.