ETV Bharat / state

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ !

author img

By ETV Bharat Odisha Team

Published : Oct 18, 2023, 8:08 PM IST

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଫିକା ପଡିପାରେ ପାର୍ବଣ । ୨୨ରୁ ୨୬ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବର ସମ୍ଭାବନା ଥିବା ପାଣପାଗା ବିଭାଗ କହିଛି । ତେବେ ଲଘୁଚାପର ପ୍ରଭାବ କେଉଁଠି ରହିବ ତାହା ଏବେ ଆକଳନ କରାଯାଇ ନାହିଁ । ସାରା ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ଉପରେ ରହୁଛି ।

ତେବେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଗତ 24 ଘଣ୍ଟାରେ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କନ୍ଧମାଳ ଓ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବରରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଏହା ମଧ୍ୟ ପଢନ୍ତୁ...Weather Update: ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ସେହିପରି ୨୦, ୨୧ ଏବଂ ୨୨ ତାରିଖରେ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ୨୩ ତାରିଖ ପରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଓ ନୟାଗଡ ଆଦି ଜିଲ୍ଲାରେ ବର୍ଷାର ପରିମାଣ ବଢିପାରେ । ଯଦି ଲଘୁଚାପ ଘନୀଭୁତ ହୁଏ ଏବଂ ଓଡ଼ିଶା ଉପକୂଳକୁ ଆସେ ତେବେ ବର୍ଷାର ପରିମାଣ ଅଧିକ ରହିପାରେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଲଘୁଚାପ ପ୍ରଭାବରେ ଓଡ଼ିଶାରେ କେତେ ପରିମାଣର ବର୍ଷା ହେବ ସେନେଇ ଆଇଏମଡି କୌଣସି ସୂଚନା ପ୍ରଦାନ କରିନାହିଁ ।

ଅନ୍ୟାନ୍ୟ ମଡେଲ ଗୁଡିକର ଆକଳନ ହିସାବରେ ଲଘୁଚାପଟି ଆହୁରି ଅଧିକ ଘନୀଭୁତ ହୋଇପାରେ । ଯଦି ତାହା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମୁହାଁ ହେବ ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଯଦି ପଶ୍ଚିମବଙ୍ଗ–ବାଂଲାଦେଶ ମୁହାଁ ହୁଏ ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.